ଶ୍ରୀମନ୍ଦିର ରେ କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନିତୀ

Sep 3, 2021 - 05:35
 92
ଶ୍ରୀମନ୍ଦିର ରେ  କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନିତୀ
ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଛି। ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ ତାହାର ସ୍ମାରକ ରୂପେ ଏହି ବେଶ ହୁଏ । ଶୁକ୍ରବାରମହାପ୍ରଭୁଙ୍କ ବିଜେପ୍ରତିମା ମଦନମୋହନ ଓ ରାମକୃଷ୍ଣ ମାର୍କଣ୍ଡପୋଖରୀ ପାଖକୁ ଯାଇ ସେଠାରେ କାଳୀୟଦଳନ ନୀତି ସମ୍ପାଦନ କରିଥିଲେ।ରତ୍ନସିଂହାସନରେ ବେଶ ଉପଚାର ଆରମ୍ଭ ହେବା ପୂର୍ବରୁ ଜଗନ୍ନାଥଙ୍କ ଅଷ୍ଟଧାତୁ ନିର୍ମିତ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଲବଣଖିଆ ଛକଦେଇ ମାର୍କଣ୍ଡେୟ ପୋଖରୀ କୂଳକୁ ନିଆଯାଇଥିଲା । ସରୋବରସ୍ଥ ଦୀପଦାଣ୍ଡି ମଣ୍ଡପରେ ରୂପକାରଙ୍କଦ୍ୱାରା କାଷ୍ଠ ନିର୍ମିତ ଏକ କାଳୀୟନାଗକୁ ସଜ୍ଜିତ କରି ରଖାଯାଇଥିଲା । ସେଇ କାଳୀୟକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣବେଶରେ ଓ ଅନ୍ୟଜଣେ ବ୍ୟକ୍ତି ଗରୁଡ଼ ବେଶରେ ପ୍ରସ୍ତୁତ ହୋଇ ଥିଲେ । ଭାଗବତ ବର୍ଣ୍ଣିତ କାଳୀୟଦଳନର ମଧ୍ୟକାଳେ କାଳୀୟଦ୍ୱାରା କବଳିତ ହୋଇ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସ୍ମରଣ କରିଥାନ୍ତି । ଗରୁଡ଼ ବେଶରେ ଥିବା ବ୍ୟକ୍ତି ଜଣକ ଆବିର୍ଭାବ ହୋଇ ଶ୍ରୀକୃଷ୍ଣଙ୍କୁ କାଳୀୟର ବନ୍ଧନରୁ ମୁକ୍ତ କରିବା ସହ ବିଷମୁକ୍ତ ହେବା ନିମନ୍ତେ ତାଙ୍କ ପାଟିରେ ଅମୃତ ଲଡୁ ଦେଇଥାନ୍ତି । ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ସାତଗୋଟି ଫଣାଥିବା ଗୋଟିଏ କଳାନାଗ ଉପରେ ନାଚୁଥିବା ପରି ପ୍ରଦର୍ଶିତ କରାଯାଇଥିଲା । କାଳୀୟନାଗଟିକୁ ରୂପକାରମାନେ ବେତ, କଳାକନା ଓ ସୂତାରେ ଦରଜିମାନଙ୍କ ସହାୟତାରେ ନିର୍ମାଣ କରିଥିଲେ । ଏହି ବେଶପାଇଁ ଜଗନ୍ନାଥ ଓ ବଳଭଦ୍ରଙ୍କ ବିଗ୍ରହରେ କାଷ୍ଠ ନିର୍ମିତ ହସ୍ତ ପଦଯୁକ୍ତ କରାଯାଇ ଥିଲା। ବଳଭଦ୍ର ହସ୍ତଦ୍ୱୟରେ ହଳ ଓ ମୁଷଳ ଧାରଣ କରିଥିଲେ ଏବଂ ତାଙ୍କ ସମ୍ମୁଖରେ ଥିଲା କାଷ୍ଠ ନିର୍ମିତ ଗାଈ ଓ ବାଛୁରୀ । ଶ୍ରୀଜଗନ୍ନାଥଙ୍କ ପାଦ କାଳୀୟର ମସ୍ତକ ଉପରେ ଥିବା ବେଳେ ବାମ ହାତରେ କାଳୀୟର ଲାଞ୍ଜ ଓ ଶୋଲ ନିର୍ମିତ ଶିଙ୍ଗା ଧରିଥିଲେ । ଅନ୍ୟ ହାତରେ ସୋଲ ନିର୍ମିତ ପ୍ରସ୍ଫୁଟିତ ପଦ୍ମଫୁଲଟିଏ ଧରିଥିଲେ । କାଳୀୟ ମର୍ଦ୍ଦନ କରୁଥିବା ଜଗନ୍ନାଥଙ୍କ ଦୁଇପାର୍ଶ୍ୱରେ କାଷ୍ଠ ନିର୍ମିତ ଦୁଇଟି ନାଗୁଣୀ ମୂର୍ତ୍ତି ପ୍ରାର୍ଥନା କରୁଥିବା ଭଙ୍ଗୀରେ ରଖାଯାଇଥିଲା ।