ମେ ୫ରେ ଲଘୁଚାପ !

Apr 29, 2022 - 11:58
 53
ମେ ୫ରେ ଲଘୁଚାପ !
ଭୁବନେଶ୍ୱର : ଡହଡହ ତାତିରେ ସିଝୁଛି ଓଡିଶା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଆସୁଛି ଲଘୁଚାପ । ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଅନ୍ୟପଟେ ଆଜି ସାରା ରାଜ୍ୟ ଜାରି ରହିଛି ପ୍ରଚଣ୍ଡ ତାତି । ଦିନ ସାଢେ ୧୧ଟାରେ ଭୁବନେଶ୍ୱରର ତାପମାତ୍ରା ୩୯ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡାରେ ୪୦.୪ଡିଗ୍ରୀ, କେନ୍ଦୁଝରରେ ୪୦.୬ଡିଗ୍ରୀ, ସମ୍ବଲପୁର ୩୯.୨ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ମିଳିଛି । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାରେ ୱାର୍ଣ୍ଣିଂ ଜାରି କରାଯାଇଛି । ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର ରହିଛି । ଆଗାମୀ ଦୁଇ ଦିନ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହିତ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ୩ରୁ ୫ଡିଗ୍ରୀ ଯାଏଁ ତାତି ଅଧିକ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।