ମହାବିଦ୍ୟାଳୟ ଭିତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବିନିଯୋଗ କରିବେ ୧୭ ଟଙ୍କା
ଭୁବନେଶ୍ୱର,୩୧/୮ (ସକାଳଖବର): ରାଜ୍ୟର ଜନଜାତି ଅଧ୍ୟୁଷିତ ପଛୁଆ ଅଂଚଳରେ ଥିବା ୧୧ଟି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭିତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୧୬ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗ କରିବେ । ପ୍ରତ୍ୟେକ ମହାବିଦ୍ୟାଳୟ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାପାଇଁ ନିଷ୍ପତି ହୋଇଛି । ଏହି ଭିତିଭୂମିର ସହାୟତା ପାଇଥିବା ମହାବିଦ୍ୟାଳୟ ଗୁଡ଼ିକ ହେଲା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ମହାବିଦ୍ୟାଳୟ, ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ ମହାବିଦ୍ୟାଳୟ, କେନ୍ଦୁଝର ଜିଲ୍ଲା ଚମ୍ପୁଆର ଚନ୍ଦ୍ରଶେଖର ମହାବିଦ୍ୟାଳୟ ଏବଂ ଆନନ୍ଦପୁର ମହାବିଦ୍ୟାଳୟ, ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱର ଜିଲ୍ଲାର ନୀଳଗିରି ମହାବିଦ୍ୟାଳୟ, ମାଲକାନଗିରି ଜିଲ୍ଲାର ମାଲକାନଗିରି ମହାବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମହାବିଦ୍ୟାଳୟ, ରାୟଗଡ଼ା ଜିଲ୍ଲାର ଗୁଣୁପୁର ମହା ବିଦ୍ୟାଳୟ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆଦିବାସୀ ମହାବିଦ୍ୟାଳୟ ଓ ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର କଲେଜ । ଏହି ସମସ୍ତ ମହାବିଦ୍ୟାଳୟରେ ଗୁଣାତ୍ମକ ମାନ ଶିକ୍ଷା ପ୍ରଦାନ ପାଇଁ ପରିବେଶ ସୃଷ୍ଟି କରିବା ସହ ଭିତିଭୂମିର ସୁବିଧା ମିଳିବ । ଏ ସବୁ କଲେଜରେ ୨୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନସିଂ ମାଧ୍ୟମରେ କଲେଜ କର୍ତୃପକ୍ଷ, ସ୍ଥାନୀୟ ଲୋକ ପ୍ରତିନିଧି, ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଓ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।