ରେଭେନ୍ସା ସାଇନ୍-ଏ-ଡାଏ ପ୍ରସଙ୍ଗରେ ମାନବାଧିକାର କମିସନଙ୍କ ନୋଟିସ୍

May 25, 2018 - 11:45
 188
ରେଭେନ୍ସା ସାଇନ୍-ଏ-ଡାଏ ପ୍ରସଙ୍ଗରେ ମାନବାଧିକାର କମିସନଙ୍କ ନୋଟିସ୍
କଟକ,୨୪ ।୫(ସକାଳଖବର): ଚଳିତ ମାସ ୮ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିନାକାରଣରେ ସାଇନ୍-ଏ-ଡାଏ ଘୋଷଣା କରିଥିବା ବେଳେ ଏହାକୁ ନେଇ ରାଜ୍ୟ ମାନବାଧିକାର କମିସନ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ନୋଟିସ କରିଛନ୍ତି । ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଆରତୀ ମେହେରଙ୍କ ଦ୍ୱାରା ଦାୟର ଯାଚିକାରେ ଦର୍ଶାଯାଇଛି ଯେ ରେଭେନ୍ସା କର୍ତ୍ତୃପକ୍ଷ ଚଳିତବର୍ଷ ଆବେଦନ ଫର୍ମଠାରୁ ଆରମ୍ଭ କରି ଆଡ୍ମିଶନ୍, ରିଆଡ୍ମିଶନ୍ ଫ୍ି, ଏଷ୍ଟାବ୍ଲିସ୍ମେଣ୍ଟ ଫ୍ି ପରି ଅନେକ ଫ୍ିକୁ ବୃଦ୍ଧି କରିଥିଲେ । ଏହାକୁ ବିରୋଧ କରି ଗତ ୮ତାରିଖରେ କରି ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ୧୧ଘଣ୍ଟା ଧରି ଧାରଣା ଦେଇଥିଲେ । ମାତ୍ର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସହିତ କୌଣସି ଆଲୋଚନା ନକରି ରାତି ୯ଟା ୪୫ରେ ସାଇନ୍-ଏ-ଡାଏ ଘୋଷଣା କରିଥିବାର ଦର୍ଶାଯାଇଛି । କର୍ତ୍ତୃପକ୍ଷଙ୍କ ଏହି କାର୍ଯ୍ୟକଳାପ ଭାରତ ଭଳି ଏକ ଗଣତାନ୍ତ୍ରିକ ଓ ଜନମଙ୍ଗଳ ରାଷ୍ଟ୍ରରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ, ପ୍ରତିବାଦ କରିବାର ଓ ମାନବାଧିକାର ଅଧିକାରକୁ ଖନନ କରୁଥିବା ଦର୍ଶାଯାଇଥିଲା । ଏହି ପରିସ୍ଥିତିରେ ପ୍ରତ୍ୟେକ ପୀଡିତ ଛାତ୍ରଛାତ୍ରୀଙ୍କୁ ଦଶହଜାର ଟଙ୍କା କ୍ଷତିପୂରଣ ଦେବା ଏବଂ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କର୍ତ୍ତୃପକ୍ଷଙ୍କ ବିରୋଧ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନଙ୍କ ନିକଟରେ ନିବେଦନ କରାଯାଇଛି । ଏହାକୁ ବିଚାର କରି କମିସନ୍ ଜୁନ୍ ୨୯ ତାରିଖ ସୁଦ୍ଧା ଏ ବାବଦରେ ଜବାବ ରଖିବାକୁ କୁଳସଚିବଙ୍କୁ ନୋଟିସ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ଓ ଚିତ୍ତରଞ୍ଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି । ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ କମିସନଙ୍କ ଏହି ପଦକ୍ଷେପକୁ ସତ୍ୟ ରାୟ, ଯୁଗଳ କିଶୋର ନାୟକ, ପ୍ରଶାନ୍ତ ଦାସ, କ୍ଷୀରୋଦ ମହାପାତ୍ର, ପ୍ରଶାନ୍ତ ପଣ୍ଡା, ସିଦ୍ଧାର୍ଥ ରଥ, ଆଇନଜୀବୀ ସୁକାନ୍ତ ନାୟକ, ଖଗେଶ୍ୱର ସେଠୀ ପ୍ରମୁଖ ଏହାକୁ ସ୍ୱାଗତ କରିବା ସହ କମିସନ ପୀଡିତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବେ ବୋଲି ଆଶା କରିଛନ୍ତି