ବାତ୍ୟା ଜୱାଦ ମୁକାବିଲା ପାଇଁ ୬୨ ଏନଡିଆରଏଫ ଟିମ୍

Dec 2, 2021 - 09:48
 65
ବାତ୍ୟା ଜୱାଦ ମୁକାବିଲା ପାଇଁ ୬୨ ଏନଡିଆରଏଫ ଟିମ୍
ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ଜୱାଦ ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇ ୪ତାରିଖରେ ଓଡିଶା ଓ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ଆସନ୍ତା ତିନି ତାରିଖରୁ ପବନର ବେଗ ବଢିବା ସହ ବର୍ଷାର ବେଗ ବଢିବାର ସମ୍ଭାବନା ରହିଛି । ପାଣି ପାଗ ବିଭାଗର ସୂଚନା ଅନୁସାରେ ୩ତାରିଖ ଠାରୁ ପବନ ଓ ବର୍ଷାର ବେଗ ବଢିବ ଓ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ୪ତାରିଖ ସକାଳେ ବାତ୍ୟା ଜୱାଦ ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ କିନ୍ତୁ କେଉଁଠି ବାତ୍ୟା ଜୱାଦ ସ୍ଥଳଭାଗ ଛୁଇଁବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି । ପବନର ବେଗ ୧୦୦କିଲୋମିଟରରୁ ଅଧିକ ହେବ ନାହିଁ ବୋଲି ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ୩ ତାରିଖ ମଧ୍ୟରାତ୍ରୀରୁ ପବନର ବେଗ ବଢିବ । ୪ତାରିଖରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । ୪ତାରିଖ ଅପରାହ୍ନରେ ୭୦ ରୁ ୯୦କିମି ବେଗରେ ପବନ ବହିବା ସହିତ ସାମ୍ଭାବ୍ୟ ବାତ୍ୟା ଜୱାଦ ତା’ର ତାଣ୍ଡବ ରଚିବ ବୋଲି କୁହାଯାଉଛି । ତେବେ ସାମ୍ଭାବ୍ୟ ବାତ୍ୟା ଜୱାଦର ପ୍ରଭାବ ଓ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବେଠକ ଡାକିଥିଲେ । ଏଥିରେ ସେ ବାତ୍ୟା ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଆଇଏମଡିଡିଜିଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ତେବେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶା ସମେତ ୫ଟି ରାଜ୍ୟରେ ୬୨ଟି ଏନଡିଆରଏଫ ଟିମ୍କୁ ମୁତୟନ କରାଯାଇଛି । ଓଡିଶା, ଆନ୍ଧ୍ର, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆଣ୍ଡାମାନ ନିକୋବରରେ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ପ୍ରସ୍ତୁତ ଥିବା ସୂଚନା ମିଳିଛି ।