ମୋ ସ୍କୁଲ ଯୋଜନା: ୬ଷ୍ଠ ପର୍ଯ୍ୟାୟରେ ୧୯୧୮ ବିଦ୍ୟାଳୟ ସାମିଲ

Dec 16, 2018 - 17:39
 152
ମୋ ସ୍କୁଲ ଯୋଜନା: ୬ଷ୍ଠ ପର୍ଯ୍ୟାୟରେ ୧୯୧୮ ବିଦ୍ୟାଳୟ ସାମିଲ
ଭୁବନେଶ୍ୱର, ୧୫/୧୨(ସକାଳଖବର): ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ମୋ ସ୍କୁଲ ପ୍ରକଳ୍ପର ଷଷ୍ଠ ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୧୯୧୮ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ ନୂଆପଡ଼ା । ଉଲ୍ଲେଖଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୬୪୩ଟି ବିଦ୍ୟାଳୟରୁ ପ୍ରସ୍ତାବ ଆସିଛି । ଏହିସବୁ ଜିଲ୍ଲାରେ ମୋ ସ୍କୁଲ ଯୋଜନାରେ ୧୦କୋଟି ୪୨ଲକ୍ଷ ୧୮ହଜାରରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟ କରାଯିବ । ଏଥିରୁ ରାଜ୍ୟ ସରକାର ୬କୋଟି ୯୪ଲକ୍ଷ ୭୯ହଜାର ଟଙ୍କା ଅନୁଦାନ ଦେଇଥିବାବେଳେ ଜନସାଧାରଣଙ୍କ ଠାରୁ ୩କୋଟି ୪୭ ଲକ୍ଷ ୩୯ହଜାର ଟଙ୍କା ସଂଗୃହୀତ ହୋଇଛି । ଏପର୍ଯ୍ୟନ୍ତ ସାରା ରାଜ୍ୟରେ ୬୫୧୦ ବିଦ୍ୟାଳୟ ଏହି ଯୋଜନାରେ ସାମିଲ ହୋଇଛନ୍ତି । ବରାଦ ହୋଇଥିବା ଏହି ଅର୍ଥରେ ସ୍କୁଲର ଭିତିଭୂମି, ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆସବାବପତ୍ର ଯୋଗାଣ, ସ୍କୁଲ ବଗିଚା ଆଦିର ଉନ୍ନତିକରଣ କାର୍ଯ୍ୟ ଅନୁର୍ଭୁକ୍ତ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହା ସ୍ଥିର କରାଯାଇଛି । ନିଷ୍ପତି ଅନୁଯାୟୀ କେତେକ ବିଶ୍ୱବିଦ୍ୟାଳୟ ଓ କଟକ, ସମ୍ବଲପୁର, ବ୍ରହ୍ମପୁରରେ ଥିବା ଇନଷ୍ଟିଚୁ୍ୟଟ ଅଫ ଆଡ଼ଭାନ୍ସ ଷ୍ଟଡିଜ ଓ କେତେ ବି.ଇଡି ଟ୍ରେନିଂ କଲେଜର ଭାଗୀଦାରିତାରେ ମୋ ସ୍କୁଲ କାର୍ଯ୍ୟକ୍ରମର ତଦାରଖ ଓ ନଥିପ୍ରସ୍ତୁତି କରାଯିବ । ଏହି ଯୋଜନାର ଅନଲାଇନ ମନିଟରିଂ ପାଇଁ ଇଡକଲ ସଫ୍ଟୱେୟାର ସହାୟତା ନିଆଯିବ । ଆସନ୍ତା ଜାନୁୟାରୀ ମାସରେ ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଧିକ ସ୍କୁଲକୁ ମୋ ସ୍କୁଲ ଯୋଜନାର ଅନ୍ତର୍ଭୁକ୍ତ କରାଯିବା ନିମନ୍ତେ ଟାଟା ଟ୍ରଷ୍ଟ, ବକୁଳ ଫାଉଣ୍ଡେସନ ଓ ୟୁନିସେଫର ସହାୟତା ନିଆଯିବ । ଭୁବନେଶ୍ୱରର ବକୁଳ ଫାଉଣ୍ଡେସନ ଏଥିସକାଶେ ବୈଷୟିକ ସହାୟତା ଯୋଗାଇଦେବା ସହ ଷ୍ଟୋରି ଟେଲିଂ, ସାହିତ୍ୟ ଓ ଚଳଚ୍ଚିତ୍ର ଉତ୍ସବ ଆଦି ଆୟୋଜନ କରିବାକୁ ପ୍ରସ୍ତାବ ରହିଛି । ଆହୁରି ଜିଲ୍ଲା, ବ୍ଲକ ଓ ସ୍କୁଲସ୍ତରରେ ଆସନ୍ତା ଜାନୁଆରୀ ଓ ଫେବୃଆରୀ ମାସରେ ଆଲୁମନି ମିଟ କରାଯାଇ ଏହି ଯୋଜନାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି ବୋଲି ମୋ ସ୍କୁଲ ଯୋଜନାର ସଦସ୍ୟ ସଚିବ ତଥା ଓପେପା ଓ ମାଧ୍ୟମିକ ଶିକ୍ଷା ମିଶନ ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଭୂପେନ୍ଦ୍ର ସିଂ ପୁନିଆ ସୂଚନା ଦେଇଛନ୍ତି । ବୈଠକରେ ପ୍ରାଥମିକ ଶିକ୍ଷା, ଏସସିଇଆରଟି ନିଦେ୍ର୍ଧଶକ, ଓପେପା ବିତ ପରାମର୍ଶଦାତା, ମାଧ୍ୟମିକ ଶିକ୍ଷା ପ୍ରତିନିଧି, ମୋ ସ୍କୁଲ ଯୋଜନାର ସ୍ୱତନ୍ତ୍ର ଅଧିକାରୀ, ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।