ରାତିରେ ମିଳିବ ଆହାର

Dec 6, 2018 - 16:46
 160
ରାତିରେ ମିଳିବ ଆହାର
ଭୁବନେଶ୍ୱର,୬/୧୨(ସକାଳଖବର): ରାଜ୍ୟରେ ବିଭିନ୍ନ ପୌରାଂଚଳରେ ଥିବା ଡାକ୍ତରଖାନା ମାନଙ୍କ ନିକଟରେ ବର୍ତମାନ ୫୪ଟି ଆହାର କେନ୍ଦ୍ର ଖୋଲାଯାଇଛି । ଏହାଦ୍ୱାରା ଡାକ୍ତରଖାନାକୁ ଦୂର ସ୍ଥାନରୁ ଆସୁଥିବା ଲୋକମାନେ ମାତ୍ର ୫ ଟଙ୍କାରେ ଆହାର କେନ୍ଦ୍ରରୁ ଦିବା ଭୋଜନ ପାଇପାରୁଛନ୍ତି । ଏହି କାର୍ଯ୍ୟକ୍ରମରଲୋକପ୍ରିୟତାକୁ ଏବଂ ଡାକ୍ତରଖାନାରେ ରହୁଥିବା ରୋଗୀମାନଙ୍କ ସମ୍ପର୍କୀୟ ମାନଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ମାନଙ୍କରେ ରାତି୍ରଭୋଜନ ବ୍ୟବସ୍ଥା ଆରମ୍ଭ ହେବ । ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସଂଯୁକ୍ତ କରିବା ଉଦେ୍ଧଶ୍ୟରେ ଅନ୍ ଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଜନସାଧାରଣ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ, ବିବାହ ବାର୍ଷିକୀ ଏବଂ ଶ୍ରାଦ୍ଧ ଆଦି ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ । ଏଥିପାଇଁ କେବଳ ଅନ ଲାଇନରେ ଦାନ ଗ୍ରହଣ କରାଯିବ ଏବଂ ଏଥିରେ ଶତପ୍ରତିଶତ ଆୟକର ରିହାତି ମିଳିବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ସେହିପରି ବର୍ତମାନ ରାଜ୍ୟର ୭୬ଟି ପୌରାଂଚଳରେ ଆହାର କେନ୍ଦ୍ର ଥିବା ବେଳେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଠାରୁ ଏହି ସୁବିଧା ସାରା ରାଜ୍ୟର ଅବଶିଷ୍ଟ ୩୨ଟି ପୌରାଂଚଳରେ ଉପଲବ୍ଧ ହେବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆହାର କେନ୍ଦ୍ରରେ ସାରା ରାଜ୍ୟରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ରିହାତି ଦରରେ ଖାଦ୍ୟ ଯୋଗାଇ ଦିଆଯାଇ ପାରିବ ।ଆହାର କେନ୍ଦ୍ର ମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତା ଏବଂ ପରିଚ୍ଛନ୍ନତାର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଉପସ୍ଥିତ ଥିଲେ ।