ଗୋବିନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତ ଲାଗି କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଟିମ୍

Dec 21, 2022 - 06:34
 41
ଗୋବିନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତ ଲାଗି କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଟିମ୍
କଣ୍ଟାବାଞ୍ଜି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଆତ୍ମହତ୍ୟା ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚର ୧୦ ଜଣିଆ ଟିମ୍ ଆଜି କଣ୍ଟାବାଞ୍ଜି ଜେଲରେ ପହଞ୍ଚିଛନ୍ତି। ଫରେନସିକ୍ ଟିମ୍ ସହିତ ଏମାନେ ସେଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେଉଁଭଳି ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟ ଘଟିଲା ତାର ତଦନ୍ତ କରୁଛନ୍ତି ଟିମ୍।ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ନରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲ୍‌ ପରିସରରୁ ମୃତଦେହ ମିଳିଥିଲା। ଏହି ଘଟଣାକୁ କର୍ତ୍ତୃପକ୍ଷ ଆତ୍ମହତ୍ୟା ବୋଲି କହୁଥିଲା ବେଳେ ଗୋବିନ୍ଦଙ୍କର ପରିବାର ଲୋକ ହତ୍ୟା ବୋଲି କହୁଛନ୍ତି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଜେଲ ବିଭାଗ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟାନୁଷ୍ଠାନ ନେଇଛି। ବିଭାଗ ପକ୍ଷରୁ ଜଣେ ଜେଲ୍‌ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। କଣ୍ଟାବାଞ୍ଜି ଜେଲ୍‌ ୱାର୍ଡର ଅକ୍ଷୟ ମହାନ୍ତି ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ନେଇ ସମ୍ବଲପୁର ରେଞ୍ଜ ଜେଲ୍‌ ଡିଆଇଜି ଅନୁସୂୟା ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କାର୍ଯ୍ୟରେ ଅବହେଳା ଯୋଗୁଁ ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।ଶ୍ରୀମତୀ ଜେନା କହିଛନ୍ତି ଯେ, ‌ଗୋବିନ୍ଦ ସାହୁ ଜେଲ୍‌ ପରିସର ଭିତରେ ଥିବା ଡାଇନିଂ ପାଖରେ ଥିବା ଝରକା ପାଖରେ ଆତ୍ମହତ୍ୟା କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଆଜି ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଗୋବିନ୍ଦ ଆତ୍ମହତ୍ୟା କରିଛି। ଘଟଣା ସମୟରେ ଜଣେ ମାତ୍ର ୱାର୍ଡର ଥିଲେ। ଘଟଣାର ତଦନ୍ତ ଚାଲିଛି।