ବିଜେପିକୁ ଭୋଟ ଦେଲେ ଓଡିଶାକୁ ଏକ ନମ୍ବର ରାଜ୍ୟ କରିବୁ : ଶାହା

Jan 30, 2019 - 06:12
 136
ବିଜେପିକୁ ଭୋଟ ଦେଲେ ଓଡିଶାକୁ ଏକ ନମ୍ବର ରାଜ୍ୟ କରିବୁ :  ଶାହା
ଭୁବନେଶ୍ୱର, ୨୯/୧(ସକାଳଖବର): ନୂତନ ତଥା ସମୃଦ୍ଧ ଓଡିଶା ଗଠନ କରିବାକୁ ହେଲେ ଜଣେ ଓଡିଆ କହୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ହେବ । ଏଥିପାଇଁ ବିଜେପିକୁ ରାଜ୍ୟରେ ଶାସନ କ୍ଷମତାକୁ ଆଣିବାକୁ ପଡିବ । ସଂକଳ୍ପବଦ୍ଧ ହୋଇ ଆଗାମୀ ନିର୍ବାଚନରେ ଦଳକୁ ବିଜୟୀ କରିବାଲାଗି ଉଦ୍ୟମ କରିବାପାଇଁ ଦଳୀୟ କାର୍ଯ୍ୟକର୍ତା ମାନଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆହ୍ୱାନ ଦେଇଛନ୍ତି । ଓଡିଶାବାସୀଙ୍କୁ ଅପିଲ କି କଂଗ୍ରେସକୁ ୫୫ ବର୍ଷ ଦେଲେ, ୧୯ ବର୍ଷ ବିଜେଡିକୁ ସୁଯୋଗ ଦେଲେ କିନ୍ତୁ ରାଜ୍ୟର ବିକାଶ ହେଲା ନାହିଁ । ବିଜେପିକୁ ୫ ବର୍ଷ ଦିଆଗଲେ ରାଜ୍ୟର ବିକାଶ ହେବ ଏବଂ ଓଡିଶା ଏକ ନମ୍ବର ହେବ ବୋଲି ଶ୍ରୀ ଶାହା କହିଛନ୍ତି । ମଙ୍ଗଳବାର ଦିନିକିଆ ଓଡିଶା ଗସ୍ତରେ ଆସି ସାଲେପୁରର କୁଳିଆ ଠାରେ ଦଳ ପକ୍ଷରୁ ଆୟୋଜିତ ୪ ଜିଲ୍ଲାର , ୨୮ଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତାମାନଙ୍କ ବୈଠକରେ ଉଦବୋଧନ ଦେଇ ଶ୍ରୀ ଶାହା ଏହି ଆହ୍ୱାନ ଦେଇଥିଲେ । ଉଭୟ କଂଗ୍ରେସ ଓ ବିଜେଡି କୁ ଟାର୍ଗେଟ୍ କରି ସେ କହିଥିଲେ ଯେ ଏହି ଦୁଇ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । କଂଗ୍ରେସ ଦଳ ୫୫ ବର୍ଷ ଏବଂ ବିଜେଡି ୧୯ ବର୍ଷ ଶାସନ କ୍ଷମତାରେ ରହିଥିଲେ ହେଁ ଓଡିଶାର ବିକାଶ ହୋଇପାରିଲାନାହିଁ । ଗରିବୀ ଦୂର ହୋଇପାରିଲା ନାହିଁ । ସେମାନେ ବିଜେପିକୁ କ୍ଷମତାକୁ ନଆଣିବା ପାଇଁ ପରସ୍ପରକୁ ସମର୍ଥନ କରିଥାନ୍ତି । ସେମାନଙ୍କ ଭିତରେ ବୁଝାମଣା ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ସେ କହିଥିଲେ ଯେ ଏହି ସରକାର ଦଳିତ ,ଆଦିବାସୀମାନ ଓ ବିକାଶର ବିରୋଧୀ । ଓଡିଶାର ବିକାଶ ହେଉ ବୋଲି ସେ ଚାହାନ୍ତି ନାହିଁ । ବହୁ କେନ୍ଦ୍ରୀୟ ଯୋଜନାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିନାହାନ୍ତି । କେନ୍ଦ୍ର ସରକାରଙ୍କ ଲୋକପ୍ରିୟତା ଭୟରେ କେନ୍ଦ୍ରୀୟ ଯୋଜନା ଗୁଡିକୁ ଓଡିଶାରେ କାର୍ଯ୍ୟକାରୀ କରାଯାଉନାହିଁ । ମୋଦି ସରକାର କ୍ଷମତାସୀନ ହେବା ପରେ ଓଡିଶାକୁ କଂଗ୍ରେସ ଅପେକ୍ଷା ୮ ଗୁଣା ଅଧିକ ଅନୁଦାନ ଦେଇଛନ୍ତି । କଂଗ୍ରେସ ସରକାରରେ ଓଡିଶାକୁ ୭୯,୦୦୦ କୋଟି ମିଳିଥିଲା । କିନ୍ତୁ ମୋଦୀ ସରକାରରେ ରାଜ୍ୟକୁ ୨୧୧୫୧୦ କୋଟି ରାଜ୍ୟର ବିକାଶ ପାଇଁ ମିଳିଛି । ଏହା ବାଦ ୫୧୦୦୦ କୋଟି ଅତିରିକ୍ତ ଅର୍ଥ ରହିଛି । ରେଳ ପାଇଁ ୨୦୦୦୦ କୋଟି, ଜଳ ପାଇଁ ୨୦୦୦ କୋଟି, ମେଡିକାଲ ପାଇଁ ୧୬୦୦୦ କୋଟି, ପୁରୁଣା ମେଡିକରାଲ ପାଇଁ ୪୦୦୦କୋଟି, ପୁରୀ ସହରର ବିକାଶ ପାଇଁ ୧୭୦୦କୋଟି, ପାରାଦ୍ୱୀପକୁ ୩୩୦୦୦ କୋଟି ଏପରି ମୋଟ ୫୧୦୦୦ କୋଟି ଟଙ୍କା ମିଳିଛ । ଏହାବାଦ ୩୩୦୦୦ କୋଟିର ଲୋନ ମଧ୍ୟ ମିଳିଛି । ଏହବାଦ ପେଟ୍ରୋଲିୟମ ସହ ଡିଏମଏଫକୁ ୪୦୦୦ କୋଟି ପରି ମୋଟ ୫ଲକ୍ଷ୧୩୦୦୦ କୋଟି ମିଳିଛି ମାତ୍ର ସେ ଅନୁଦାନ ଲୋକଙ୍କ ପାଖରେ ପହଂଚି ପାରିନାହିଁ । ଏତେ ବର୍ଷର ସରକାର ମଧ୍ୟରେ ଓଡିଶାର ଲୋକମାନଙ୍କୁ ସ୍ୱଚ୍ଛ ଜଳ, ଜଳ ସେଚନ, ଇନ୍ଧନ ଓ ବିଜୁଳି ଯୋଗାଇ ପାରିନଥିଲେ ।ଓଡିଶା ସରକାର ଜଗନ୍ନାଥଙ୍କ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ କରିପାରୁ ନାହାନ୍ତି । ମୋଦି ସରକାରଙ୍କ ଯୋଗୁ ମହିଳାମାନଙ୍କୁ ଜଳ ସଂଗ୍ରହ ପାଇଁ ଯିବାକୁ ପଡୁନି, ଧୂଆଁ ଠାରୁ ମୁକ୍ତି ମିଳିଛି । ମୋଦି ସରକାରଙ୍କ ସମୟରେ ପାକିସ୍ଥାନକୁ ଉଚିତ୍ ଜବାବ୍ ଦେବା ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଛି ବୋଲି କହିଥିଲେ ।