ଯଶୀପୁର: ଶଙ୍ଖ ପାଇଁ ମେଣ୍ଟ ଭାରିପଡ଼ିବ
ବାରିପଦା,୧୩/୩ (ସକାଳଖବର): ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାର ୨୬ନଂ ଯଶୀପୁର(ସଂ) ନିର୍ବାଚନ ମଣ୍ଡଳୀ ଯଶୀପୁର, ରରୁଆଁ, ଶୁକୃଳି ବ୍ଲକ ସହିତ କୁସୁମୀ ବ୍ଲକର ଚୁଆପାଣି, ବଢ଼ାତନାବେଡ଼ା, ଧାଙ୍ଗିଡ଼ିମୋଟା, ହାଟବାଦରା, ଜରଡ଼ା, ଝିପାବନ୍ଧ, ତାଳପାଟି, ଟୋଲକପୋଖରୀ ଓ ଉପରବେଢ଼ା ଆଦି ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ୨୧.୦୧.୨୦୧୯ରେ ପ୍ରକାଶିତ ଭୋଟର ତାଲିକା ଆଧାରରେ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨,୦୫,୬୭୬ ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୧,୦୩,୦୮୮ ଓ ମହିଳା ଭୋଟର ସଂଖ୍ୟା ୧,୦୨,୫୮୦ ରହିଛନ୍ତି । ୧୯୫୨ରୁ ୨୦୧୪ ମଧ୍ୟରେ ଅନୁଷ୍ଠିତ ୧୫ଟି ବିଧାନସଭା ନିର୍ବାଚନରେ ଉକ୍ତ ନିର୍ବାଚନ ମଣ୍ଡଳୀରୁ ୧୯୫୨ରେ ସ୍ୱାଧୀନ, ୧୯୫୭ରେ ଗଣତନ୍ତ୍ର ପରିଷଦ, କଂଗ୍ରେସ ୧୯୬୧, ୧୯୭୧ ଓ ୧୯୮୦ରେ ମୋଟ ୩ଥର ବିଜୟୀ ହୋଇଥିବା ବେଳେ ୧୯୬୭ରେ ସ୍ୱତନ୍ତ୍ର, ୧୯୭୪ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ୧୯୭୭ରେ ଜନତାପାର୍ଟି, ୧୯୮୫, ୧୯୯୫ ଓ ୨୦୦୪ ନିର୍ବାଚନରେ ଏସୟୁସିଆଇ, ୧୯୯୦ରେ ଜନତାଦଳ, ୨୦୦୦ରେ ବିଜେପି(ବିଜେଡ଼ି-ବିଜେପି ମେଣ୍ଟ) ଏବଂ ୨୦୦୯, ୨୦୧୪ ରେ ଅନୁଷ୍ଠିତ କ୍ରମାଗତ ଦୁଇଟି ନିର୍ବାଚନର ଫଳାଫଳ ବିଜେଡ଼ି ସପକ୍ଷରେ ଯାଇଥିଲା । ୨୦୦୯ରେ ବିଜେପି, ଏସୟୁସିଆଇ, କଂଗ୍ରେସ, ଜେଏମଏମ, ସ୍ୱାଧୀନ ଓ ବିଜେଡ଼ି ମଧ୍ୟରେ ଭୋଟ ଭାଗଭାଗ ହେବା ଫଳରେ ବିଜେଡ଼ି ପ୍ରାର୍ଥୀ କମଳାକାନ୍ତ ନାୟକ ୨୯.୯୭ ପ୍ରତିଶତ ହାରରେ ମୋଟ ୩୫,୫୬୯ ଖଣ୍ଡ ଭୋଟ ପାଇ ଏସୟୁସିଆଇର ସଂଗ୍ରାମୀ ଟାଣୁଆ ନେତା ଶମ୍ଭୁ ନାଥ ନାଏକଙ୍କୁ ୧୩,୧୯୦ ଖଣ୍ଡ ଭୋଟ ବ୍ୟବଧାନରେ ଏବଂ ଶ୍ରୀନାୟକ ୧୮.୮୬ ପ୍ରତିଶତ ହାରରେ ମୋଟ ୨୨,୩୭୯ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦିତାରେ ବିଜେଡ଼ିରୁ ମଙ୍ଗଳ ସିଂ ମୋଦି ୨୫.୭୮ ପ୍ରତିଶତ ହାରରେ ୩୯,୪୪୦ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଏସୟୁସିଆଇର ଶମ୍ଭୁନାଥ ନାୟକଙ୍କୁ ୫,୭୯୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ ଏସୟୁସିଆଇ ପ୍ରାର୍ଥୀ ଶ୍ରୀନାୟକଙ୍କୁ ୨୧.୯୯ ପ୍ରତିଶତ ହାରରେ ୩୩,୬୪୬ ଖଣ୍ଡ ଭୋଟ ମିଳିଥିବା ବେଳେ ଜେଏମଏମ ପ୍ରାର୍ଥୀ ତଥା ଦଳର ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ ୧୬.୩୯ ପ୍ରତିଶତ ହାରରେ ୨୫,୦୭୭ ଖଣ୍ଡ, ବିଜେପି ପ୍ରାର୍ଥୀ ରଘୁନାଥ ହେମ୍ବ୍ରମ ୧୫.୮୯ ପ୍ରତିଶତ ହାରରେ ୨୪,୩୧୯ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ଏମ୍କିନାତି ନାୟକ ୬.୨୯ ପ୍ରତିଶତ ହାରରେ ମୋଟ ୯,୫୧୮ ଖଣ୍ଡ ଭୋଟ ପାଇଥିଲେ । ଏହି ଦୁଇ ବିଧାନସଭା ନିର୍ବାଚନରେ ଭୋଟ ଭାଗଭାଗ ହେବା ବିଜେଡ଼ିର ବିଜୟ ପଥକୁ ସୁଗମ କରିଦେଇଥିଲା । ହେଲେ ଏଥର ବଦଳିବାରେ ଲାଗିଛି ଦୃଶ୍ୟପଟ୍ଟ । ରାଜନୈତିକ ସମୀକରଣ ବଦଳିବା ଆରମ୍ଭ କରିଦେଇଛି । ବିଜେଡ଼ି ହାତରୁ ଯଶୀପୁର ବିଧାନସଭା କ୍ଷେତ୍ରକୁ ଛଡ଼ାଇ ନେବା ନିମନ୍ତେ କଂଗ୍ରେସ-ଜେଏମ୍ଏମ୍-ଏସୟୁସିଆଇ ମଧ୍ୟରେ ମେଣ୍ଟ ହେବା ସହ ଏହି ଆସନ ଏସ୍ୟୁସିଆଇର ଶମ୍ଭୁନାଥ ନାୟକଙ୍କ ହାତକୁ ଆସିବା ପାଇଁ ଯାଉଛି । କେବଳ ଘୋଷଣାକୁ ଅପେକ୍ଷା ରହିଛି । ଏହି ତ୍ରିଶକ୍ତି ମଧ୍ୟରେ ମେଣ୍ଟ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ପାଇଁ ଭାରି ପଡ଼ିବା ସହ ଏସୟୁସିଆଇର ଶ୍ରୀନାୟକଙ୍କ ବିଜୟର ରାସ୍ତା କଢ଼ାଇ ନେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି ।
ଯଶୀପୁର ବିଧାୟକ ଶ୍ରୀମୋଦି ୧୯୯୦ରେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ନେତୃତ୍ୱାଧୀନ ଜନତାଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ଏବଂ ୨୦୧୪ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ଦଳରୁ ବିଧାୟକ ହୋଇଥିଲେ । କିନ୍ତୁ, ଯଶୀପୁର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ପାରିନଥିବା ବିଷୟକୁ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସାମୂହିକ ବିକାଶ, ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାର ମହତ୍ ଉଦେ୍ଧଶ୍ୟ ନେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରାଇ ଚାଲିଥିବା ସମୟରେ ଯଶୀପୁର ନିର୍ବାଚନ ମଣ୍ଡଳୀରେ ପ୍ରଗତିର ରଥର ଚକ ଓ ଅଖ ହୁଗୁଳା ପଡ଼ିଯାଇଥିବାର କୁହାଯାଉଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଯୋଗାଣ, କୃଷି, ଜଳସେଚନ ଆଦି କ୍ଷେତ୍ରରେ ନିର୍ବାଚନ ମଣ୍ଡଳୀ ପଛରେ ପଡ଼ିଯାଇଥିବା ବିଷୟକୁ ନେଇ ବିରୋଧୀ ସରକାର ସହିତ ବିଧାୟକ ଶ୍ରୀମୋଦିଙ୍କ ଅପାରଗତାକୁ ଦାୟୀ କରୁଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ସମସ୍ତ ସୀମା ଅତିକ୍ରମ କରିଯାଇଥିବାର ଅଭିଯୋଗ ହେଉଛି । ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଧାୟକଙ୍କ ଉପରୁ ସମ୍ପୂର୍ଣ୍ଣ ଭାବେ ଆସ୍ଥା ହରାଇ ବସିଥିବା ବିଷୟରେ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ଏଥି ସହିତ ସେ ୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ମଧ୍ୟ ଛନ୍ଦି ହୋଇପଡ଼ିଥିବାର କୁହାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ବିଜେଡ଼ି ବିଧାୟକମାନଙ୍କୁ ନିଜନିଜ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ବିଶ୍ୱାସ ଓ ଆସ୍ଥା ଭାଜନ ହେବା ନିମନ୍ତେ ସଦାସର୍ବଦା ଗୁରୁମନ୍ତ୍ର ଶୁଣାଇ ଆସୁଥିବା ବେଳେ ବିଧାୟକ ଶ୍ରୀମୋଦି ଉପରୁ ଜନତା ସେମାନଙ୍କ ଆସ୍ଥା ହରାଇ ବସିଥିବା ବିଷୟକୁ ନେଇ ଆଲୋଚନା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ତାଙ୍କ ନିଜସ୍ୱ ଏଜେନ୍ସୀ ଦ୍ୱାରା ଯଶୀପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସ୍ଥିତିର ରିପୋର୍ଟ ସଂଗ୍ରହ କରିସାରିଛନ୍ତି । ତେଣୁ, ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ନୂଆ ମୁହଁ ସପକ୍ଷରେ ରହିଥିବା ବେଳେ ଏହା ବିଜେଡ଼ିକୁ ସମ୍ଭାବ୍ୟ ବିପର୍ଯ୍ୟୟରୁ ଉଦ୍ଧାର କରିପାରିବ ନାହିଁ ବୋଲି କୁହାଯାଉଥିବା ବେଳେ ବିଜେଡ଼ି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଡ଼ଃ. ଅରୁଣ ସାହୁ ଓ ଯଶୀପୁର ପର୍ଯ୍ୟବେକ୍ଷକ ପୂବ୍ରତନ ରାଜ୍ୟ ଛାତ୍ର ସଭାପତି ବ୍ୟୋମକେଶ ରାୟ ପ୍ରମୁଖ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ହେଟ୍ରିକ୍ ବିଜୟ ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ ସହିତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବାର ଜଣାପଡ଼ିଛି । ସେହିପରି ନିର୍ବାଚନ ମଣ୍ଡଳୀକୁ ଦଖଲ କରିବା ନିମନ୍ତେ ବିଜେପି ମଧ୍ୟ ଆଶାବାନ୍ଧି ବସିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମିଳିଥିବା ସଫଳତା ଦଳୀୟ ଶିବିରକୁ ଅଧିକ ଉତ୍ସାହିତ କରିପକାଇଛି । ଏଥିରେ ରରୁଆଁ ବ୍ଲକକୁ ବିଜେପି ଦଖଲ କରିଥିବା ବେଳେ ୭ଟି ଜିଲ୍ଲାପରିଷଦ ଜୋନରୁ ବିଜେପି ୬ ଓ ବିଜେଡ଼ି ଗୋଟାଏ ଦଖଲକୁ ନେଇଥିଲା । ତେବେ ୨୦୧୯ ନିର୍ବାଚନର ଫଳାଫଳ କାହା ସପକ୍ଷରେ ଯିବ ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ ।