ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ

Nov 25, 2018 - 06:06
 170
ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ
ରାୟଗଡ଼ା, ୨୪/୧୧ (ସକାଳଖବର): ଉକ୍ରଳ ଭାରତ ଦଳର ରାଜ୍ୟ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ପୁଣିଥରେ ସଭା ମଂଚ ଉପରେ ହୋଇଛି ଆକ୍ରମଣ । ଆଜି ରାୟଗଡ଼ା ଜିଲ୍ଲାର କାଶୀପୁର ଠାରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରିବା ପାଇଁ ସେ ଯାଇଥିବା ବେଳେ ତାଙ୍କ ଉପରେ ହୋଇଛି ଏହି ଆକ୍ରମଣ । ଏହି ଆକ୍ରମଣ ସମୟର ଭିଡ଼ିଓକୁ ଶ୍ରୀ ସ୍ୱାଇଁ ନିଜ ଫେସବୁକ୍ ଏକାଉଂଟରେ ଅପଲୋଡ୍ କରିବା ସହ ସେୟାର କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଏନେଇ ନିଜର ପ୍ରତିକ୍ରିୟା ରଖି ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଟଙ୍କିକିଆ ଚାଉଳ ବିରୋଧରେ କହିବାରୁ ମୋ ଉପରେ ବିଜେଡ଼ି ସମର୍ଥକ ମାନେ ଆକ୍ରମଣ କରିଛନ୍ତି । ସଭାର ଆୟୋଜନ ପାଇଁ ପୋଲିସ ସୁରକ୍ଷା ମାଗିଥିଲୁ, କିନ୍ତୁ ଆସିବାକୁ କହି ପୋଲିସ ଆସିଲାନି । ସଭା ଚାଲିଥିବା ବେଳେ ୨/୩ ଜଣ ଅସାମାଜିକ ଯୁବକ ହଠାତ୍ ସଭାସ୍ଥଳକୁ ଧଶେଇ ପଶି ଆସିଥିଲେ । ତୁମେ କିଏ, ବିଜେଡ଼ି ବିରୋଧରେ କାହିଁକି କହୁଛ ବୋଲି ପଚାରିବା ସହ ବିଧା, ଚାପୁଡ଼ା ମାରିଥିଲେ । ମାଇକ୍ ଷ୍ଟାଣ୍ଡ ଉଠାଇ ମାରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଏପରିକି ବିଜେଡ଼ି ବିରୋଧରେ କହିଲେ ହାଣିଦେବୁ ବୋଲି କହି ଧମକ ଦେଇଥିଲେ । ସାରା ରାଜ୍ୟରେ ନବୀନ ବାବୁ ମଦର ବନ୍ୟା ସୃଷ୍ଟି କରିଛନ୍ତି । ମୁଁ ଲଗାତାର ଟଙ୍କିକିଆ ଚାଉଳ ବିରୋଧରେ କହି ଆସୁଛି । ତେଣୁ ମୋର ପାଟି ଚୁପ୍ କରାଇବା ପାଇଁ ଏଭଳି ଆକ୍ରମଣ ହୋଇଛି । ଟଙ୍କିକିଆ ଚାଉଳ ବାଲା ନୁହେଁ, ବରଂ ମଦ ପିଇବା ଲୋକେ ମୋତେ ମାଡ ମାରିଛନ୍ତି । ମୋର ଧାରଣା ମୁଖ୍ୟମନ୍ତ୍ରୀ ଏସବୁ କରାଉଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଖାରବେଳ । ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବରୁ କେନ୍ଦ୍ରାପଡାର ଆଳି ଠାରେ ଆୟୋଜିତ ଏକ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଅନୁରୂପ ଭାବେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।