ପର ଘର ତିଅଣରେ ଚାଲିଛି ଅତିଥୀ ସକ୍ରାର: ବିଜେପି
ଭୁବନେଶ୍ୱର, ୧୬/୯(ସକାଳଖବର): ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଲୋଗ ଓ ‘ପକ୍କା ଘର’ ନାଁ ଦେଇ ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତ ସିଂହାର କହିଛନ୍ତି ଯେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଗ୍ରାମାଚଂଳରେ ୪ ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ କରିଛନ୍ତି । ସଂଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପକ୍କା ଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହି ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ । ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ ନାହିଁ । ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଶବ୍ଦଟିକୁ ବାଦ ଦେଇ ସାଧାରଣ ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ବିଜ୍ଞପ୍ତିରେ କେବଳ ପକ୍କା ଘର କହି ଲୋକମାନଙ୍କୁ ରାଜ୍ୟସରକାରଙ୍କ ଯୋଜନା ବୋଲି କହି ଭ୍ରମିତ କରିବା ରାଜ୍ୟସରକାରଙ୍କ ପୁରୁଣା ରୋଗ ।
୧୧ ସେପ୍ଟେମ୍ବର ୨୦୧୮ ରେ ବିଧାନସଭା ପ୍ରଶ୍ନର ଉତରରେ ରାଜ୍ୟସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ୨୦ ଲକ୍ଷ ପକ୍କାଘରରୁ ୨୦୧୭-୨୦ ପର୍ଯ୍ୟନ୍ତ ରାଜ୍ୟସରକାର ଟଙ୍କାଟିଏ ବ୍ୟୟବରାଦ କରିନଥିବାବେଳେ କେନ୍ଦ୍ରସରକାର ୨୦୧୭-୧୮ରେ ୩ ହଜାର ୧୦୦ କୋଟି, ୨୦୧୮-୧୯ରେ ୩ହଜାର ୬୦୦ କୋଟି, ୨୦୧୯-୨୦ରେ ୪ ହଜାର ୮୨୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଡ.ସାମନ୍ତସିଂହାର କହିଛନ୍ତି ।
୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେଡି ସମସ୍ତଙ୍କୁ ପକ୍କା ଘର ପ୍ରତିଶୃତି ଦେଇଥିଲା କିନ୍ତୁ ଆଜି ବି ରାଜ୍ୟରେ ୩୦ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ । ସେହିପରି ଅନ୍ୟ ଏକ ବିଜ୍ଞାପନରେ ‘ରୁରାଲ ହାଉସିଂଙ୍ଗ ଫର ଅଲ’ ରେ ରାଜ୍ୟ ସରକାରଙ୍କ ଲୋଗୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି । କେନ୍ଦ୍ର ସରକାରଙ୍କ ପଇସାରେ ନିଜ ଲୋଗୋ ଲଗାଇ ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ ।