ଓଡ଼ିଶାର ୯୦% କୃଷକ ପରିବାର ଋଣଗ୍ରସ୍ତ

Aug 30, 2018 - 19:53
 225
ଓଡ଼ିଶାର ୯୦% କୃଷକ ପରିବାର ଋଣଗ୍ରସ୍ତ
ଭୁବନେଶ୍ୱର,୩୦/୮ (ସକାଳଖବର):ଓଡ଼ିଶାର ୯୦ ପ୍ରତିଶତରୁ ଅଧିକ ଚାଷୀ ପରିବାର ଋଣଗ୍ରସ୍ତ । ସେମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା ଏବଂ ସାଉକାରମାନଙ୍କ ଠାରୁ ଚାଷପାଇଁ ଋଣ ନେଇଛନ୍ତି । କିନ୍ତୁ ଚାଷରୁ ସେମାନେ ଯେତିକି ଆୟ କରୁଛନ୍ତି ତାହା ପରିବାର ପ୍ରତିପୋଷଣ କରିବା ପରେ ଋଣ ପରିଶୋଧ କରିବାକୁ ନିଅଂଟ ହେଉଛି । ସେଥିପାଇଁ ଅନେକ ସମୟରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି । ସରକାର କେବଳ ଯୋଜନା ପରେ ଯୋଜନା ଘୋଷଣା କରିବାରେ ଲାଗିଥିବାବେଳେ ଜନସାଧାରଣଙ୍କ ପ୍ରକୃତ ସମସ୍ୟା ସମ୍ପର୍କରେ ଅବଗତ ହୋଇତାହାର ସମାଧାନ ଦିଗରେ ତିଳେହେଲେ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏକ ବିବୃତିରେ ସେ କହିଛନ୍ତି ଯେ ଜାତୀୟ କୃଷି ଓ ଗ୍ରାମ୍ୟ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟର ୫୪ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ ଅଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ ପରିବାର ଋଣ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ମୁଖ୍ୟଭାଗ ଚାଷୀ ସମବାୟ ଅଥବା ରାଷ୍ଟ୍ରାୟତ ବ୍ୟାଙ୍କରୁ ଋଣ ନେଇଥିବାବେଳେ ଆଉ କିଛି ଚାଷୀ ସେମାନଙ୍କ ସମ୍ପର୍କୀୟ, ବନ୍ଧୁବାନ୍ଧବ ଏବଂ ସାଉକାରଙ୍କ ଠାରୁ ଋଣ ନେଇଛନ୍ତି । ଚାଷରୁ ହେଉଥିବା ଆୟ ସେମାନଙ୍କ ପରିବାର ଚଳାଇବାକୁ ଯଥେଷ୍ଟ ହେଉନଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଋଣ ଅର୍ଥ ପରିଶୋଧ କରିପାରୁନାହାନ୍ତି । ଏହି କାରଣରୁ ଅନେକ ସମୟରେ ଚାଷୀ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛିନେଉଥିବା ଶ୍ରୀ ପଟ୍ଟନାୟକ ୍ରଅଭିଯୋଗ କରିଛନ୍ତି । ସେ କହିଛନ୍ତି, ସାଉକାରଙ୍କ ଠାରୁ ନିଆଯାଉଥିବା ଋଣ ଏବଂ ହାତ ଉଧାର କ୍ଷେତ୍ରରେ ଚାଷୀମାନେ ନାନା ନିର୍ଯାତନାର ଶିକାର ହେଉଛନ୍ତି । ଚାଷପାଇଁ ଉଚିତ ସମୟରେ ବିହନ, ସାର, କୀଟନାଶକ ନମିଳିବା ଏବଂ ଉପôାଦିତ ଫସଲର ଉଚିତ ମୂଲ୍ୟ ସେମାନଙ୍କୁ ମିଳୁନାହିଁ । ପିସିସି ସଭାପତି କହିଛନ୍ତି, ରାଜ୍ୟର ଋଣ ବୋଝ ପ୍ରାୟ ୯୨ ହଜାର କୋଟି ଟଙ୍କାରେ ପହଂଚିଲାଣି । ଏହା ରାଜ୍ୟର ମୋଟ ଘରୋଇ ଉପôାଦନ (ଜିଏସ୍ଡ଼ିପି)ର ପାଖାପାଖି ୨୦.୭୩ ପ୍ରତିଶତ । ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୦୯-୧୦ରେ ରାଜ୍ୟର ଋଣଭାର ୩୭,୭୩୦ କୋଟି ଟଙ୍କା ଥିବାବେଳେ ୨୦୧୪-୧୫ରେ ତାହା ୪୩,୨୭୩ କୋଟି ଟଙ୍କାକୁ ବୃଦ୍ଧିପାଇଥିଲା । ଏବେ ତାହା ୯୨ ହଜାର କୋଟି ଟଙ୍କାରେ ପହଂଚିଛି ।