ମହିଳାଙ୍କ ପିଠିରୁ ବାହାରିଲା ତୀର

Jun 8, 2018 - 14:51
 158
ମହିଳାଙ୍କ ପିଠିରୁ ବାହାରିଲା ତୀର
କଟକ, ୭ା୬/(ସକାଳଖବର): ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଜଣେ ମହିଳାଙ୍କ ପିଠିରେ ପଶିଥିବା ତୀରକୁ ବାହାର କରାଯାଇଛି । ହୃଦ୍ବକ୍ଷଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ସାଢେ ୩ଘଣ୍ଟାଧରି ଅସ୍ତ୍ରୋପଚାର କରିବାପରେ ମହିଳା ଜଣକ ନୂଆ ଜୀବନ ପାଇଛନ୍ତି । ତାଙ୍କୁ ଏବେ ବିଭାଗର ଆଇସିୟୁରେ ଥିବାବେଳେ ୪୮ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗୁରୁବାର ସକାଳେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଦଉଡିପାଳ ଗାଁର ଅଭିମନ୍ୟୁ ଜେନା ନାମକ ଜଣେ ଯୁବକ ପୂର୍ବ ଶତୃତାରୁ ଅଳି ଜେନା(୩୨)ଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ ।ଏହାକୁ ବିରୋଧ କରିଥିଲେ ଅଳି । ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଭିମନ୍ୟୁ ରାଗିଯାଇ ଘରୁ ଧନୁତୀର ଆଣି ଅଳିଙ୍କ ଉପରକୁ ମାରିଥିଲେ । ଗୋଟିଏ ତୀର ଅଳିଙ୍କ ପିଠିରେ ଗଳିଯାଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କ ପିଠିରେ ପଶିଥିବା ତୀର ସହିତ ଏକ ବାଇକରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଚିକିତ୍ସାଳୟ ନିଆଯାଇଥିଲା । ପରିସ୍ଥିତି ସଙ୍କଟାପନ୍ନ ଥିବାରୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ସେ କାଜୁଆଲିଟିରେ ରହି ଚିକିତ୍ସିତ ହେଉଥିବାବେଳେ ଆଜି ସକାଳେ ହୃଦବକ୍ଷଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ପଟ୍ଟନାୟକଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଥିଲା । ଡାକ୍ତର ସାରଦା ପ୍ରସନ୍ନ ସାହୁ, ଚିତ୍ତରଞ୍ଜନ ଛାଟୋଇ, ଅରୁଣ କୁମାର ସାହୁ, ସତ୍ୟରଞ୍ଜନ ସାହୁ ଓ କଲ୍ୟାଣୀବାଳା ନାୟକଙ୍କୁ ନେଇ ପ୍ରଫେସର ପଟ୍ଟନାୟକରେ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଅପରାହ୍ନ ସାଢେ ୧୨ରୁ ୪ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଚାଲିଥିବାବେଳେ ସଫଳତାର ସହ ତୀରକୁ କଢାଯାଇଥଲା । ତୀରଟି ମହିଳାଙ୍କ ପିଠି ପଟୁ ହୃତପିଣ୍ଡ ପର୍ଯ୍ୟନ୍ତ ପଶିଯାଇଥଲା । ତୀରର କ୍ଷତରେ ଯେପରି ସଂକ୍ରମଣ ନହେବ ସେଥିପ୍ରତି ବିଶେଷ ଧ୍ୟାନ ରଖାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।