ସାତକୋଶିଆ ବାଘ ମୃତ ? ମିଳୁନି ରେଡ଼ିଓ କୋଲାର ସଙ୍କେତ

Nov 14, 2018 - 20:09
 164
ସାତକୋଶିଆ ବାଘ ମୃତ ? ମିଳୁନି ରେଡ଼ିଓ କୋଲାର ସଙ୍କେତ
ଅନୁଗୁଳ, ୧୪/୧୧ (ସକାଳଖବର): ଦେଶରେ ବାଘବଂଶ ବୃଦ୍ଧି ପାଇଁ ଆନ୍ତଃରାଜ୍ୟ ବ୍ୟାଘ୍ର ସଂସ୍ଥାପନ ପ୍ରକ୍ରିୟାରେ ଓଡ଼ିଶାର ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟରେ ଅବସ୍ଥାପିତ କରାଯାଇଥିବା ଏକ ବାଘର ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଏହି ବାଘ ‘ମହାବୀର’କୁ ଜୁନ୍ ୨୧ ତାରିଖରେ ଅଣାଯାଇ ଜୁଲାଇ ୬ ତାରିଖରେ ସାତକୋଶିଆର ଉନ୍ମୁକ୍ତ ବନାଞ୍ଚଳ ମଧ୍ୟକୁ ଛଡ଼ାଯାଇଥିଲା । ମଧ୍ୟବର୍ତ୍ତୀ ସମୟରେ ପରିବେଶ ସହ ଖାପ୍ ଖୁଆଇବା ପାଇଁ ଏହି ବାଘକୁ ରାଇଗୁଡ଼ାସ୍ଥିତ ଏକ ଅସ୍ଥାୟୀ ‘ବନ୍ୟ ଖୁଆଡ’ ମଧ୍ୟରେ ରଖାଯାଇଥିଲା । ଉଭୟଙ୍କ ମିଳନ ଉଦେ୍ଧଶ୍ୟରେ ପରେ ଆଉ ଏକ ମାଈ ବାଘ ‘ ସୁନ୍ଦରୀ’କୁ ଅଣାଯାଇଥିଲା । କିନ୍ତୁ ଉଭୟ ବାଘ- ବାଘୁଣୀଙ୍କ ମିଳନ ପୂର୍ବରୁ ବାଘର ମୃତ୍ୟୁ ଘଟିଥିବା ସାତକୋଶିଆ ବନ୍ୟପ୍ରାଣୀ ବିଭାଗରେ ଆଲୋଚନାର ବିଷୟ ହୋଇଛି । ବାଘ ‘ମହାବୀର’ର ରେଡ଼ିଓ କୋଲାର ସଙ୍କେତ ଗତକାଲି ପର୍ଯ୍ୟନ୍ତ ସ୍ୱାଭାବିକ ଥିବା ସହ ତାହାର ହୃଦକ୍ରିୟାର ସଙ୍କେତ ମଧ୍ୟ ପ୍ରଦାନ କରୁଥିଲା । କିନ୍ତୁ ଆଜିର ସଙ୍କେତରେ ଏହାର ହୃଦକ୍ରିୟା ନିଷ୍କ୍ରିୟ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି । ବାଘର ହୃତଯନ୍ତ୍ର କାର୍ଯ୍ୟକ୍ଷମ ଥିବା ନେଇ କୌଣସି ସଙ୍କେତ ନମିଳିବା ପରିପ୍ରେକ୍ଷୀରେ ଏହା ପ୍ରାଣ ହରାଇଥିବା ଆଶଙ୍କା ପ୍ରକାଶ ପାଇଛି । ରାଇଗୁଡ଼ା ଅଞ୍ଚଳରୁ ଗତକାଲି ବାଘର ଶେଷ ହୃତକ୍ରିୟା ସଙ୍କେତ ମିଳିଥିଲା । ଏହାପରେ ଆଉ କୌଣସି ସଙ୍କେତ ମିଳିପାରି ନାହିଁ । ଏପ୍ରକାର ପରିସ୍ଥିତିରେ ସାତକୋଶିଆର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିବା ସହ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟ ଜଙ୍ଗଲ ବିଭାଗ, କେନ୍ଦ୍ର ଜଙ୍ଗଲ ବିଭାଗ, ବିଶେଷଜ୍ଞ ଅନୁଷ୍ଠାନ, ବିଶେଷଜ୍ଞ ଓ ସରକାରୀ ବୈଧାନିକ ସଂସ୍ଥାର ନିଷ୍ଠା ଓ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଘଠାରୁ ସଙ୍କେତ ମିଳୁନାହିଁ, ବାଘୁଣୀକୁ ପୁଣି ବନ୍ଦୀ କରିବାକୁ ପଡ଼ିଲା । ଏହାହିଁ ବନ୍ୟପ୍ରାଣୀ ବିଶାରଦଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହାବୀର ବେଶ୍ ସୁସ୍ଥ ସବଳ ଥିଲା । ଏହା ଆକ୍ରମଣାତ୍ମକ ନଥିଲା । ନିରାନନ୍ଦରେ ସେ ସାତକୋଶିଆ ବନାଞ୍ଚଳରେ ଭ୍ରମଣ କରୁଥିଲା । ହିନେ୍ଦାଳ ଓ ନରସିଂହପୁର ଆଦି ବିସ୍ତୃତ ଅଞ୍ଚଳରେ ଘୁରି ବୁଲୁଥିଲେ ମଧ୍ୟ ସେ ଅଦ୍ୟାବଧି କାହାରି କୌଣସି କ୍ଷତି କରିନାହିଁ । ତେବେ ବାଘୁଣୀ ସୁନ୍ଦରୀ ସହ ସେ ପ୍ରେମ ଫାଶରେ ଆବଦ୍ଧ ହୋଇଥିବାର ପ୍ରମାଣ ମଧ୍ୟ ବର୍ତ୍ତମାନ ସୁଦ୍ଧା ନାହିଁ । ତେଣୁ ସାଥି ନପାଇବା ବିରହରେ ସେ ଆତ୍ମହତ୍ୟା କରିଛି ନା ଶିକାରୀ କବଳରେ ପଡ଼ିଛି, ଅଥବା ଛଳନାରେ ରହିଛି ତାହା ଏବେ ବନ୍ୟପ୍ରାଣୀ ବିଶାରଦଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।