ରଙ୍ଗାରଙ୍ଗ ସାଂସ୍କୃତିକ ଝଲକରେ ଆରମ୍ଭ ହେଲା ହକି ମହାକୁମ୍ଭ
ଭୁବନେଶ୍ୱର,୨୭/୧୧ (ସକାଳଖବର): ଆଜିଠାରୁ କଳିଙ୍ଗ ଷ୍ଟାଡିୟମ ଠାରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ୧୮ଦିନଆ ହକି ମହାକୁମ୍ଭକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଆରେ ଏବଂ ତା’ପରେ ଇଂରାଜୀରେ ଭାଷଣ ଦେଇଥିଲେ । ଓଡ଼ିଆ ଭାଷଣରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ନମସ୍କାର କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପୁରୁଷ ହକି ବିଶ୍ୱକପ୍ ଆୟୋଜନ ପାଇଁ ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିଥିଲେ ଏବଂ ଦର୍ଶକମାନେ ଉତରରେ କହିଥିଲେ ହଁ । ପୁଣି ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବି ଖୁସି । ପରେ ଦେଇଥିବା ଇଂରାଜୀ ଭାଷଣରେ ବିଶ୍ୱବାସୀଙ୍କୁ ସ୍ୱାଗତ କରିଥିଲେ ଏବଂ ପରେ ହକି ଇଣ୍ଡିଆ ସହିତ ସମସ୍ତ ଖେଳାଳୀ ଏବଂ କର୍ମକର୍ତାଙ୍କୁ ସ୍ୱାଗତ କରିଥିଲେ । ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ମଧ୍ୟ ସ୍ୱାଗତ କରିଥିଲେ । ଏହାପରେ ହକି ବିଶ୍ୱକପ୍କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାବେଳେ ଆତସବାଜି ପ୍ରଦର୍ଶନ କରାଯାଇଥିଲା ।
ଅନ୍ୟପକ୍ଷରେ ଓଡ଼ିଶାକୁ ଆସିବା ପାଇଁ ଆମନ୍ତ୍ରଣ କରିଥିବାରୁ ଶାହାରୁଖ ଖାଁ ଓଡ଼ିଶାବାସୀଙ୍କୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶାହାରୁଖ ଖାଁ ତାଙ୍କ ଭାଷଣରେ କହିଥିଲେ ଯେ, ହକି ଖେଳ ପ୍ରତି ମୋର ଦୁର୍ବଳତା ରହିଛି । ମୋ ବାପା ଜଣେ ହକି ଖେଳାଳୀ ଥିଲେ । ମୁଁ ମଧ୍ୟ ସ୍କୁଲରେ ପଢ଼ୁଥିବାବେଳେ ହକି ଖେଳୁଥିଲି । ମୋ ପୁଅକୁ ମଧ୍ୟ ହକି ଖେଳିବା ପାଇଁ ପ୍ରୋତ୍ସାହିତ କରୁଛି । ମୁଖ୍ୟମନ୍ତ୍ରୀ ଡୁନ ସ୍କୁଲରେ ପଢ଼ୁଥିବାବେଳେ ଗୋଲକିପର ଥିଲେ ବୋଲି ସେ କହିଥିଲେ । ପରେ ଚକ୍ ଦେ ଇଣ୍ଡିଆର ସଂଳାପ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।
ହକି ଇଣ୍ଡିଆର ମୁଖ୍ୟ ନରେନ୍ଦ୍ର ବାତ୍ରା କହିଥିଲେ ଯେ, ଖୁବ୍ କମ୍ ସମୟ ମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମକୁ ଆନ୍ତର୍ଜାତିକ ସ୍ତରରେ ହକି ଖେଳିବା ପାଇଁ ଉପଯୋଗୀ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ତଥା କ୍ରିଡ଼ା ରାଜଧାନୀ ଭାବେ ପରିଣତ ହୋଇଛି । ତେଣୁ ଓଡ଼ିଶାବାସୀ ଏବଂ ମୁଖ୍ୟ ମନ୍ତ୍ରୀଙ୍କ ଠାରେ ହକି ଇଣ୍ଡିଆ ଅନୁଗୃହୀତ ।
ଏହି ବିଶ୍ୱକପ୍ରେ ଭାଗ ନେଇଥିବା ସମସ୍ତ ଦଳର ଅଧିନାୟକ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କରମର୍ଦ୍ଧନ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭୂମାତା ଗୀତରେ ମନମୋହିଲେ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ । ଦେଶର ବିଭିନ୍ନ ପାରମ୍ପାରିକ ନୃତ୍ୟ ସହିତ ଅନ୍ୟାନ୍ୟ ଦେଶର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ବିଶିଷ୍ଟ ସଙ୍ଗୀତକାର ଏ.ଆର୍. ରେହେମାନ ଏବଂ ତାଙ୍କ ସାଥି କଳାକାର ବଲିଉଡ଼ର ବିଭିନ୍ନ ଲୋକପ୍ରିୟ ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ସେମଧ୍ୟରେ ଦିଲ୍ସେ ରେ..., ଦିଲ୍ ହେ ଛୋଟା ସା, ହମ୍ମା ହମ୍ମା ପ୍ରଭୃତି ଗୀତରେ ଦର୍ଶକେ ଝୁମିଥିଲେ ।
ଦର୍ଶକମାନେ ମନଭରି ଧକ୍ ଧକ୍ ଗର୍ଲଙ୍କର ନୃତ୍ୟକୁ ଉପଭୋଗ କରିଥିଲେ । ସୃଷ୍ଟିର ରହସ୍ୟ ସହ ମା' ଦୂର୍ଗାଙ୍କର ବିଭିନ୍ନ ସ୍ୱରୂପ ଓ ପଂଚଭୂତ ବିଷୟରେ ମାଧୁରୀ ନିଜ ନୃତ୍ୟମାଧ୍ୟମରେ ଉପସ୍ଥାପନା କରିଥିଲେ । ସଙ୍ଗୀତର ତାଳେ ତାଳେ ଅ ।ଲୋକ ଓ ଲେଜର ସୋ'ର ପ୍ରଦର୍ଶନ ବେଶ ଚିତାର୍କଷକ ହୋଇଥିଲା ।୧୧ ଶହ କଳାକାରଙ୍କ ମଝିରେ ମଦର ଅ ।ର୍ଥ ଭାବେ ନଜର ଅ ।ସିଲେ ମାଧୁରୀ । ନିଜର ନୃତ୍ୟ ମାଧ୍ୟମରେ ବିଶ୍ୱକୁ ଏକତା ବାର୍ତା ଦେଇଥିଲେ ।
ବଲିଉଡର ଷ୍ଟାର ମାନଙ୍କର ଗୋଟିଏ ଝଲକ୍ ପାଇଁ ଷ୍ଟାଡିୟମ୍ ଖଚାଖଚ୍ ଭରି ରହିଥିଲା । ମଝିରେ ମଝିରେ ଦର୍ଶକମାନେ କରତାଳି ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବାର ଦେଖିବାକୁ ମିଳିଥିଲା ।