ମୁକୁଳିଲେ ଭାଜପା ଜିଲା ସଭାପତି ଭାଗିରଥି
ଅନୁଗୋଳ, ୭/୧୨(ସକାଳଖବର):ବାଘୁଣୀ ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ ଘଟଣାରେ ପୋଲିସ ଭାଜପା ଜିଲା ସଭାପତି ଭାଗିରଥି ପ୍ରଧାନଙ୍କୁ ଅକ୍ଟୋବର ୨୭ ତାରିଖରେ ଭୁବନେଶ୍ୱରର ଚନ୍ଦକା ଥାନା ମେଣ୍ଢାଶାଳ ଅଞ୍ଚଳରୁ ଗିରଫ କରିଥିଲା । ଦୀର୍ଘ ୪୧ ଦିନ ଜେଲ ଭୋଗିବା ପରେ ଆଜି ସନ୍ଧ୍ୟାରେ ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି ଭାଜପା ଜିଲା ସଭାପତି ଭାଗିରଥି ପ୍ରଧାନଙ୍କ ସମେତ ୫ ଜଣ । ଗିରଫଦାରୀ ଘଟଣାକୁ ନେଇ ଶ୍ରୀ ଭାଗିରଥି ପ୍ରଧାନ କହିଲେ ଯେ, ରାଜ୍ୟ ସରକାରଙ୍କ ପ୍ରରୋଚନାରେ ପୋଲିସ ନିରୀହ ଜନସାଧାରଣଙ୍କୁ ଜେଲ ଦଣ୍ଡ ନଦେଉ । ପୋଲିସ ଯେଭଳି ଭାବେ ଗୁଜୁରାଟରୁ ଜଣେ ଘରକୁ ଆସିବା ପାଇଁ ବସରୁ ଓହ୍ଲାଇବା ପରେ ପୋଲିସ ବାଘୁଣୀ ଘଟଣାରେ ଗିରଫ କରି ଜେଲ ପଠାଇଲା ।ସେଥିପାଇଁ ପୋଲିସର ମାତ୍ରାଧିକ କାରନାମାକୁ ନିନ୍ଦା କରୁଛି ଓ ରାଜ୍ୟ ସରକାରକୁ ସତର୍କ କରାଉଛି ଦୋଷୀକୁ ଦଣ୍ଡ ମିଳୁ ନିଦେ୍ର୍ଧାଷୀକୁ ପୋଲିସ ଜେଲ ଦଣ୍ଡ ନଦେଉ । ଆଉ ଏହି ୪୧ ଦିନର ଜେଲ ଦଣ୍ଡ କେବଳ ଜନସାଧାରଣଙ୍କ ପାଇଁ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ସୂଚନା ଯେ, ପୋଲିସ ବାଘୁଣୀ ଘଟଣାକୁ ନେଇ ଭାଗିରଥି ପ୍ରଧାନଙ୍କ ନାମରେ ପ୍ରାୟ ୧୧ଟି ମାମଲା ରୁଜୁ କରିଥିଲା । ଆଜି ଜାମିନ ମିଳିବା ଖବର ପାଇ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି,ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଢେ଼ଙ୍କାନାଳ ଜିଲା ସଭାପତି ବିଭୂତି ପ୍ରଧାନ,ପୂର୍ବତନ ଭାଜପା ଜିଲା ସଭାପତି ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ନିର୍ମଳ ଅଗ୍ରୱାଲ, ଯଯାତି ପଟ୍ଟନାୟକ, ଅମିୟ ତି୍ରପାଠୀ, ପ୍ରତିମା ମିଶ୍ର, ନମିତା ଦଳବେହେରା, ରୋଜାଲିନ ଦାସଙ୍କ ସମେତ ବହୁ ଭାଜପା କର୍ମୀ ଜେଲ ସମ୍ମୁଖରେ ରୁଣ୍ଡ ହୋଇଥିଲେ ।ଶ୍ରୀ ପ୍ରଧାନ ଜେଲରୁ ବାହାରିବା ପରେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ତାପରେ ଶ୍ରୀ ପ୍ରଧାନ ଏକ ବିଶାଳ ଶୋଭାଯାତ୍ରାରେ କର୍ମୀମାନଙ୍କ ସହ ମା ବୁଢ଼ୀଠାକୁରାଣୀ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ଏହି ଘଟଣାକୁ ନେଇ ଭାଜପା କର୍ମୀମାନେ ସ୍ଳୋଗାନ ଦେଇଥିଲେ ଯେ ଅନୁଗୋଳ ଏସ୍ପିଙ୍କର ମନମାନୀ ଚଳିବ ନାହିଁ ଆଉ ନିରୀହ ଲୋକଙ୍କୁ ଗିରଫଦାରୀ ଚଳିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏହି ମାମଲାରେ ଗତକାଲି ୩୦ ଜଣ ସର୍ତ୍ତମୂଳକ ଜାମିନରେ ବାହାରିଥିଲେ । ଜାମିନରେ ବାହାରିଥିବା ପରେ ଓଡ଼ିଶା ପିସିସି ଉପସଭାପତି ଇଂ.ସସ୍ମିତା ବେହେରା, ଜିଲା କଂଗ୍ରେସ ସଭାପତି ବିପ୍ଲବ ଜେନା, କାର୍ଯ୍ୟକାରୀ ସଭାପତି ସୁରେଶ ବେହେରା, ଜିଲା କଂଗ୍ରେସ ଓବିସି ସେଲ୍ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ପ୍ରମୁଖ ଦଳୀୟ କର୍ମୀମାନଙ୍କ ସହିତ ଜେଲ ସମ୍ମୁଖକୁ ଯାଇ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ସୋମବାର ଦିନ ଟାଇଁସି ଗ୍ରାମ କମିଟି ସଭାପତି ସନ୍ତୋଷ ପ୍ରଧାନ, ସଂପାଦକ ପ୍ରଫୁଲ୍ଲ ସାହୁଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲପାଳକୁ ଭେଟିଥିଲେ ।