ଶ୍ରୀମନ୍ଦିର ସଂସ୍କାର ଜନଶୁଣାଣୀକୁ ପ୍ରବଳ ବିରୋଧ

Aug 10, 2018 - 19:45
 182
ଶ୍ରୀମନ୍ଦିର ସଂସ୍କାର ଜନଶୁଣାଣୀକୁ ପ୍ରବଳ ବିରୋଧ
ପୁରୀ,୧୦/୮ (ସକାଳଖବର): ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପି୍ରମକୋର୍ଟଙ୍କ ଆଦେଶରେ ରାଜ୍ୟ ସରକାର ଗଠନ କରିଥିବା ତିନି ଜଣଅିଆ କମିଟି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଜନଶୁଣାଣୀ କରିଛନ୍ତି । କମିଟିର ଅଧ୍ୟକ୍ଷ ଭାବେ ଜଳ ସମ୍ପଦ ଶାସନ ସଚିବ ତଥା ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର, କେନ୍ଦ୍ରାଂଚଳ ଆଇ.ଜି ସୌମେନ୍ଦ୍ର ପ୍ରିୟଦର୍ଶି ଓ ପ୍ରାକ୍ତନ ଶ୍ରୀମନ୍ଦିର ପ୍ରଶାସକ ମହିମୋହନ ତ୍ରିପାଠୀ ଜନ ଶୁଣାଣି କରିଥିଲେ । ବିଭିନ୍ନ ସେବାୟତ ସଂଗଠନ, ଗଣ ସଂଗଠନ ଓ ବ୍ୟକ୍ତି ବିଶେଷ ଏହି କମିଟିକୁ ବିରୋଧ କରିବା ସହ ଦ୍ୱାର ମୁହଁରେ ଧାରଣାରେ ବସିଥିଲେ । ବିଭିନ୍ନ ମଠ ମହନ୍ତ, ସେବାୟତମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ । ଶ୍ରୀମନ୍ଦିରକୁ ରାଜନୈତିକ ଚାପରୁ ମୁକ୍ତି କରିବା ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ । ଜନଶୁଣାଣୀକୁ ସର୍ବ ସାଧାରଣଙ୍କ ଆଗରେ କରାନଯାଇ ଜଣେ ଜଣେ ଲୋକଙ୍କୁ ଡାକିବାରୁ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା । ଧାଡ଼ି ଦର୍ଶନ ଓ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ କେତେକ ମତ ଦେଇଥିବା ସହ କମିଟି ମଧ୍ୟ ଏ ସମ୍ପର୍କରେ ମତ ଶୁଣିଥିଲେ । ୧୨ଟି ପ୍ରସ୍ତାବ ଉପରେ ଅ୍ରନେକ ଲୋକ ମତ ଦେଇଥିଲେ । ଏହାକୁ ବିରୋଧ କରି କେତେକ ସେବାୟତ ଫେରିଯାଇଥିଲେ । ସେମାନେ ସବୁ ମନ୍ଦିର ଚାବି ନେଇ ଗଜପତି ମହାରାଜାକୁ ପ୍ରଦାନ କରି ଦେବେ ବୋଲି ଧମକ ଦେଇଥିଲେ । ପ୍ରଥମେ ଜଟଣୀ ଖୋର୍ଦ୍ଧାର ସତ୍ୟବାନ ଜୟସିଂ ଜନଶୁଣାଣୀକୁ ଯାଇଥିଲେ । ପରେ ରାଜାରାମ ଖୁଂଟିଆ, ମନୋଜ ଦାସ ମହାପାତ୍ର, ଦେବାଶିଷ ଷଡ଼ଙ୍ଗି, ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ଦୁର୍ଗାମାଧବ ପଣ୍ଡାଙ୍କ ସମେତ କେତେକ ସେବାୟତ ଦାନ ଦକ୍ଷିଣା ସମ୍ପର୍କରେ ମତ ଦେଇଥିଲେ । ବଡ଼ ଦାଣ୍ଡରେ ମଧ୍ୟ କେତେକ ସଂଗଠନ ଦୁଇ ବସ୍ତା ଚାଉଳ ରଖି ଶ୍ରୀମନ୍ଦିରକୁ ଦାନ ଦେଉଛୁ ଦକ୍ଷିଣା କାହାକୁ ଦେବୁ କହି ହୋ ହଲ୍ଲା କରିଥିଲେ । ଏହି ଜନ ଶୁଣାଣୀରେ ରାଜ୍ୟ ଓ ଦେଶର ବିଭିନ୍ନ ଲୋକ ମତ ଦେବାପାଇଁ ସେଠାରେ ଆଲୋଚନା ହୋଇଥିଲା । ବିଶେଷ କରି ଟିକେଟ୍ ଦର୍ଶନ ଓ ଧାଡ଼ି ଦର୍ଶନକୁ ଅନେକ ବିରୋଧ କରିଥିଲେ । ଶୁଣାଣି ପରେ ଏହି କମିଟି ଜିଲ୍ଲା ଜଜ୍ କୁ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲା ଜଜ୍ ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ।