ମୋଷ୍ଟ ୱାଣ୍ଟେଡ଼ ମାଧବ ରବି ଦାସ ଗିରଫ
ଅନୁଗୋଳ,୧୦/୧୨( ସକାଳଖବର): ଓଡ଼ିଶା ସମେତ ବିହାର, ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟରେ ଡ଼କାୟତ ଗ୍ୟାଙ୍ଗର କାୟାବିସ୍ତାର କରିଥିବା ମୋଷ୍ଟ ୱାଣ୍ଟେଡ଼ ତଥା ମାଷ୍ଟର ମାଇଣ୍ଡ ମାଧବ ରବି ଦାସକୁ ଅନୁଗୋଳ ପୋଲିସ ସ୍କାଡ଼ ଓ ବିହାର ପୋଲିସ ଗିରଫ କରିଛନ୍ତି । ଏହି ମାଷ୍ଟର ମାଇଣ୍ଡ ମାଧବ ନାଁରେ ପ୍ରାୟ ୫୬ରୁ ଉଦ୍ଧ୍ୱର୍ ଡ଼କାୟତି ମାମଲା ବିଭିନ୍ନ ରାଜ୍ୟରେ ରହିଛି । ତେବେ ଅନୁଗୋଳ ସହରର ଆନ୍ଧ୍ରା ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କ ଡ଼କାୟତି ଘଟଣାରେ ସଂପୃକ୍ତି ମଧ୍ୟ ରହିଛି । ତେଣୁ ଅନୁଗୋଳ ପୋଲିସ ଆଜି ତାଙ୍କୁ କୋର୍ଟରେ ହାଜର କରିଛି । ଟିଆଇ ପ୍ୟାରେଡ଼ ଓ ରିମାଣ୍ଡରେ ନେଇ ତା ନିକଟରୁ ବ୍ୟାଙ୍କ ଡ଼କାୟତି ଘଟଣାର ପର୍ଦ୍ଧାଫାଶ କରିବା ପାଇଁ ପୋଲିସ ଯୋଜନା କରିଛି । ଘଟଣାରୁ ପ୍ରକାଶ ଯେ, ଗତ ଏପ୍ରିଲ ୬ ତାରିଖରେ ଆନ୍ଧ୍ରା ବ୍ୟା୍ୟଙ୍କ ଓ ଜୁଲାଇ ୭ ତାରିଖରେ ଇଣ୍ଡିଆନ ବ୍ୟାଙ୍କରୁ ଦିନ ଦ୍ୱିପ୍ରହରରେ ଟଙ୍କା ସୁନା ଆଦି ଲୁଟି ନେଇଥିଲେ । ସିରିଆଲ ବ୍ୟାଙ୍କ ଲୁଟ ଘଟଣା ପରେ ପୋଲିସ ଖାନଭିନ ଆରମ୍ଭ କରିଦେଇଥିଲା ଏବଂ ଏହି ଘଟଣାରେ ସଂପୃକ୍ତ ଓମ୍ ପ୍ରକାଶ ଦାସ ଓ ରାଜେଶ ଦାସକୁ ପୋଲିସ ଆଗରୁ ଗିରଫ କରି ସାରିଛି । ମାଷ୍ଟର ମାଇଣ୍ଡ ମାଧବର ପୁତୁରା ହେଉଛି ରାଜେଶ ଦାସ ସୁଚନା ଯେ, ମାଧବ ରବି ଦାସର ଘର ବିହାରର ପାହାରା ନାମକ ଏକ ଗାଁରେ । ପ୍ରଥମେ ସେ ମାଓ ସଂଗଠନ ସହିତ ଜଡ଼ିତ ଥିଲା । ମାଓ ସଂଗଠନ ଛାଡ଼ିବା ପରେ ଗାଁରେ ଜଣଙ୍କୁ ହତ୍ୟା କରିବା ପରେ ମାଓବାଦୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ତାପରେ ସେ ଘର ଛାଡ଼ି ପଳାଇ ଆସିଥିଲା । ୨୦୦୪ ମସିହାରେ ଚନ୍ଦନପୁର ଷ୍ଟେଟ ବ୍ୟାଙ୍କ ଡ଼କାୟତି ଘଟଣାରେ ଗିରଫ ହୋଇଥିଲେ ମଧ୍ୟ ସେଠାରୁ ଚମ୍ପଟ ମାରିଥିଲା । ଆଉ ବିଭିନ୍ନ ରାଜ୍ୟରେ ତାର କାୟା ବିସ୍ତାର ଆରମ୍ଭ କରିଥିଲା । ବିଭିନ୍ନ ରାଜ୍ୟରେ ତା ନାମରେ ବହୁତ ଡ଼କାୟତି ମାମଲା ରହିଥିବାବେଳେ ଓଡ଼ିଶାର ସୁନ୍ଦରଗଡ଼, ରାଉଲକେଲା, ତେଲକୋଇ, ଯୋଡ଼ା, ଅନୁଗୋଳ ଆଦି ବ୍ୟାଙ୍କ ଡ଼କାୟତି ଘଟଣାରେ ସଂପୃକ୍ତ ରହିଛି । ପୋଲିସ ରିମାଣ୍ଡରେ ନେବା ପରେ ବ୍ୟାଙ୍କ ଡ଼କାୟତି ହୋଇଥିବା ସୁନା ଟଙ୍କା ସମ୍ପର୍କରେ ଖୋଳତାଳ କରିବ ବୋଲି ଆଶା କରାଯାଉଛି ।