ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ଆରମ୍ଭ
କୋରାପୁଟ/ମାଲକାନଗିରି, ୨୮/୭(ସକାଳଖବର): ଆଜି ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ପାଳନ କରୁଛନ୍ତି ଶହୀଦ ସପ୍ତାହ । ଏଥିନେଇ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି । ରବିବାର ଶହୀଦ ସପ୍ତାହ ପାଳନର ପ୍ରଥମ ଦିନରେ ଜୟପୁର- ମାଲକାନଗିରି ବସ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅବିଭକ୍ତ କୋରାପୁଟ ଜିଲାରେ ୩୪ରୁ ଅଧିକ ସରକାରୀ ବସ୍ ଚଳାଚଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି । ଯାହାଫଳରେ ଯାତ୍ରୀ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଜୟପୁର ଜୋନ୍ ର ପାଖା ପାଖି ୧୭ଟି ରୁଟ୍ ରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏହି ସପ୍ତାହରେ ମାଓବାଦୀଙ୍କ କୌଣସି ବଡ଼ ଧରଣର ହିଂସାକାଣ୍ଡକୁ ପ୍ରତିହତ କରିବା ପାଇଁ ଜିଲା ପୋଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ସରକାରୀ ବସ୍ ଚଳାଚଳକୁ ବନ୍ଦ କରାଯାଇଛି । ପ୍ରଥମ ଦିନରେ ମାଓବାଦୀଙ୍କ ହିଂସା ସମ୍ପର୍କିତ କୌଣସି ସୂଚନା ନାହିଁ ।
ମାଲକାନଗିରି ଜିଲା ରୁଟ୍ରେ ୨୦ଟି ସରକାରୀ ବସ୍ ବନ୍ଦ ରଖାଯାଇ ଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣୀ ରୁଟ୍ରେ ୪ଟି ବସ୍ ବନ୍ଦ କରାଯାଇଛି । ଆନ୍ଧ୍ରର ଆରକୁ ଗୋଟିଏ ବସ୍, ଗୁପ୍ତେଶ୍ୱର ରୁଟ୍ ରେ ଗୋଟିଏ, କୋଟିଆ ରୁଟରେ ୨ଟି, ପାର୍ବତିପୁରମ୍ ଗୋଟିଏ, କାଶିପୁର ଦୁଇଟି, ଭଦ୍ରାଚଳମ ଦୁଇଟି, ଗୁଣୁପୁର ଦୁଇଟି ଓ ଭାୟା ରାୟଗଡା ଦେଇ ଯାଉଥିବା ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱରକୁ ଯାଉଥିବା ୮ଟି ବସ୍ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ମାଲକାନଗିରି ଜିଲା ମୋଟୁ ଠାରୁ ବିଶାଖାପାଟଣା ଦୁଇଟି ସେହିପରି ଉକ୍ତ ଜିଲାରୁ ଆନ୍ଧ୍ର ଯାଉଥିବା ୬ଟି ବସ୍ ବନ୍ଦ କରାଯାଇଛି । ବ୍ରହ୍ମପୁର, ଭୁବନେଶ୍ୱର ଠାରୁ କୋରାପୁଟ- ମାଲକାନଗିରି ପାଇଁ ଆସୁଥିବା ୧୫ଟି ବସ୍, ଭବନାପାଟଣାରୁ-ମୋଟୁ ଦୁଇଟି ବସ୍ ବନ୍ଦ ରହିଛି । ଇନ୍ଦ୍ରାବତୀ- ଚିତ୍ରକୋଣ୍ଡା ରୁଟ୍ ରେ ୨ଟି, କାଶିପୁର ଭାୟା ଦଶମନ୍ତପୁର ରୁଟ୍ ରେ ୨ଟି, ଭବାନୀପାଟଣା- ମାଲକାନଗିରି, ନିଳାଦ୍ରିନଗର, ଫୁଲବାଣୀ ରୁଟ୍ ମଧ୍ୟରେ ଏପରି ଭାବେ ୩୫ ରୁଟ୍ରେ ୪୦ ରୁ ଅଧିକ ସରକାରୀ ଗାଡି ଚଳାଚଳ ବନ୍ଦ ରହିଛି । ଏହି ବସ୍ ସେବା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବିଷୟ ଡିଟିଏମ ଚିତରଞ୍ଜନ ସାହୁ ପ୍ରକାଶ କରିଛନ୍ତି ।