ଭଦ୍ରକ କଂଗ୍ରେସ ନେତାଙ୍କୁ ଟିକେଟ୍ ଚିନ୍ତା

Aug 18, 2018 - 18:02
 189
ଭଦ୍ରକ କଂଗ୍ରେସ ନେତାଙ୍କୁ ଟିକେଟ୍ ଚିନ୍ତା
ଭଦ୍ରକ, ୧୮/୮ (ସକାଳଖବର): ରାଜ୍ୟରେ ପିସିସି ପରିବର୍ତନ ପରେ ଭଦ୍ରକ ଜିଲା କଂଗ୍ରେସ ନେତାଙ୍କୁ ଦଳୀୟ ଟିକେଟ୍ ଚିନ୍ତା ଘାରିଛି । ବିଶେଷକରି ଦୁଇଟି ନିର୍ବାଚନରେ ପରାଜୟ ବରଣ କରିଆସୁଥିବା ଦଳର ପ୍ରମୁଖ ନେତାଙ୍କୁ ଏହି ଚିନ୍ତା ବ୍ୟତିବ୍ୟସ୍ତ କରିଥିବା କୁହାଯାଉଛି । କାରଣ ହାରୁଥିବା ନିର୍ବାଚନମଣ୍ଡଳୀରେ ସେମାନଙ୍କ ପ୍ରଭାବ ଆଜି ମଧ୍ୟ ଅତୁଟ ରହିଥିଲେ ମଧ୍ୟ ସେମାନଙ୍କ ହାରିବାର ଟ୍ରାକ୍କୁ ଆଖିରେ ରଖି ଆଗାମୀ ନିର୍ବାଚନରେ ସେମାନଙ୍କୁ ସୁଯୋଗ ମିଳିନପାରେ ବୋଲି ଚର୍ଚ୍ଚା ହେଉଛି । ତାଛଡା ଆଗାମୀ ନିର୍ବାଚନରେ ଦଳ ଯୁବ ନେତୃତ୍ୱ ଉପରେ ଗୁରୁତ୍ୱ ଦେବାକୁ ଯାଉଥିବା ଯୋଗୁଁ ଏହି ଆଧାରରେ ମଧ୍ୟ ସେମାନଙ୍କୁ ଦଳୀୟ ଟିକେଟ୍ରୁ ହାତ ଧୋଇବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ନିର୍ବାଚନରେ ଦଳ ଏହି ରଣନୀତି ଗ୍ରହଣ କଲେ ଭଦ୍ରକ ଜିଲାର ୫ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନୂ୍ୟନ ୪ଟି ନିର୍ବାଚନମଣ୍ଡଳୀରେ ଦଳର ଟିକଟ ପରିବର୍ତନ ପକ୍କା ମନେ କରାଯାଉଛି । ତେବେ ଜିଲାରେ ଦଳର ପରାଜିତ ପ୍ରାର୍ଥୀଙ୍କ ହ୍ୟାଟି୍ରକ୍ ପରାଜୟ ରୋକିବା ସକାଶେ ଦଳ ଯଦି ପ୍ରାର୍ଥୀ ପରିବର୍ତନ କରେ, ତେବେ ସେମାନଙ୍କ ବିକଳ୍ପକୁ ନେଇ ଏବେ ଜିଲା କଂଗ୍ରେସ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଦଳୀୟ ଗୋଷ୍ଠୀ କନ୍ଦଳ ଏବଂ ବାରମ୍ବାର ନେତୃତ୍ୱ ପରିବର୍ତନ ଯୋଗୁଁ ଭଦ୍ରକ ଜିଲାରେ ଗତ ଦୁଇପାଳି ଧରି କଂଗ୍ରେସ ଶୋଚନୀୟ ପ୍ରଦର୍ଶନ ଜାରି ରଖିଛି । ଭଦ୍ରକ ଜିଲାର ଭଦ୍ରକ ନିର୍ବାଚନ ମଣ୍ଡଳୀ ଠାରୁ ଆରମ୍ଭ କରି ବାସୁଦେବପୁର, ଚାନ୍ଦବାଲି, ଧାମନଗର ଏବଂ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଏପରିକି ଜିଲାର ଏକମାତ୍ର ସଂସଦୀୟ ଆସନରେ ଦଳର ଏହି ପ୍ରଦର୍ଶନ ଜାରି ରହିଛି । ଯଦିବା କେବଳ ଧାମନଗର ବିଧାନସଭା ଆସନକୁ ଛାଡି ଦଳ ଅନ୍ୟ ସବୁ ଆସନରେ ପ୍ରତିଦ୍ୱନ୍ଦିତା ଦୌଡରେ ଦ୍ୱିତୀୟ ସ୍ଥାନରେ ରହିଆସୁଛି, ତଥାପି ଦଳକୁ ଗୋଟିଏ ହେଲେ ଆସନେ ରସଫଳତା ମିଳୁନାହିଁ । ଭଦ୍ରକ, ବାସୁଦେବପୁର ଏବଂ ଚାନ୍ଦବାଲି ବିଧାନସଭା ଆସନରେ ଦଳ ଗତ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ଅପରିବର୍ତନୀୟ ରଖି ଆସୁଥିଲେ ମଧ୍ୟ ଦଳକୁ ସଫଳତା ମିଳୁନାହିଁ । ଭଦ୍ରକ ବିଧାନସଭା ଆସନରେ ପୂର୍ବତନ ବିଧାୟକ ନରେନ ପଲାଇ, ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଦଳର ବରିଷ୍ଠ ନେତା ମାଧବାନନ୍ଦ ମଲ୍ଳିକ ଏବଂ ଚାନ୍ଦବାଲି ଆସନରେ ଅମୀୟ ମହାପାତ୍ରଙ୍କୁ ଦଳ ଦୁଇଦୁଇଥର ପ୍ରାର୍ଥୀ କରି ପରାଜିତ ହେବା ପରେ ଦଳ ଏହି ନେତାଙ୍କ ଉପରୁ ମୁହଁ ଫେରାଇବାକୁ ଆରମ୍ଭ କରିଥିବା ଜଣାପଡିଛି । ଦଳପକ୍ଷରୁ ଏଥିନେଇ କୌଣସି ଖୁଲାସା କରାଯାଇନଥିବାବେଳେ ତେବେ ଆଗାମୀ ୨୦୧୯ ନିର୍ବାଚନରେ ସେମାନଙ୍କ ଟିକଟ ଯେ ପକ୍କା ତାହା କହି ହେଉନାହିଁ । ସେହିଭଳି ଭଣ୍ଡାରିପୋଖରୀ ବିଧାନସଭା ଆସନରେ ଗତ ୨୦୦୯ ନିର୍ବାଚନୀରେ ଦଳୀୟ ଟିକଟରୁ ନିର୍ବାଚନ ଲଢିଥିବା ଦଳର ଜିଲା ସଭାପତି ବଦ୍ରି ନାରାୟଣ ଧଳଙ୍କ ଦଳତ୍ୟାଗ ୨୦୧୪ ନିର୍ବାଚନରେ ସେଠାରେ ଦଳର ଅନ୍ୟତମ ଯୁବନେତା ସୁବ୍ରତ ଦାସଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲା । ତେବେ ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଅନ୍ୟାନ୍ୟ ଦଳୀୟ ନେତାଙ୍କ ଭଳି ତାଙ୍କୁ ମଧ୍ୟ ପରାଜୟ ବରଣ କରିବାକୁ ପଡିଥିଲା । ଆଗାମୀ ନିର୍ବାଚନରେ ଏହି ଆସନ ପାଇଁ ସୁବ୍ରତ ଦଳର ଅନ୍ୟତମ ମୁଖ୍ୟ ଦାବିଦାର ଭାବେ ପରିଗଣିତ ହେଉଥିଲେ ମଧ୍ୟ ପରିବର୍ତିତ ରାଜନୈତିକ ସମୀକରଣରେ ପିସିସିର ନଜର ଏହି ଆସନ ଉପରେ ରହିଥିବା ଚର୍ଚ୍ଚା ହେଉଛି । ସେହିଭଳି ଏକଦା କଂଗ୍ରେସର ଦୁର୍ଗ ଭାବେ ବିବେଚନା କରାଯାଇଆସୁଥିବା ଧାମନଗର ନିର୍ବାଚନ ମଣ୍ଡଳୀ ଆରକ୍ଷଣଯୁକ୍ତ ହେବା ପରେ ଦଳର ଅବସ୍ଥା ଏଠାରେ ଶୋଚନୀୟ ହୋଇପଡିଛି । ପ୍ରତିଦ୍ୱନ୍ଦ୍ୱିତାରେ ରହିବା ଦୂରକୁ ଥାଉ ନିର୍ବାଚନ ଲଢିବାକୁ ଦଳକୁ ଏଠାରେ ଉପଯୁକ୍ତ ପ୍ରାର୍ଥୀ ମିଳୁନାହାଁନ୍ତି । ଗତ ୨୦୧୪ ନିର୍ବାଚନରେ ଦଳ ଏଠାରୁ ଜଣେ ନବାଗତ ହୃଦାନନ୍ଦ ସେଠୀଙ୍କୁ ପ୍ରାର୍ଥୀ କରିଥିବାବେଳେ ତାଙ୍କ ପ୍ରଦର୍ଶନ ସଂପୂର୍ଣ୍ଣ ନୈରାଶ୍ୟ ଜନକ ସାବ୍ୟସ୍ତ ହୋଇଥିଲା । ପ୍ରତିଦ୍ୱନ୍ଦ୍ୱିତାରେ ରହିବା ଦୂରକୁ ଥାଉ ଏହି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ନିଜ ଅମାନତ ରଖିବାକୁ ମଧ୍ୟ ସମର୍ଥ ହୋଇନାହାଁନ୍ତି । ଏପରି ସ୍ଥଳେ ଚଳିତ ନିର୍ବାଚନରେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । କେବଳ ଭଦ୍ରକ ଜିଲାରେ ଏହି ୫ ଗୋଟି ବିଧାନସଭା ଆସନ କ୍ଷେତ୍ରରେ ନୁହେଁ ଭଦ୍ରକ ସଂରକ୍ଷିତ ସଂସଦୀୟ ଆସନରେ ମଧ୍ୟ ଦଳପାଇଁ ସମାନ ସଂକଟ ରହିଛି । ଗତଥର ରାଜନୈତିକ ଛକାପଞ୍ଝା ମଧ୍ୟରେ ଭଦ୍ରକ ଜିଲାର ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ କେଶରୀ ଜେନାଙ୍କୁ ଦଳୀୟ ପ୍ରାର୍ଥୀ କରାଯିବା ଦଳୀୟ ପରାଜୟର ଅନ୍ୟତମ ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି । ତେବେ ପିସିସି ପରିବର୍ତନ ପରେ ଭଦ୍ରକ ଜିଲାରେ ଦଳର ଆଗାମୀ ରଣନୀତି କଣ ହେବ, ତାହା ଏଯାଏ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦଳୀୟ ଟିକଟକୁ ନେଇ ଦଳର ପ୍ରମୁଖ ନେତାମାନେ ଦ୍ୱନ୍ଦରେ ପଡିଥିବା ବେଳେ ନବାଗତ ଯୁବନେତାମାନେ ଆଶାୟୀ ହୋଇଉଠିଛନ୍ତି ।