ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରତିମୂର୍ତି ଅନାବରଣ

Aug 8, 2018 - 18:32
 191
ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରତିମୂର୍ତି ଅନାବରଣ
ଭୁବନେଶ୍ୱର,୮/୮ (ସକାଳଖବର):ଓଡ଼ିଆ ସିନେମାର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଆବକ୍ଷ ପ୍ରତିମୂର୍ତିକୁ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନାବରଣ କରିଛନ୍ତି । ସେଠାରେ ଅନୁଷ୍ଠିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକଅଧ୍ୟାପିକା, ସଂସ୍କୃତି ସଂଗଠକ ତଥା ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ନିଦେ୍ର୍ଧଶକ ବିଜୟ କୁମାର ନାୟକ ଓ ଯୁଗ୍ମ ନିଦେ୍ର୍ଧଶକ ସଂଘମିତ୍ରା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିମୂର୍ତି ନିର୍ମାଣ ପାଇଁ ୨.୮୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ବୁଧବାର ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜନ୍ମତିଥିରେ ଏହି ପ୍ରତିମୂର୍ତି ଅନାବରଣ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ମୋହନ ସୁନ୍ଦରଙ୍କ ଆତ୍ମୀୟମାନେ ଉପସ୍ଥିତ ଥିଲେ । ମୋହନ ସୁନ୍ଦର ଦେବ ଗୋସ୍ୱାମୀ(୧୮୯୨-୧୯୪୮) ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାରେ ରଙ୍ଗମଂଚ ଆନେ୍ଦାଳନକୁ ତାଙ୍କର ଦାନ ଅତୁଳନୀୟ । ଲୋକନାଟ୍ୟ "ରାସଲୀଳା'ର ପ୍ରସାର ପାଇଁ ଶ୍ରୀରାଧା କୁଞ୍ଜବିହାରୀ ରାସଲୀଳା ଦଳ ଗଠନ କରିଥିଲେ । ସେ ୨୫ଟିରୁ ଅଧିକ ଗୀତାଭିନୟ ରଚନା କରିଥିଲେ ।ତନ୍ମଧ୍ୟରୁ "ମାନଭଞ୍ଜନ', "ଅ ।ନନ୍ଦ ବୃନ୍ଦାବନ', "ଶାରଦୀୟ ମହାରାସ', "ଶ୍ରୀରାଧା ପ୍ରେମାମୃତ' ଆଦି ଅନ୍ୟତମ । ମୋହନ ଗୋସ୍ୱାମୀ ସୁଲଳିତ ଗାୟନ ସହିତ ସଙ୍ଗୀତ ରଚନା ଓ ପ୍ରକାର ବାଦ୍ୟ ବାଦନ କରିପାରୁଥିଲେ । ୧୯୩୬ରେ ସେ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ' ପ୍ରଯୋଜନା କରିଥିଲେ ଓ ନିଜେ ବିଶ୍ୱାମିତ୍ର ଭୂମିକାରେ ଅଭିନୟ କରିଥିଲେ । ସେହି ସିନେମାରେ ସେ ଥିଲେ ନିଦେ୍ର୍ଧଶକ, ଚିତ୍ରନାଟ୍ୟ ଲେଖକ,ଅଭିନେତା ଓ ଗୀତିକାର । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ରଙ୍କର ସେ ଦୀକ୍ଷାଗୁରୁ ଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କ ନାମରେ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ କରାଯାଉଛି ।