ମେ’ ୧୫ ପରେ କଡ଼ ଲେଉଟାଇବ ବିଜେପି
ଭୁବନେଶ୍ୱର, ୧୦/୫(ସକାଳଖବର) : ଅକ୍ଷିତୃତୀୟା ପରଠାରୁ ଧିମେଇ ଯାଇଛି ବିଜେପି । ଆଉ ନେତାଙ୍କ ଠାଣି ନାହିଁ କି ଆଉ ବିଜେଡ଼ିକୁ ଆଖିତରାଟି ଚାହିଁ ପାରୁନାହାନ୍ତି । ମିଡିଆରୁ ନେଇ ସୋସିଆଲ ମିଡ଼ିଆ ଯାଏଁ, ଗାଁଠୁ ନେଇ ସହର ଯାଏଁ ସବୁଠି ବିଜେପି କର୍ମୀ ଗୁମସୁମ୍ । ‘ପଦ୍ମ’ ପାଖୁଡ଼ା ଉପରେ ପଡ଼ିଛି ‘ହାତ’ର ଛାଇ । ରାଜଧାନୀର ବଡ଼ ନେତା ହୁଅନ୍ତୁ କି ତୃଣମୂଳସ୍ତରର ନେତା, ସବୁ ଶିବିର ଚିନ୍ତାଗ୍ରସ୍ତ । ପଂଚାୟତ ନିର୍ବାଚନର ଯୋଶ ହଠାତ୍ ନିରଞ୍ଜନଙ୍କ ଆବିର୍ଭାବ ପରେ ମଳିନ ପଡ଼ିଛି । ବିଜେଡ଼ି ସହ ତାଳଦେଇ ଗଣମାଧ୍ୟମର ଶିରୋନାମାରେ ବିଜେପି ରହୁଥିବାବେଳେ ଏବେ ବିଜେପିର ସ୍ଥାନ ଛଡ଼ାଇ ନେଇଛି କଂଗ୍ରେସ । ପ୍ରଦୀପ ମହାରଥୀଙ୍କ ଭାଷାରେ ଧର୍ମେନ୍ଦ୍ର ଆଉ ଆଗଭଳି ଓଡ଼ିଶା ଆସୁନାହାନ୍ତି କି ବିଜେଡ଼ି ସରକାରଙ୍କ ଉପରେ ତୁମ୍ବିତୋଫାନ ଦେଖାଉନାହାନ୍ତି । ରାଜ୍ୟ ବିଜେପି ଅଳିନ୍ଦରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ମେ’ ୧୫କୁ ହିଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ମେ’ ୧୫ରେ ରାଜ୍ୟ ବିଜେପିର ଗତିପଥ ବଦଳିବ । ନୂଆ ରଣନୀତି ହେବବୋଲି ଜଣେ ବରିଷ୍ଠ ବିଜେପି ନେତା ସୂଚନା ଦେଇଛନ୍ତି ।
ପଂଚାୟତ ନିର୍ବାଚନରେ ବିଜେପିର ଆଶାତୀତ ସଫଳତା ନବୀନ ସରକାରଙ୍କୁ ଜୋରଦାର ଝଟକା ଦେଇଥିବାବେଳେ ବିଜେପୁର ଉପନିର୍ବାଚନରେ ବିଜେଡ଼ି ପଲଟବାର କରିଥିଲା । ବିଜେପୁରରେ ପଂଚାୟତ ନିର୍ବାଚନରେ ବିଜେଡ଼ି ଠାରୁ ବିଜେପି ପ୍ରାୟ ୫୦ ହଜାର ଭୋଟ ଆଗରେ ଥିବାବେଳେ ଉପନିର୍ବାଚନରେ କିନ୍ତୁ ବିଜେପି ୪୦ ହଜାର ଭୋଟରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ଫଳରେ ପଂଚାୟତ ନିର୍ବାଚନର ଉଜାଣି ଉତ୍ସାହ ଗୋଟିଏ ଝଡ଼ରେ ଥମି ଯାଇଥିଲା । ସେହିଦିନ ଠାରୁ ବିଜେପିରେ ଘଂଟାଚକଟା ଜାରି ରହିଥିବାବେଳେ ପୁଣି ପୂର୍ବ ଉତ୍ସାହ ଫେରି ପାଇବା ପାଇଁ ଅଙ୍କ କଷୁଥିଲା । କିନ୍ତୁ ହଠାତ୍ ପିସିସି ବଦଳିଗଲା । ପ୍ରସାଦ ହରିଚନ୍ଦନଙ୍କ ସ୍ଥାନ ନେଇଗଲେ ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ ସଭାପତି ହେବାର ମାସେ ହୋଇନଥିବାବେଳେ ଏବେ କଂଗ୍ରେସକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ଚର୍ଚ୍ଚା । ପ୍ରତିଦିନ କଂଗ୍ରେସର ବଡ଼ ନେତାମାନେ ଜିଲ୍ଲା ଗସ୍ତ କରୁଛନ୍ତି । ଜିଲ୍ଲାରେ ବଡ଼ ଆକାରର ସମ୍ବଦ୍ଧ୍ୱର୍ନା ପର୍ବ ସହ ରଣନୀତି ପ୍ରସ୍ତୁତ କରାଯାଉଛି । ଏଇ କଂଗ୍ରେସ ଭୋଟ ଖାଇ ବିଜେପିର ନାଡ଼ ଫୁଲି ଯାଇଥିବାବେଳେ ପଦ୍ମଫୁଲ ସତେଜ ହୋଇଯାଇଥିଲା । କିନ୍ତୁ ଏବେ ସ୍ଥିତି ପୂରା ବଦଳିଯାଇଛି । ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସିଆ ଏକ ହୋଇଯାଇଛନ୍ତି । ଗାଁ ଗହଳିରେ ତୁନି ପଡ଼ିଥିବା କଂଗ୍ରେସ କର୍ମୀମନରେ ଫୁଲ୍ ଯୋଶ ଭରିଯାଇଛି । ଫଳରେ ଗତ ମାସ ଧରି ବିଜେଡ଼ି ବନାମ କଂଗ୍ରେସ ବୋଲି ଚର୍ଚ୍ଚା ହେଉଛି ।
ଅପରପକ୍ଷରେ ରାଜ୍ୟ ବିଜେପି ମନରେ ଯୋଶ ଭରିଥିବା ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଏବେ ଚିନ୍ତାଗ୍ରସ୍ତ । କର୍ଣ୍ଣାଟକ ନିର୍ବାଚନରେ ଦଳ ପୂର୍ବରୁ ଯେଉଁ ସଫଳତା ପାଇବ ବୋଲି ଆଶା କରିଥିଲା ସେଭଳି ହେବନି ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଏମିତିକି ବିଜେପିର ଅନ୍ତରୀଣ ସର୍ଭେ ବି ସେଇଆ କହୁଛି । ସେପଟେ ଉତରପ୍ରଦେଶରେ ବିଶାଳ କାୟା ମେଲିଥିବା ବିଜେପି ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର ଓ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ଫୁଲପୁରରେ ଫୁଲର ସତା ହଜିଯାଇଛି । ସତେଯେମିତି ପଦ୍ମଫୁଲରେ ‘ହାତୀ’ ଖୋଜ ପକାଇ ଦେଇଥିବାବେଳେ ‘ସାଇକେଲ’ ମାଡ଼ି ଯାଇଛି । ପୂର୍ବରୁ ରାଜସ୍ଥାନ ଉପନିର୍ବାଚନରେ ବି ଦଳ ଦୁଇ ଦୁଇଟି ଆସନ ହରାଇଛି । ୨୦୧୪ରେ ବିଜେପି ଯେତିକି ଆସନ ପାଇଥିଲା ଏବେ ତାହା କମି ସାରିଲାଣି । ଶାହା ଓ ମୋଦିଙ୍କ ଗଡ଼ରେ ବି ‘ହାତ’ ଦବଦବା ଦେଖାଇଛି । ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡ଼ୁ ହାତ ଛାଡ଼ି ସାରିଛନ୍ତି । ମହାରାଷ୍ଟ୍ରରେ ଶିବସେନା ଏବେ ବିଜେପିକୁ ପରମ ଶତ୍ରୁ ବୋଲି ଭାବିଛି । ଜାମ୍ମୁକାଶ୍ମୀରରେ ବି ସହଯୋଗୀ ଦଳ ବିଜେପିକୁ ଭାରି ଅକଳରେ ପକାଇ ସାରିଛି । ପଂଜାବରେ ବି ସମାନ ଅବସ୍ଥା । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବି ବିଜେପି ଛନ୍ଦି ହୋଇ ସାରିଲାଣି । ଏଭଳି ପରିପ୍ରେକ୍ଷୀରେ ବିଜେପିର ଟନିକ୍ ଭାବେ କାର୍ଯ୍ୟ କରୁଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶାହା ଓ ମୋଦିଙ୍କୁ ଟାର୍ଗେଟ କରିବା ଆରମ୍ଭ କଲାଣି । ବିଶେଷକରି ଦଳିତ ଭୋଜନକୁ ଡ୍ରାମାବାଜି ବୋଲି କହି ଶାହାଙ୍କ ଯୋଜନାରେ ପାଣି ପୂରାଇ ଦେଇଛି ସଂଘ ।
ଏବେ କର୍ଣ୍ଣାଟକ ନିର୍ବାଚନ ଫଳକୁ ଅପେକ୍ଷା କରିଛି ବିଜେପି । କର୍ଣ୍ଣାଟକରେ ପୁଣି ୟେଦୁରପ୍ପାଙ୍କ ଉପରେ ଭରସା କରିଛି ବିଜେପି । ମୋଦି ଓ ଶାହା ଦିନ ରାତି ଏକ କରିଦେଇଛନ୍ତି । ମେ’ ୧୫ରେ କର୍ଣ୍ଣାଟକ ନିର୍ବାଚନ ଫଳ ବାହାରିବ । ଯଦି ବିଜେପି ବାଜିମାତ୍ କରେ ତେବେ ପୁଣି ଶାହା ଶକ୍ତିଶାଳୀ ହୋଇଯିବେ । ଯାହାର ପ୍ରଭାବ ଓଡ଼ିଶା ରାଜନୀତିରେ ବି ପଡ଼ିବ । ଗୁମସୁମ୍ ଥିବା ବିଜେପି ପୁଣି ଚାଙ୍ଗା ହୋଇଯିବ । ଯଦି କର୍ଣ୍ଣାଟକରେ ବିଜେପି ପରାସ୍ତ ହୁଏ ତେବେ ବିଜେପି ହାୱାରେ ରୋକ ଲାଗିବ । ଆଉ ଦଳ ଆଗ୍ରେସିଭ ରଣନୀତି ନ ଆପଣାଇ ଡିଫେନ୍ସିଭ ହେବାକୁ ବାଧ୍ୟ ହେବ । ଭାରତର ସବୁ ରାଜ୍ୟ କରାୟତ କରିବା ବଦଳରେ ଦଳ ଅନ୍ୟ ଦଳ ସହ ମେଂଟ କରିବାକୁ ଆଗ୍ରହ ପ୍ରକାଶ କରିବା ଥୟ । ଏଭଳି କ୍ଷେତ୍ରରେ ବିଜେଡ଼ିର ନିକଟତର ହେବାକୁ ଚେଷ୍ଟା କରିବ କେନ୍ଦ୍ରୀୟ ବିଜେପି । ଖାଲି ସେତିକିନୁହେଁ ରାଜ୍ୟ ବିଜେପିର ଅସନ୍ତୁଷ୍ଟ ନେତାମାନଙ୍କୁ ପୁଣି ଗୁରୁତ୍ୱ ଦେବାକୁ ବିଜେପି ବାଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏମିତିକି ରାଜ୍ୟ ବିଜେପି ସଭାପତି ବଦଳିବା ନେଇ ରଣନୀତି ଆରମ୍ଭ ହେବାର ଆଶଙ୍କା ରହିଛି । ମେ’ ୧୫ ପରେ ରାଜ୍ୟ ବିଜେପି କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।