ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ସିପିଆଇର ସମର୍ଥନ

Dec 10, 2018 - 18:20
 171
ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ସିପିଆଇର ସମର୍ଥନ
ଭୁବନେଶ୍ୱର,୧୦/୧୨(ସକାଳଖବର): ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ବିଜେପି/ଏନଡିଏ ସରକାରଙ୍କ ଶାସନରେ ଦେଶର ସମ୍ବିଧାନ ଓ ଧର୍ମ ନିରପେକ୍ଷତାକୁ ବିପନ୍ନ ଏବଂ ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରାଯାଉଛି । ଏଣୁ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ବିଜେପି ବିରୋଧରେ ମିଳିତ ସଂଗ୍ରାମ ଚଳାଯିବା ଆବଶ୍ୟକ । ଏଥିପାଇଁ ଆଜି ଆମ ଦେଶର ଅଧିକାଂଶ ବିରେଧୀ ଦଳ ନୂଆ ଦିଲ୍ଲୀଠାରେ ଏକ ବୈଠକରେ ମିଳିତ ହୋଇଛନ୍ତି । ଏହା କହିଛନ୍ତି ସିପିଆଇର ଜାତୀୟ ସମ୍ପାଦକ ଡ. କେ. ନାରାୟଣା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେ. ନାରାୟଣା ଆଜି ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି - ବିଜେପି ଶାସନର ଛତ୍ରଛାୟା ତଳେ ସମଗ୍ରଦେଶରେ ଅସହିଷ୍ଣୁତାର ନିଆଁ ପ୍ରଜ୍ଜ୍ୱଳିତ କରାଯାଉଛି, ସଂଖ୍ୟାଲଘୁ ଓ ଦଳିତ ମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି । ସାମ୍ପ୍ରଦାୟିକ ଫାସିଷ୍ଟ ଶକ୍ତିମାନେ ସୁପ୍ରିମକୋର୍ଟକୁ ଅମାନ୍ୟ କରି, ଏହାର ରାୟକୁ ଅପେକ୍ଷା ନ କରି ରାମ ମନ୍ଦିର ନିର୍ମାଣ ଅଭିଯାନ ଜରିଆରେ ଦେଶ ବ୍ୟାପୀ ଅରାଜକତା ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ବିଜେପି ସରକାର ଦରଦାମ୍ ନିୟନ୍ତ୍ରଣ, ବର୍ଷକୁ ୨ କୋଯି ନିଯୁକ୍ତି ଓ କଳା ଟଙ୍କା ଉଦ୍ଧାରରେ ବିଫଳ ହୋଇ ଜନ ଆକ୍ରୋଶର ସମ୍ମୁଖୀନ ହେଉଥିବାରୁ ଏହି ରାମ ମନ୍ଦିର ପ୍ରସଙ୍ଗକୁ ଆଗାମୀ ସାଧାରଣ ନିର୍ବାଚନରେ ଅସ୍ତ୍ର କରିବାକୁ ଯାଉଛି । ମାତ୍ର ଏହା ସତ୍ୱେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରୁ ବିଜେପିର ପତନ ପର୍ବ ଆରମ୍ଭ ହେବ । ଜାନୁୟାରୀ ୮ ଓ ୯ରେ ଶ୍ରମିକ ଶ୍ରେଣୀର ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ୨ ଦିନିଆ ଭାରତ ବନ୍ଦ ରେ ପରିଣତ ହୋଇ ବିଜେପି ବିରୋଧରେ ମହାସଂଗ୍ରାମର ଶୁଭାରମ୍ଭ କରିବ । ଏହି ବିଜେପି ବିରୋଧ ମହାସଂଗ୍ରାମରେ ସାମିଲ ହେବା ପାଇଁ ସେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ବିରୋଧରେ ୨୦୧୯ ନିର୍ବାଚନର ରଣନୀତି ପ୍ରସ୍ତୁତ ପାଇଁ ଆଗାମୀ ଡିସେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ସିପିଆଇ ଜାତୀୟ ପରିଷଦର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ସହିତ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣକୁ ସିପିଆଇ ସମର୍ଥନ କରିବ ବୋଲି ଘୋଷଣା କରିବା ସଂଗେ ସଂଗେ ମହିଳା ସଂରକ୍ଷଣ ବିଲ୍ ପାଶ୍ ନ ହୋଇଥିବାରୁ ସିପିଆଇ ସାଂସଦ ଗୀତା ମୁଖାର୍ଜୀ ଦେବଗୌଡ଼ା ଓ ଗୁଜୁରାଲ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହେବା ପାଇଁ ମନା କରିଦେଇଥିବା ବିଷୟ ସେ ସ୍ମରଣ କରାଇଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, କେନ୍ଦ୍ର କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ ଓ ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ ଉପସ୍ଥିତ ଥିଲେ