ଏସ୍ସିବି: ସୁପର ସ୍ପେସାଲଟି କୋଠା ନିର୍ମାଣରେ ବିଳମ୍ବ

Jun 15, 2018 - 14:41
 157
ଏସ୍ସିବି: ସୁପର ସ୍ପେସାଲଟି କୋଠା ନିର୍ମାଣରେ ବିଳମ୍ବ
କଟକ, ୧୪ା୬/(ସକାଳଖବର): ପୁରୁଣା ଆଉଟଡୋର କୋଠାଟି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ର ପୁରାତନ କୋଠା ହୋଇଥିବାରୁ ତାହାକୁ ପୂର୍ତ୍ତ ବିଭାଗ ତରଫରୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା । ସେହି କୋଠାକୁ ଭାଙ୍ଗି କେନ୍ଦ୍ର ସରକାରଙ୍କ ଅନୁଦାନରେ ୮ମହଲା କୋଠା ନିର୍ମାଣ କରାଯିବ । ସେଠାରେ ହୃଦରୋଗ, ରକ୍ତରୋଗ, ମୂତ୍ରରୋଗ, ହୃଦବକ୍ଷଶଲ୍ୟ, ଏଣ୍ଡୋକ୍ରିନୋଲୋଜି, ଏଣ୍ଡୋକ୍ରାଇନ ସର୍ଜରୀ, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରୀ, ନେଫ୍ରୋଲୋଜି, ପେଡିଏଟ୍ରିକ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ ଆଦି ବିଭାଗକୁ ନେଇ ସୁପର ସ୍ପେସାଲିଟି ବ୍ଲକ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୈଷୟିକ ତଥା ପ୍ରଶାସନିକ ବୁଝାମଣା ଅଭାବରୁ ଏହି କୋଠା ନିର୍ମାଣରେ ବିଳମ୍ବ ଦେଖାଦେଇଛି । ୧୯୪୪ ମସିହା ଜୁନ ୧ରେ ଓଡିଶା ମେଡିକାଲ କଲେଜ ସ୍ଥାପିତ ହୋଇଥିବାବେଳେ ୨୨ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେଲା । ପରେ ତାହା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ନାମରେ ନାମିତ ହୋଇଥିବାବେଳେ ଏବେ ୨୫୦ ଏମବିବିଏସ ସିଟ ରହିଛି । ଆରମ୍ଭରୁ ମୁଖ୍ୟ ପ୍ରବେଶ ଦ୍ୱାର ନିକଟ ଏହି ପୁରାତନ କୋଠାରେ ଆଉଟଡୋର କାର୍ଯ୍ୟ କରୁଥିଲା । ଦୀର୍ଘ ୭୦ ବର୍ଷରୁ ଉଦ୍ଧ୍ୱର୍ ସମୟରୁ ଏହି କୋଠାଟି ନିର୍ମାଣ ହୋଇଥିବାରୁ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ଏନେଇ ପୂର୍ତ୍ତ ବିଭାଗ ତରଫରୁ ସତର୍କ କରାଯାଇଥିଲା । କେନ୍ଦ୍ରୀୟ ଅନୁଦାନରେ ସେଠାରେ ଏକ ୮ମହଲା କୋଠା ନିର୍ମାଣ ହେବାର ଯୋଜନା ପ୍ରସ୍ତୁତ ହୋଇଥିଲା । ଏନେଇ ୨ଶହ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇସାରିଛି । କେନ୍ଦ୍ରୀୟ ପୂର୍ତ୍ତ ବିଭାଗ(ସିପିଡବ୍ଲୁଡି) ଏହି ୮ମହଲା କୋଠା ନିର୍ମାଣ କରିବାର କାର୍ଯ୍ୟକ୍ରମ ରହିଛି । ନୂତନ କୋଠା ନିର୍ମାଣ ପୂର୍ବରୁ ରାଜ୍ୟ ପୂର୍ତ୍ତ ବିଭାଗ ପୁରୁଣା କୋଠାକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ ଏନେଇ କିଛି ନିଦେ୍ର୍ଧଶ ଆସିନଥିବାରୁ କୋଠାକୁ ଭଙ୍ଗାଯାଉନଥିବା ଜଣେ ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ପୂର୍ତ୍ତ ବିଭାଗ ତରଫରୁ କୋଠା ଭାଙ୍ଗି କ୍ଲିୟରାନ୍ସ ପ୍ରଦାନ କରିବାପରେ ନୂତନ କୋଠା ନିର୍ମାଣ ହେବ । ଏଠାରେ ସୂଚନାଥାଉକି, ଏବେ ଅସ୍ଥାୟୀଭାବେ କର୍ଣ୍ଣ, ନାସା, ଗଳା ବିଭାଗ ନିକଟରେ ସୁପର ସ୍ପେସାଲଟି ଆଉଟଡୋର କାର୍ଯ୍ୟ କରୁଛି । ସେହିପରି ପୁରୁଣା ଆଉଟଡୋର ବନ୍ଦ ହେବାପରେ ଚକ୍ଷୁ ବିଭାଗ କୋଠା ସମେତ ବିଭିନ୍ନ ବିଭାଗରେ ଆଉଟଡୋର କାର୍ଯ୍ୟ କରୁଛି ।