ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Dec 2, 2021 - 09:46
 62
ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ଜୱାଦର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ, କେତେ ପ୍ରଭାବ ପକାଇବ, କେଉଁ କେଉଁ ରାଜ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ଏନଡିଆରଏଫ ଡିଜିଙ୍କଠାରୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ କିଭଳି କ୍ଷତିର ପରିମାଣ କମ୍‌ ହେବ, ବାତ୍ୟା ପୂର୍ବରୁ ଓ ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ କରି ହେବ ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆଗାମୀ ୧୨ଘଂଟାରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ । ୨୪ ଘଂଟାରେ ବାତ୍ୟାରେ ପରିଣତ ହେବ ଏବଂ ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢିବ । ୪ତାରିଖ ସକାଳୁ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ । କିନ୍ତୁ କେଉଁଠି ସ୍ଥଳଭାଗ ଏଯାଏ ସ୍ପଷ୍ଟ ହୋଇନି । ଶେଷ ମୂହୁର୍ତରେ ମଧ୍ୟ ବାତ୍ୟା ଜୱାଦ ଗତିପଥ ପରିବର୍ତନ କରିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମାତ୍ର ଦିନକ ପରେ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ କେଉଁଠି ମାଡ ହେବ ସ୍ପଷ୍ଟ ନହେବା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କେଉଁ ଆଡେ ବାତ୍ୟା ଯିବ ସ୍ପଷ୍ଟ ହୋଇନଥିବାରୁ , ଏହାର ମୁକାବିଲା କରିବାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । କାରଣ କାହାକୁ ସ୍ଥାନାନ୍ତର କରିବ, କେଉଁ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରିବେ ତାହା ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ସେହିପରି ଉଦ୍ଧାରକାରୀ ଟିମ୍‌ ମୁତୟନ ପାଇଁ ମଧ୍ୟ ସମସ୍ୟା ଉପୁଜି ପାରେ ।