ବିଜେଡିର ହକ୍ ମାଗୁଛି ଓଡିଶା ଅଭିଯାନର ଶୁଭାରମ୍ଭ

Mar 12, 2019 - 15:11
 179
ଭୁବନେଶ୍ୱର,୧୧/୩(ସକାଳଖବର): ଏଣିକି ହକ୍ ମଗାଯିବ ନାହିଁ ହକ୍ ଛଡାଇ ଅଣାଯିବ ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି । ଓଡିଶା ପ୍ରତି ବିଭିନ୍ନ କ୍ଷେତ୍ରର କେନ୍ଦ୍ର ସରକାରଙ୍କ ଅବହେଳା , ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆନଯିବା , ବର୍ଷକୁ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦିଆନଯିବା ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଠାରେ ଏକ ବିକ୍ଷୋଭ ସମାବେଶ ମାଧ୍ୟମରେ ହକ୍ ମାଗୁଛି ଓଡିଶା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହାର ନେତୃତ୍ୱ ନେଇଥିବା ଯୁବ ନେତା ଚିନ୍ମୟ ସାହୁ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ଏନଡିଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଓଡିଶାରୁ ଯେତିକି ରାଜସ୍ୱ ନେଉଛନ୍ତି ସେ ଅନୁଯାୟୀ ଅନୁଦାନ ମିଳୁନାହିଁ । ଏହି ଅନୁଦାନ ଅର୍ଥ ଉପଯୁକ୍ତ ସମୟରେ ଦିଆଯାଉନାହିଁ । ଆର୍ଥିକ ବର୍ଷର ଶେଷରେ ଅନୁଦାନ ଅର୍ଥ ଦେଉଥିବାରୁ ତାକୁ ଖର୍ଚ୍ଚ କରିବା ସମ୍ଭବପର ହେଉନାହିଁ ।ଏସମ୍ପର୍କରେ ଲୋକଙ୍କୁ ଅବଗତ କରାଇବୁ । କେନ୍ଦ୍ରର ଅବହେଳାକୁ ରାଜ୍ୟରେ ବିରୋଧ କରାଯିବ । ଓଡିଶାକୁ କେନ୍ଦ୍ର ସରକାର ଅନେକ ସମୟରେ ପ୍ରତାରିତ କରୁଛନ୍ତି । ହେଲେ ରାଜ୍ୟର ସ୍ୱାର୍ଥକୁ କେବେ ହେଲେ ଜଳାଜଂଳି ଦେବା ପାଇଁ ଦିଆଯିବ ନାହିଁ । ପ୍ରତ୍ୟେକ ଗ୍ରାମରେ ବିଜେଡି ପକ୍ଷରୁ ସଭାସମିତି କରାଯିବ ଓ ବିଜେପି ସରକାରର ମୁଖା ଖୋଲାଯିବ ବୋଲି ବିଜୁ ଛାତ୍ର ଜନତା ଦଳ କହିଛି ।