ଶସ୍ତା ହେବ ଖାଇବା ତେଲ, ଆଜିଠୁ ଶୁଳ୍କମୁକ୍ତ ଆମଦାନୀ

May 25, 2022 - 05:48
 48
ଶସ୍ତା ହେବ ଖାଇବା ତେଲ, ଆଜିଠୁ ଶୁଳ୍କମୁକ୍ତ ଆମଦାନୀ
ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ସାଧାରଣ ଲୋକ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦର ଯୋଗୁ ବିଗିଡ଼ି ଯାଉଛି ଘରର ବଜେଟ। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। କିଛି ଦିନ ପୂର୍ବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଥିବା କେନ୍ଦ୍ର ସରକାର ଏବେ ଖାଇବା ତେଲ ଦରକୁ କମାଇବାକୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ। ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ ଲେଖାଏ ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖି ତେଲ ଉପରୁ ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ଖାଇବା ତେଲର ଅହେତୁକ ଦାମ୍ ବୃଦ୍ଧିକୁ ଦେଖି କେନ୍ଦ୍ର ଟିକସ ଛାଡ଼ ପାଇଁ ନିଷ୍ପତ୍ତି ନେଇଛି। ୟୁକ୍ରେନ ଏବଂ ରୁଷିଆରୁ ଭାରତ ନିଜ ଆବଶ୍ୟକତାର ପ୍ରାୟ ୯୦% ତେଲ ଆମଦାନୀ କରିଥାଏ। ରୁଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଗତ ଦୁଇମାସ ଧରି ଭାରତୀୟ କମ୍ପାନୀ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିବା ପାଇଁ ନୂତନ ଦେଶ ଏବଂ ବଜାର ଖୋଜୁଥିଲେ। ଯୁଦ୍ଧ ଯୋଗୁ ଖାଇବା ତେଲ ଆମଦାନୀ ପ୍ରଭାବିତ ହୋଇଥିବାରୁ ଦର ବଢ଼ି ଲୋକଙ୍କୁ ଅତିଷ୍ଠ କରିଛି। ହେଲେ ଏବେ ସେଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ଆଶା ସଞ୍ଚାର ହୋଇଛି।