ବିଜେଡି - କଂଗ୍ରେସ ଭିତିରିଆ ସମ୍ପର୍କ ନେଇ ବିଜେପିର ନାରାବାଜୀ

Nov 20, 2018 - 19:24
 174
ବିଜେଡି - କଂଗ୍ରେସ ଭିତିରିଆ ସମ୍ପର୍କ ନେଇ ବିଜେପିର ନାରାବାଜୀ
ଭୁୁବନେଶ୍ୱର,୨୦/୧୧ (ସକାଳଖବର) କଂଗ୍ରେସ ଓ ବିଜେଡି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି । ଏହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ବୋଲି ବିଜେପି ପକ୍ଷରୁ ବିଧାନସଭାରେ ହୋହାଲ୍ଲା ଓ ନାରାବାଜୀ କରାଯାଇଥିଲା । ଅନ୍ୟପକ୍ଷରେ ଶାସକ ଦଳ ପକ୍ଷରୁ ଧାନର ସର୍ବ ନିମ୍ନ ସହାୟକ ଦର ବୃଦ୍ଧି ନକରିବା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ହଟ୍ଟଗୋଳ ସୃଷ୍ଟଇ କରିଥିଲେ । ଉଭୟ ଦଳର ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଏହି ପରିସ୍ଥିତିକୁ ଏଡାଇବା ପାଇଁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହକୁ ଏକାଧିକବାର ମୁଲତବୀ ରଖିଥିଲେ । ପରିସ୍ଥିତିରେ ଉନ୍ନତି ନଘଟିବାରୁ ବାଚସ୍ପତି ତାଙ୍କ ପ୍ରକୋଷ୍ଠରେ ସର୍ବ ଦଳୀୟ ବୈଠକ ଡାକି ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଆଲୋଚନା କରିଥିଲେ । ଏଥିରେ ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର , ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ , ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ । ମଙ୍ଗଳବାର ପୂର୍ବାହ୍ନରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଶାସକ ଓ ବିଜେପି ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ଏହି ହଟ୍ଟଗୋଳ ଯୋଗୁଁ ପ୍ରଶ୍ନୋତର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିନଥିଲା । ସେହିପରି ଶୂନ୍ୟକାଳ କାର୍ଯ୍ୟକ୍ରମ ଓ ଖାଦ୍ୟ ସୁରକ୍ଷା ଯୋଜନା ବିଫଳ ହେବା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିନଥିଲା । ପ୍ରଶ୍ନୋତର କାଳରେ ମଂଜୁରୀ ପାଇଥିବା ଇନ୍ଦିରାଆବାସ ଘର ସଂଖ୍ୟା ପ୍ରସଙ୍ଗରେ ତାରା ପ୍ରସାଦ ବାହିନୀପତି ଆଣିଥିବା ପ୍ରଶ୍ନ ଉପରେ ଉତର ରଖିବା ପାଇଁ ପଂଚାୟତିରାଜ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ପକ୍ଷରୁ ଖାଦ୍ୟଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉତର ଦେଇଥିଲେ । ହଟ୍ଟଗୋଳ ଯୋଗୁଁ ତାହା ପ୍ରେସ୍ ଗ୍ୟାଲେରୀକୁ ସ୍ପଷ୍ଟ ହୋଇନଥିଲା । ହଟ୍ଟଗୋଳ ପାଇଁ ବାଚସ୍ପତି ପ୍ରଦୀପ ଅମାତ୍ ପୂର୍ବାହ୍ନ ୧୦ଟା ୩୩ ରୁ ୧୧ ଟା ୩୦ ପାଇଁ ୫୭ ମିନିଟ୍ , ୧୧ଟା ୩୪ରୁ ୧୧ଟା ୪୪ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ । ଏହାପରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ୧୧ଟା ୪୪ରୁ ୧୨ ଟା ୧୪ : ୩୦ ମିନିଟ୍ ଏବଂ ପରେ ୧୨ ଟା ୧୪ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ପରମ୍ପରା ଅନୁଯାୟୀ ଆଲୋଚନା ହୋଇପାରିନଥିବା ସମସ୍ତ ତାରକା ଚିହ୍ନିତ ପ୍ରଶ୍ନର ଉତର ଉପସ୍ଥାପିତ ହୋଇଥିଲା ।