ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳିବ ବିଜେପି

Sep 5, 2019 - 06:13
 117
ଭୁବନେଶ୍ୱର , ୪/୯(ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ ବୋଲି କେନ୍ଦ୍ର ସଂସଦୀୟ ବ୍ୟପାର, ବୃହତ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ତଥା ସେବା ସପ୍ତାହ ସମିତିର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଅର୍ଜୁନ ରାମ ମେଘୱାଲ ସୂଚନା ଦେଇଛନ୍ତି । ସେବା ସମିତିର ରାଜ୍ୟ ସଂଯୋଜକ ଭାବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏବଂ ସହ ସଂଯୋଜକ ଭାବେ ମହେଶ ମହାନ୍ତିଙ୍କୁ ଦାୟୀତ୍ୱ ଦିଆଗଲା ବୋଲି ଶ୍ରୀ ମେଘୱାଲ ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମେଘୱାଲ କହିଛନ୍ତି ଯେ, ଏହି ସେବା ସପ୍ତାହ ମଧ୍ୟରେ ଦଳର ସାଂସଦ, ବିଧାୟକ, ଜିଲ୍ଲାଧ୍ୟକ୍ଷ, ଜନ ପ୍ରତିନିଧୀ ଏବଂ ରାଜ୍ୟ ପଦାଧିକାରୀମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଶିବିର ଏବଂ ଔଷଧ ବଂଟନ ଆଦି ଆୟୋଜିତ କରାଯିବ । ଏଥି ସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ । ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ସେବା କାର୍ଯ୍ୟ କରାଯିବ । ପ୍ରଧାନମନ୍ତ୍ରୀ ‘ସିଙ୍ଗଲ ୟୁଜ ପ୍ଲ୍ାଷ୍ଟିକ’ ତଥା ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କାର୍ଯ୍ୟକର୍ତାମାନେ ସଂକଳ୍ପ ନେବେ । ଏହି ପରିପ୍ରେକ୍ଷୀରେ ବିଜେପି କାର୍ଯ୍ୟକର୍ତାମାନେ ନିଜ ଅଂଚଳର ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବେ । ସାଧାରଣ ଲୋକଙ୍କ ଭିତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ମେଘୱାଲ କହିଛନ୍ତି ।