ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ଦେଢ଼ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରତିଶ୍ରୁତି

Nov 12, 2018 - 19:17
 161
ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ଦେଢ଼ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରତିଶ୍ରୁତି
ଭୁବନେଶ୍ଶ୍ୱର, ୧୨/୧୧ (ସକାଳଖବର) ଭୁବନେଶ୍ୱର : ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ରେ ଏଯାଏଁ ମିଳିଛି ପ୍ରାୟ ଦେଢ଼ ଲକ୍ଷ କୋଟିରୁ ଉଦ୍ଧ୍ୱର୍ ନିବେଶ ପ୍ରତିଶ୍ରୁତି । ଜିନ୍ଦଲ ଗ୍ରୁପ ୫୫ ହଜାର କୋଟି ନିବେଶର ପ୍ରତିଶ୍ରୁତି ଦେଇଥିବାବେଳେ ରିଲିୟାନ୍ସ ୩ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ସେହିପରି ଟାଟା ସନ୍ସ ୨୫ ହଜାର କୋଟି ଟଙ୍କା, ବେଦାନ୍ତ ୧୫ ହଜାର କୋଟି ଟଙ୍କା, ଆଦିତ୍ୟ ବିର୍ଲା ୧୪ ହଜାର କୋଟି ଟଙ୍କା ଓ ସେଲ ୪୧ ହଜାର କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଅପରପକ୍ଷରେ ଧାମରାରେ ଏୟାର ଷ୍ଟ୍ରିପ ପାଇଁ ଆଦାନୀ ଗ୍ରୁପ ୫୦୦ କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିବାବେଳେ ଆଇଟିସି ୫୫୦କୋଟି ଓ ବି୍ରଟାନିଆ ମଧ୍ୟ ୬୦ କୋଟିର ନିବେଶ ପାଇଁ ଘୋଷଣା କରିଛି । କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିମାନଙ୍କ ପ୍ରଶ୍ନର ସିଧାସଳଖ ଉତର ରଖିଥିଲେ । ଅନୀଲ ଅଗ୍ରୱାଲ ପର୍ୟ୍ୟଟନ ସମ୍ପର୍କରେ ପ୍ରଶ୍ନ କରିଥିବାବେଳେ ସଜ୍ଜନ ଜିନ୍ଦଲ ଦକ୍ଷତା ବିକାଶ ସମ୍ପର୍କରେ ପ୍ରଶ୍ନ କରିଥିଲେ । ସେହିପରି ଗୀତା ରେଡ୍ଡୀ ପରିବେଶ ନୀତି ସମ୍ପର୍କରେ ପ୍ରଶ୍ନ କରିଥିବାବେଳେ ମୁକେଶ ଅମ୍ବାନୀ ରାଜ୍ୟ ସରକାର କେଉଁ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି ଓ ରାଜ୍ୟର କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ଆମ ଭଳି ଶିଳ୍ପ ସଂସ୍ଥାଗୁଡ଼ିକ କିଭଳି ଯୋଗଦାନ ରଖିପାରିବେ ସେନେଇ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପପତିମାନଙ୍କ ପ୍ରଶ୍ନର ଉତର ଦେଇଥିଲେ । ଗତକାଲି ଉଦଘାଟିତ ହୋଇଥିଲା ମେକ ଇନ ଓଡ଼ିଶା କନକ୍ଲେଭ । ହେଲେ ଆଜି ଆରମ୍ଭ ହୋଇଥିଲା ଅସଲ ପର୍ୟ୍ୟାୟ । ଏହି କନକ୍ଲେଭରେ ମୁକେଶ ଅମ୍ବାନୀ, କୁମାର ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, ନବୀନ ଜିନ୍ଦଲ, ଟାଟା ସନ୍ସ ମୁଖ୍ୟ ଏନ ଚନ୍ଦ୍ରଶେଖରନ, ଜେଏସଡବ୍ଲୁ୍ୟ ମୁଖ୍ୟ ସଜ୍ଜନ ଜିନ୍ଦଲ, ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର, ସେଲ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ, ଆଇଟିସି ଏମଡ଼ି ସଂଜୀବ ପୁରୀ, ନାଲକୋ ସିଏମଡ଼ି ତପନ ଚାନ୍ଦ, ଆଦାନୀ ପୋର୍ଟସର ସିଇଓ କରନ ଆଦାନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ କହିଥିଲେଯେ, ଆଲୁମିନିୟମ କାରଖାନା ପାଇଁ କମ୍ପାନୀ ଓଡ଼ିଶାରେ ୫୦୦୦୦ କୋଟି ନିବେଶ କରି ସାରିଥିବାବେଳେ ଆଉ ୧୫ ହଜାର କୋଟି ଟଙ୍କା ନିବେଶ କରିବୁ । ସମ୍ପ୍ରସାରଣ ପାଇଁ ଆସନ୍ତା ୩ ବର୍ଷରେ ଏହି ଅର୍ଥ ନିବେଶ ହେବ । ସେହିପରି ଲାଞ୍ଜିଗଡ଼ କାରଖାନାର ସାମର୍ଥ୍ୟ ୧ ନିୟୂତ ଟନରୁ ୬ ନିୟୂତ ଟନକୁ ବୃଦ୍ଧି କରାଯିବ । ପ୍ରଥମ ପର୍ୟ୍ୟାୟରେ ୧ ନିୟୂତ ଟନରୁ ୪ ନିୟୂତ ଟନକୁ ରିଫାଇନାରୀ ସମ୍ପ୍ରସାରଣ ପାଇଁ ଆଜି ଶିଳାନ୍ୟାସ ମଧ୍ୟ କରାଯାଇଥିଲା । ସେହିପରି ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ । ଇତିମଧ୍ୟରେ କମ୍ପାନୀ ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଥିବାବେଳେ ଆଉ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛି ବୋଲି କହିଥିଲେ । ସେହିପରି ଆଦିତ୍ୟ ବିର୍ଲା ପକ୍ଷରୁ ୧୪ ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିଲା । କମ୍ପାନୀର ସିଏମଡ଼ି କୁମାର ମଙ୍ଗଲମ ବିର୍ଲା ଏହି ଘୋଷଣା କରିଥିଲେ । ନବୀନଙ୍କୁ ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ପୂର୍ବରୁ ଆଦିତ୍ୟ ବିର୍ଲା ଓଡ଼ିଶାରେ ୪୦ ହଜାର କୋଟି ନିବେଶ କରିଥିବାବେଳେ ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିକରିଛି । ଆଗାମୀ ଦିନରେ କମ୍ପାନୀ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ବୋଲି ବିର୍ଲା କହିଥିଲେ । ସେହିପରି ମଚେଂଶ୍ୱରରେ କମ୍ପାନୀ ପକ୍ଷରୁ ହେବାକୁ ଥିବା ବୟନ ଶିଳ୍ପ ୟୁନିଟର ଶିଳାନ୍ୟାସ ମଧ୍ୟ କନକ୍ଲେଭରେ କରାଯାଇଥିଲା । ମୁକେଶ ଅମ୍ବାନୀଙ୍କ ରିଲିୟାନ୍ସ ଇଣ୍ଡଷ୍ଟି୍ର ୩ ହଜାର କୋଟିର ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । କମ୍ପାନୀ ଇତିମଧ୍ୟରେ ଓଡ଼ିଶାରେ ୬ ହଜାର କୋଟି ନିବେଶ କରିଥିବାବେଳେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି ବୋଲି ସେ କହିଥିଲେ । ଟାଟା ଷ୍ଟିଲର କଳିଙ୍ଗନଗର କାରଖାନା ସମ୍ପ୍ରସାରଣର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଏହାଦ୍ୱାରା ରାଜ୍ୟରେ ଟାଟାର ନିବେଶ ୧ ଲକ୍ଷ କୋଟି ଛୁଇଁପାରିବ । ଅପରପକ୍ଷରେ ଜେସପିଏଲର ନବୀନ ଜିନ୍ଦଲ ୫୫ ହଜାର କୋଟିର ପ୍ରତିଶ୍ରୁତି ଦେଇଥିଲେ । ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ୨୦୩୦ ସୁଦ୍ଧା ୨୦ ନିୟୂତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ରାଷ୍ଟ୍ରାୟତ ଉଦ୍ୟୋଗ ସେଲ ୪୧ ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଦେଇଥିବାବେଳେ ରାଉରକେଲା କାରଖାନାର କ୍ଷମତା ୪ରୁ ୧୦ ନିୟୂତ ଟନକୁ ବୃଦ୍ଧି ପାଇବାର ଲକ୍ଷ୍ୟ ରଖାଯାଇଛି । ସେହିପରି ଆଦାନୀ ଗ୍ରୁପ ଧାମରା ଏୟାରଷ୍ଟ୍ରିପ ପାଇଁ ୫ ଶହ କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି । ଆଇଟିସି ୫୫୦ କୋଟି ନିବେଶର ପ୍ରତିଶ୍ରୁତି ଦେଇଥିବାବେଳେ ବ୍ରିଟାନିଆ ୬୦ କୋଟି ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିଲା । ସେହିପରି ୨୫ ଶହ କୋଟି ଟଙ୍କା ବ୍ୟୟରେ ଡାଲମିଆ ଭାରତ ଗ୍ରୁପ ରାଜଗାଙ୍ଗପୁର ଓ କପିଳାସ ସିମେଂଟ କାରଖାନାର ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରଖିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେଯେ, ୨୦୧୬ରେ ଅନୁଷ୍ଠିତ ମେକ ଇନ ଓଡ଼ିଶାର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କାର ୧୨୪ଟି ନିବେଶ ପ୍ରସ୍ତାବ ଆସିଥିଲା । ଏହାଦ୍ୱାରା ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଥିଲା । ଏଥିମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ପ୍ରକଳ୍ପ ବିଭିନ୍ନ ପର୍ୟ୍ୟାୟରେ କାର୍ୟ୍ୟାନ୍ୱୟନ ହେଉଛି । ଖଣିଜ ଉପôାଦ ଓ ପ୍ରକ୍ରିୟାକରଣରେ ଓଡ଼ିଶା ହେଉଛି ଦେଶର ଅଗ୍ରଣୀ ରାଜ୍ୟ । ଏବେ ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ ରାଜଧାନୀ ଭାବେ ପରିଗଣିତ ହେଉଥିବାବେଳେ ଭାରତର ଷ୍ଟିଲ ହବ ଭାବେ ଉଭା ହୋଇଛି । ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଓଡ଼ିଶା ଶିଳ୍ପ ବିକାଶ ଯୋଜନା : ଭିଜନ ୨୦୨୫ ପ୍ରଣୟନ କରିଛନ୍ତି । ୨୦୨୫ ସୁଦ୍ଧା ଏକ୍ଷେତ୍ରରେ ୨ ଲକ୍ଷ ୫୦ ହଜାର କୋଟିର ପୁଞ୍ଜନିବେଶ ସହ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବବୋଲି ଲକ୍ଷ୍ୟ ରଖାଯାଇଛି । ସେହିପରି ଏରୋସ୍ପେଶ ଓ ପ୍ରତିରକ୍ଷା ନିର୍ମାଣ ନୀତି ମଧ୍ୟ ପ୍ରଣୟନ କରାଯାଇଛି । ବନ୍ଦର ଭିତିକ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ପାରାଦୀପ ଓ ଧାମରା ବ୍ୟତିରେକ ସୁବର୍ଣ୍ଣରେଖା ଓ ଗୋପାଳପୁରରେ ଗଭୀର ଜଳ ବନ୍ଦର ଓ ମହାନଦୀରେ ନଦୀ ଭିତିକ ବନ୍ଦରର ପରିକଳ୍ପନା କରାଯାଇଛି । ଦକ୍ଷତା ବିକାଶରେ ଗତ ଦୁଇବର୍ଷ ଧରି ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଆସୁଛି । ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷ ୫୦ ହଜାର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଲକ୍ଷ୍ୟ ରହିଥିବାବେଳେ ୧୪ ଶହ କୋଟିର ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ରୂପାୟନ କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ ନୀତି ନିବେଶକଙ୍କର ଗ୍ରହଣୀୟ ହୋଇପାରିଛି । ଗତ ୧୮ ମାସ ମଧ୍ୟରେ ୩୧୦ ଷ୍ଟାର୍ଟ ଅପ ପଞ୍ଜୀକୃତ ହୋଇଥିବାବେଳେ ୪୦ ଷ୍ଟାର୍ଟଅପକୁ ସହାୟତା ଯୋଗାଇ ଦିଆଯାଇଛି । ଅପରପକ୍ଷରେ ୨୦୧୪-୧୫ରୁ ଏଯାବତ ୨ ଲକ୍ଷ ୨୫ ହଜାର ଏମଏସଏମଇ ଉପôାଦନକ୍ଷମ ହୋଇଥିବାବେଳେ ୬ ଲକ୍ଷ ୭୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ।