ସାରସକଣ: ଦୁର୍ଗ ରକ୍ଷା ଲାଗି ବିଜଦର ଆପ୍ରାଣ ଉଦ୍ୟମ

Mar 16, 2019 - 14:09
 140
ସାରସକଣ:   ଦୁର୍ଗ ରକ୍ଷା ଲାଗି ବିଜଦର ଆପ୍ରାଣ ଉଦ୍ୟମ
ବାରିପଦା, ୧୫/୩(ସକାଳଖବର): ଏଥର ଦମଦାର ହେବ ସାରସକଣା ବିଧାନସଭା ଆସନରେ ଲଢେ଼ଇ । ନିର୍ବାଚନ ମଇଦାନକୁ ଉହ୍ଲାଇବେ ହେଭିୱେଟ ନୂଆ ପ୍ରାର୍ଥୀ । ସମସ୍ତ ରାଜନୈତିକ ଦଳ ଏଥର ପ୍ରାର୍ଥୀ ବଦଳାଇବା ସପକ୍ଷରେ ରହିଛନ୍ତି । ବିଜେଡ଼ି, ବିଜେପି, କଂଗ୍ରେସ ଓ ଜେଏମଏମରେ ସମ୍ଭାବ୍ୟ ନୂଆ ମୁହଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପକ୍ଷରେ ଏହି ଆସନକୁ କଂଗ୍ରେସ ତା’ର ସହଯୋଗି ଦଳକୁ ଛାଡ଼ି ଦେଇପାରେ ବୋଲି କୁହାଯାଉଛି । ୨୦୦୮ ଓଡ଼ିଶା ବିଧାନସଭା ପୁର୍ନଗଠନ ପରେ ସାରସକଣା ନିର୍ବାଚନ ମଣ୍ଡଳୀ ବିଜଦର ଏକ ଦୁର୍ଗ ଭାବେ ମୂଳଦୁଆ ପଡ଼ିଥିଲା । ବର୍ତମାନ ୨୦୧୯ ଜାନୁଆରୀ ୨୧ ସୁଦ୍ଧା ଉକ୍ତ ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୯୯,୨୩୩, ମହିଳା ଭୋଟର ସଂଖ୍ୟା ୧,୦୦,୪୧୧ ଓ ଅନ୍ୟାନ୍ୟ ୯ ଏହିପରି ମୋଟ ୧,୯୯,୭୨୩ ରହିଛି । ୨୦୦୮ ବିଧାନସଭା ପୁର୍ନଗଠନ ସମୟରେ ସାରସକଣା ବ୍ଲକର ୧୭, ବିଶୋଇ ବ୍ଲକର ୧୩ ଓ ବିଜାତୋଳା ବ୍ଲକର ୧୨ ପଚାଂୟତ ସହିତ କୁସୁମୀ ବ୍ଲକର କୁସୁମୀ, ଜୟପୁର, ଭୁଟକାବାଦି ଓ ମୟୂରଦର ଆଦି ୪ଟି ପଚାଂୟତର ମୋଟ ୧,୫୯,୬୦୦ ଭୋଟରଙ୍କୁ ନେଇ ନୂତନ ଭାବେ ସାରସକଣା ନିର୍ବାଚନ ମଣ୍ଡଳୀ ଜନ୍ମ ନେଇଥିଲା । ଏହା ପରେ ୨୦୦୯ ନିର୍ବାଚନରେ ବିଜଦ ତା’ର ଭାଗୁଆଳି ଦଳ ଏନସିପିକୁ ଆସନଟି ଛାଡ଼ି ଦେଇଥିଲା ଏବଂ ଏନସିପିରୁ ଇଂ. ରାମଚନ୍ଦ୍ର ହାଁସଦାଃ ପ୍ରାର୍ଥୀ ହୋଇ ଝାମୁମୋ ପ୍ରାର୍ଥୀକୁ ୧୪,୫୯୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ଝାମୁମୋ ଦଳର ଜିଲ୍ଲା ସଭାପତି ପଦବୀକୁ ତ୍ୟାଗ କରି ବିଜଦ ଟିକଟ ହାତେଇ ଭାଦବ ହାଁସଦାଃ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଜେଏମଏମ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କୁ ୩,୮୩୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାନରେ ଶ୍ରୀ ହାଁସଦାଃ ୩୨.୫୬ ପ୍ରତିଶତ ହାରରେ ୪୬,୮୬୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଝାମୁମୋ ପ୍ରାର୍ଥୀ ଶ୍ରୀ ମୁର୍ମୁ ୨୯.୮୯ ପ୍ରତିଶତ ହାରରେ ୪୩,୦୨୮ ଖଣ୍ଡ ଏବଂ ବିଜେପି ୧୬.୨୯ ପ୍ରତିଶତ ହାରରେ ୨୩,୪୪୭ ଓ କଂଗ୍ରେସ ପ୍ରାର୍ଥୀ ୧୩.୯୨ ପ୍ରତିଶତ ହାରରେ ୨୦,୦୪୦ ଖଣ୍ଡ ଭୋଟ ପାଇଥିଲେ । ଶ୍ରୀ ହାଁସଦାଃ ବିଜଦରେ ମିିଶିଲେ ସତ, ମାତ୍ର ନିର୍ବାଚନ ମଣ୍ଡଳୀରେ ମୂଳ ବିଜଦ ନେତା ଓ କର୍ମୀମାନଙ୍କ ଆସ୍ଥା, ବିଶ୍ୱାସଭାଜନ ହୋଇପାରିଲେ ନାହିଁ । ବିଜଦ ବିଧାୟକ କୈନ୍ଦ୍ରିକ ଦଳ ଭାବେ ପରିଚାଳତ ହେଉଥିବାରୁ ମୂଳ ବିଜଦର ନେତା ଓ କର୍ମୀମାନେ ବିଧାୟକଙ୍କ ଦ୍ୱାରା ଅଣଦେଖା ହେଲେ । ଏହାକୁ କେନ୍ଦ୍ରକରି ନିର୍ବାଚନ ମଣ୍ଡଳୀରେ ବିଜଦ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହେଲା । ଦଳର ହାଇକମାଣ୍ଡ ମଧ୍ୟ ସମାଧାନ ଦିଗରେ କୌଣସି ପ୍ରକାରର ଉଦ୍ୟମ କଲେ ନାହିଁ । ପରିଣାମ ସ୍ୱରୂପ ସାରସକଣା ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଜୁଲୁ ନନା ଓରଫ ଅମରେନ୍ଦ୍ର କରଙ୍କୁ ସମର୍ଥନ ଜଣାଇ ୨୦୧୫ ଅକ୍ଟୋବରରେ ପ୍ରଥମେ ବିଜଦର ସାରସକଣା ବ୍ଲକ ଅଧ୍ୟକ୍ଷଙ୍କ ସମେତ ଉପାଧ୍ୟକ୍ଷ, ୨ ଜଣ ଜିଲାପରିଷଦ ସଦସ୍ୟ, ୧୫ ଜଣ ପଚାଂୟତ ସମିତି ସଦସ୍ୟ, ୭ ଜଣ ସରପଂଚ ଓ କେତେକ କର୍ମୀ ଦଳରୁ ସାମୁହିକ ଭାବେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେହି ଦିନଠାରୁ ଦଳରେ ଖୋଲାଖୋଲି ବିଦ୍ରୋହ ଆରମ୍ଭ ହୋଇଥିଲା ।