୧୧ତମ ବିଶ୍ୱ ଗ୍ଲକୋମା ସପ୍ତାହ ପାଳିତ

Mar 16, 2019 - 13:55
 171
ବାରିପଦା, ୧୫/୩(ସକାଳଖବର): ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ପରିସରରେ ଚକ୍ଷୁ ବିଭାଗ ପିଆରଏମ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଆନୁକୂଲ୍ୟରେ ୧୧ତମ ବିଶ୍ୱ ଗ୍ଲକୋମା ସପ୍ତାହ ଅର୍ଥୋପେଡିକ ବିଭାଗର ମୁଖ୍ୟ ଡା. ସୁଚିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଳାପାଳ ବିନିତ ଭରଦ୍ୱାଜ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉକ୍ତ ଗ୍ଲକୋମା ସପ୍ତାହ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୋଲକାତା ସ୍ଥିତ ଏସିଓଆଇଏନର ସମ୍ପାଦକ ସ୍ୱପନ ସାମନ୍ତ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲର ଆସୋସିଏଏଟ ପ୍ରଫେସର ଡ. ମମତା ଗିରି ଏବଂ ଡ. ବୈକୁଣ୍ଠ ମହାପାତ୍ର ଯୋଗଦେଇଥିଲେ । ଏହି ଅବସରରେ ବିଶେଷ କରି ଗ୍ଲକୋମା ସପ୍ତାହ ପାଳନ, ଗ୍ଲକୋମା ସପ୍ତାହର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଗ୍ଲକୋମା ଏକ ସ୍ନାୟୁଜନିତ ଚକ୍ଷୁ ରୋଗ । ଅନେକ ସମୟରେ ଚକ୍ଷୁରେ ଚାପ ବୃଦ୍ଧି ଯୋଗୁଁ ଚକ୍ଷୁର ଦୁଇଟି ଦୃଷ୍ଟିବାହୀ ସ୍ନାୟୁ ଆକ୍ରାନ୍ତ ହୋଇ ଦୃଷ୍ଟି ଶକ୍ତି କମିଯାଇଥାଏ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ନକଲେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଲୋପ ପାଇଯିବାର ସମ୍ଭାବନା ରହିଛି ବୋଲି ଆଲୋଚନା ହୋଇଥିଲା ।