୧୬ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

Jan 30, 2019 - 06:03
 159
୧୬ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
ଭୁବନେଶ୍ୱର, ୨୯/୧(ସକାଳଖବର): କାଳିଆ ଯୋଜନା ଅବଧି ମଧ୍ୟରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ । କୌଣସି ଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯିବ ନାହିଁ ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । । ପୂର୍ବରୁ ୧ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତି ହୋଇଥିଲାବେଳେ ଏହି ସଂଖ୍ୟାକୁ ୫ଲକ୍ଷକୁ ବୃଦ୍ଧି କରିବା ପାଇଁ ନିଷ୍ପତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଂଚ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ବଳକା ସହାୟତା ରାଶିକୁ ଦୁଇଟି କିସ୍ତିରେ ପରବର୍ତି ସମୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି । ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ବିଭିନ୍ନ ବିଭାଗରୁ ଆସିଥିବା ୧୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବୈଠକ ପରେ କ୍ୟାବିନେଟ ସଚିବ ତଥା ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସହାୟତା ପ୍ରଦାନ ସମୟକୁ ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଖରିଫ ଫସଲର ସହାୟତା ଅକ୍ଷୟ ତୃତୀୟା ଏବଂ ରବି ଫସଲ ସହାୟତା ପାଇଁ ନୂଆଖାଇ ଦିନ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯାହାଦ୍ୱାରା ଚାଷୀମାନେ ଏହି ସହାୟତା ରାଶିରେ ସେମାନଙ୍କର କୃଷିକ୍ଷେତ୍ର ପାଇଁ ଆବଶ୍ୟକ ଦ୍ରବ୍ୟ କିଣାକିଣି ତଥା କୃଷିକାର୍ଯ୍ୟ ପ୍ରସ୍ତୁତିରେ ଅଧିକ ସମୟ ଦେଇପାରିବେ । ଏହି ଯୋଜନାରେ ୧୬୩୩କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ପାଢ଼ୀ ଏକ ପ୍ରଶ୍ନର ଉତରରେ କହିଛନ୍ତି । ସାମ୍ବାଦିକମାନଙ୍କର ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ୧୩.୩ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରେରଣ କରାଯାଇଛି । ଏହି ଯୋଜନା ବାବଦରେ ଅଧିକ ଜାଣିବା ପାଇଁ ପ୍ରାୟ ୮ଲକ୍ଷ ଚାଷୀ କାଳିଆ ବାର୍ତାରେ ଯୋଗାଯୋଗ କରିଛନ୍ତି । ୬୭ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ, ଭୂମିହୀନ, କୃଷକ ପରିବାର ଏବଂ ଭାଗଚାଷୀ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି ।