ବିଧାୟକଙ୍କ ପୁତ୍ର ଓ ପତ୍ନୀଙ୍କ ମାମଲାରେ ଏତଲାକାରୀଙ୍କୁ ନୋଟିସ

May 18, 2018 - 15:08
 168
କଟକ,୧୮ା୫(ସକାଳଖବର): ନିମ୍ନ ଅଦାଲତର କଗ୍ନିଜାନ୍ସକୁ ଚାଲେଞ୍ଜ କରି ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପତ୍ନୀ ନମିତା ତିର୍କୀ ଓ ପୁତ୍ର ରାକେଶ ଜୋସ ତିର୍କୀ ହାଇକୋର୍ଟରେ ଦାୟର କରିଥିବା ମାମଲା ଉପରେ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏତଲାକାରୀଙ୍କୁ ନୋଟିସ ଜାରି କରି ଜବାବ ରଖିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଗ୍ରୀଷ୍ମ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଶ୍ୱରଞ୍ଜନ ଦଳାଇ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ମାମଲାରେ ରାଉରକେଲା ଏସଡିଜେଏମ କୋର୍ଟ ଆଇପିସି ୩୭୬, ୫୦୬ ଦଫାକୁ ନେଇ କଗ୍ନିଜାନ୍ସ ନେଇଥିଲେ । ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଏହି ମାମଲାରେ ଆଇପିସି ୪୯୩ଦଫାରେ ମାମଲା ଚାଲିବା ପାଇଁ ପ୍ରାର୍ଥନା କରି ଏହି ମାମଲା ରୁଜୁ କରିଥିଲେ । ଏଠାରେ ସୂଚନାଯୋଗ୍ୟ, ଛତିଶଗଡ଼ର ବିଳାସପୁରସ୍ଥିତ ଏକ ବ୍ୟାଙ୍କରେ କାର୍ଯ୍ୟରତ ରାକେଶଙ୍କ ବିରୋଧରେ ୨୦୧୭, ସେପ୍ଟେମ୍ବର ମାସ ୭ ତାରିଖରେ ରାଉରକେଲା ସେକ୍ଟର-୧୫ରେ ରହୁଥିବା ଜଣେ ଯୁବତୀ ସ୍ଥାନୀୟ ମହିଳା ଥାନାରେ ଏତଲା ଦେଇଥିଲେ ।