ଯୁଦ୍ଧ: ଚିନ୍ତା ପ୍ରକଟ କଲା ଭାରତ

Feb 24, 2022 - 05:09
 61
ଯୁଦ୍ଧ: ଚିନ୍ତା ପ୍ରକଟ କଲା ଭାରତ
ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। ଏଥିସହ ଦୁଇ ଦେଶକୁ ଯୁଦ୍ଧରୁ ବିରତ ରହି ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରିଛି। ମିଳିତ ଜାତିସଂଘରେ ଥିବା ଭାରତ ସ୍ଥାନୀୟ ସଦସ୍ୟ ଟିଏସ୍ ତିରୁମୂର୍ତ୍ତି ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାର ସମାଧାନ ତୁରନ୍ତ ହେବା ଜରୁରୀ। ତୁରନ୍ତ ପଦକ୍ଷେପ ନିଆ ନଗଲେ ଅନ୍ତର୍ଜାତୀୟ ସୁରକ୍ଷା ଆହୁରି ବିପଦପୂର୍ଣ୍ଣ ସ୍ଥିତିକୁ ଚାଲି ଆସିବ। ସବୁ ପକ୍ଷଙ୍କ ସୁରକ୍ଷାକୁ ବିଚାରକୁ ନେଇ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ପଦକ୍ଷେପ ନିଅନ୍ତୁ। ବିବାଦର ସମାଧାନ କୂଟନୀତିକ ସ୍ତରରେ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ,ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ପଶ୍ଚିମ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି। ପୁଟିନ କହିଛନ୍ତି, ମସ୍କୋ କେବେ ହେଲେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହିଁ। ୟୁକ୍ରେନ ପଟୁ ବଢ଼ୁଥିବା ଧମକର ଉଚିତ ଜବାବ ଓ କିଭ୍‌ କରୁଥିବା ସାମରିକ ପଦକ୍ଷେପର ମୂଳପୋଛ କରିବାକୁ ଏପରି ପଦକ୍ଷେପ ନିଆଯାଉଛି। ଏଥପାଇଁ ଆମେ ମିଲିଟାରୀ ଅପରେସନର ନିଷ୍ପତ୍ତି ନେଇଛୁ। ଏବେ ସୀମାରେ ୟୁକ୍ରେନ ଓ ରୁଷ ଯବାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ତେଣୁ ସୁରକ୍ଷା ଚାହୁଁଥିଲେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି। ଏଥିସହ ସେ ବାହାର ରାଷ୍ଟ୍ରଗୁଡ଼ିକୁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ପୁଟିନ କହିଛନ୍ତି, ଯଦି କେହି ଏହି ବିବାଦ ଭିତରେ ହସ୍ତକ୍ଷେପ କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇତିହାସରେ କେହି କେବେ ଯାହା ସମ୍ମୁଖୀନ ହୋଇ ନଥିବେ, ଏବେ ସେମାନଙ୍କୁ ସେଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପ୍ରତି ସମସ୍ତେ ସତର୍କ ରୁହନ୍ତୁ। ଆମେ ସବୁ ପ୍ରକାରର ନିଷ୍ପତ୍ତି ନେଇଛୁ। ମୋର ଆଶା ମୋତେ ସମସ୍ତେ ଭଲ ଭାବେ ଶୁଣିଥିବେ। ବାରମ୍ବାର କହିବା ସତ୍ତ୍ୱେ ଆମେରିକା ଓ ଏହାର ସହଯୋଗୀମାନେ ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ଆଗଭର ହେଉଛନ୍ତି। ଏଥିସହ ମସ୍କୋ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହା କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି ସେ ବେଶ ଆକ୍ରମଣାତ୍ମକ ଅନ୍ଦାଜରେ କହିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ଉପରେ ଆଟାକ ଆରମ୍ଭ କଲା ଋଷିଆ । ୟୁକ୍ରେନ୍ ରାଜଧାନୀ ସମେତ ୬ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କିବ, ଖାରକିବ ସମେତ ୬ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ । ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନ ୬ଟି ସ୍ଥାନ ଉପରେ ଆକ୍ରମଣ କରିଛି ଋଷ । ସେପଟେ ବ୍ଲାକ୍ ସି’ରେ ଋଷ ନୌସେନା ଅପରେସନ୍ ଆରମ୍ଭ କରିଥିବା ସୂଚନାରୁ ଜଣାପଡିଛି ।