ମୋଦୀଙ୍କୁ ଚିଠି ଲେଖିଲେ ପାକ୍‍ ପ୍ରଧାନମନ୍ତ୍ରୀ

Sep 20, 2018 - 09:45
 223
ମୋଦୀଙ୍କୁ ଚିଠି ଲେଖିଲେ ପାକ୍‍ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦/୯ (ସକାଳଖବର): ଭାରତ ପାକ୍ ମଧ୍ୟରେ ଶାନ୍ତି ଓ ସହାବସ୍ଥାନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। । ଏହି ଚିଠିରେ ଇମରାନ ମୋଦୀଙ୍କ ଅଭିନନ୍ଦନର ଉତ୍ତର ରଖି ଧନ୍ୟବାଦ ଜଣାଇବା ସହ ଦିବଂଗତ ନେତା ଅଟଳବିହାରୀ ବାଜପେୟୀଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି।ଚିଠିରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକ୍‍ ବୈଦେଶିକ ମନ୍ତ୍ରୀ ମେହେମ୍ମୁଦ କ୍ୱିରେସୀଙ୍କ ମଧ୍ୟରେ ଆଲୋଚନା କରିବା ପାଇଁ ସେ କହିଛନ୍ତି । ଏହି ଆଲୋଚନା ନ୍ୟୁୟର୍କରେ ୟୁଏନର ସାଧାରଣ ସଭାରେ ହେଉ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉଭୟ ଦେଶର ସାମ୍ପ୍ରଦାୟିକ ପରିସ୍ଥିତି ଓ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ପାଇଁ ପାକ୍‍ ପ୍ରସ୍ତୁତ ଥିବାରୁ ଏହି ବୈଠକରେ ସେ ସଂକ୍ରାନ୍ତରେ ଆଲୋଚନା କରାଯିବା ଉଚିତ। ସେହିପରି ଜମ୍ମୁ-କାଶ୍ମୀର ଓ ସିଆଚୀନ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ତିକ୍ତତାକୁ ସୁଧାରିବା କ୍ଷେତ୍ରରେ ଆଲୋଚନା ଆରମ୍ଭ କରିବାକୁ ଇମରାନ ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ଉଭୟ ଦେଶର ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ବୃଦ୍ଧି, ଧାର୍ମିକ ପର୍ୟ୍ୟଟନର ବିକାଶ ଓ ମାନବ ସମ୍ବଳ କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଇମରାନ ଆଗ୍ରହୀ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି।ଇମରାନ୍ ଚିଠିରେ ଲେଖିଛନ୍ତି କି, ଭାରତ ସହ ସମ୍ପର୍କ ଆଗକୁ ବଢାଇବା ପାଇଁ ପାକ୍ ସର୍ବଦା ଚେଷ୍ଟିତ । ଦୁଇ ଦେଶ ମଧ୍ୟରେ ୨୦୧୫ରେ ହେବାକୁ ଥିବା ଦ୍ୱିପାକ୍ଷିକ ବାର୍ତା ପଠାନକୋଟ୍ ଆକ୍ରମଣ ପାଇଁ ବନ୍ଦ ରହିଥିଲା । ଦୁଇ ଦେଶ ମଧ୍ୟରେ ଥିବା ବିବାଦ କେବଳ ଆଲୋଚନା ମାଧ୍ୟମରେ ସମାପ୍ତ କରାଯାଇ ପାରିବ