ବିଜେଡିର ମୁଖପାତ୍ରଙ୍କ ଯୁକ୍ତି ଅପରିପକ୍ୱ : ବିଜେପି

Sep 16, 2018 - 18:18
 179
ବିଜେଡିର ମୁଖପାତ୍ରଙ୍କ ଯୁକ୍ତି ଅପରିପକ୍ୱ : ବିଜେପି
ଭୁବନେଶ୍ୱର,୧୬/୯ (ସକାଳଖବର): ତେଲ ଦର ମାମଲାରେ କେନ୍ଦ୍ରୀୟ ଟିକସ ବହୁତ ବଢିଯାଇଛି, ରାଜ୍ୟ ଟିକସ କମାଇବା ଉଚିତ୍ ନୁହଁ ବୋଲି ଶାସକ ବିଜେଡିର ମୁଖପାତ୍ର ଓ ବିଶେଷ କରି କିଛି ମାସ ପୂର୍ବରୁ କଂଗେସରୁ ଆସି ବିଜେଡିର ମୁଖପାତ୍ର ସାଜିଥିବା ସୁଲୋଚନା ଦାସ ଯୁକ୍ତି ବାଢିଛନ୍ତି । ଏହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଏବଂ ସାଧାରଣ ଜନତାଙ୍କୁ କେବଳ ବୋକା ବନାଇବା ଉଦେ୍ଧଶ୍ୟ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ୟୁପିଏ ଶାସନରେ ୧.୪ଲକ୍ଷ କୋଟିର ଅଏଲ ବଣ୍ଡ ଋଣ ହୋଇଥିଲା । ବର୍ତମାନର କେନ୍ଦ୍ର ସରକାର କଂଗ୍ରେସ ସମୟରେ ହୋଇଥିବା ସେହି ଋଣ ଓ ସୁଧ ବୋଝକୁ ସୁଝୁଛନ୍ତି । ଏବେ ଶାସକ ବିଜେଡିର ମୁଖପାତ୍ର ସାଜିଥିବା ତକ୍ରାଳୀନ କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଦାସ ଏ ସମସ୍ତ ପ୍ରସଙ୍ଗକୁ ଭଲ ଭାବେ ଜାଣିଛନ୍ତି । ଏହା ସତ୍ୱେ ଶ୍ରୀମତୀ ଦାସ ଏଭଳି ଅପରିପକ୍ୱ ଓ ଦାୟୀତ୍ୱହୀନ ମନ୍ତବ୍ୟ ଦେଇ ସାଧାରଣ ଜନତାଙ୍କୁ ବୋକା ବନାଇବାର ପ୍ରଚେଷ୍ଟାକୁ ଡ.ଲେଖାଶ୍ରୀ କଡା ଭାଷାରେ ନିନ୍ଦା କରିଛନ୍ତି । କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଭାବେ ଟଂକାକରେ ୪୨ ପଇସା ରାଜ୍ୟ ସରକାରଙ୍କ ପାଖକୁ ସିଧାସଳଖ ଆସିଥାଏ । ଏହା ଛଡା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡିଶାକୁ ୟୁପିଏ ସରକାର ତୁଳନାରେ ହଜାର ହଜାର କୋଟି ଟଂକା ଅଧିକ ଅନୁଦାନ ଆସିଛି । ଏ ସମସ୍ତ ବାସ୍ତବତା ଜାଣିବା ସତ୍ୱେ ଶାସକ ବିଜେଡିର ମୁଖପାତ୍ରମାନେ ଏଭଳି ଯୁକ୍ତି ବାଢିବା ଆଦୈା ଗ୍ରହଣୀୟ ନୁହେଁ ।ତେଲ ଦର ବଢିଲେ ସବୁଠୁ ଅଧିକ ଲାଭ ରାଜ୍ୟ ସରକାରଙ୍କୁ ମିଳିଥାଏ । ଗତ ବର୍ଷ କେନ୍ଦ୍ର ସରକାର ୨ ଟଙ୍କା ଏକ୍ସାଇଜ ଟିକସ କମେଇଥିବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ଏହାକୁ ବିରୋଧ କରିଥିଲେ । ଏପରିକି ଏହା ଦ୍ୱାରା ରାଜ୍ୟ ୧ ଟଙ୍କା ୩୬ ପଇସା କ୍ଷତି ସହୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ ବଡ ପାଟି କରି କହିଥିଲେ । ତେଣୁ ତେଲ ଦର ମାମଲାରେ କିଏ ସତ କହୁଛି ଆଉ ମିଛ କିଏ କହୁଛି ତାହା ସ୍ପଷ୍ଟ ହୋଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୁଳରୁ ଦୁର୍ନୀତିକୁ ପ୍ରୋତ୍ସାହନ କରୁଥିଲେ ଏବଂ ଦୁର୍ନୀତିଖୋରଙ୍କୁ ଘଂଟ ଘୋଡାଉଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ସମସ୍ତ ଦୁର୍ନୀତି ହେଉଥିବାର ବିଜେପି ବାରମ୍ବାର ଅଭିଯୋଗ କରିଆସିଛି । ଦାମବାବୁଙ୍କ ଦୁର୍ନୀତି ପ୍ରସଙ୍ଗରେ ବର୍ତମାନର ବକ୍ତବ୍ୟ ପରେ ନିଜକୁ ସ୍ୱଚ୍ଛ ଓ ନିର୍ମଳ ବୋଲାଉଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖାର ସତ୍ୟ ବର୍ତମାନ ସାମ୍ନାକୁ ଆସୁଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁର୍ନୀତି ପ୍ରସଙ୍ଗରେ ବକ୍ତବ୍ୟକୁ କଦର୍ଥ କରି ବିଜେଡି ମୁଖପାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କୁ କେବଳ ସୁରକ୍ଷା ଯୋଗାଇ ଦେବା ପାଇଁ କହିଛନ୍ତି । ଶାସକ ବିଜେଡି କାହାକୁ ଦଳରେ ରଖିବେ ନରଖିବେ ତାହା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର । ମାତ୍ର ଦୁର୍ନିତୀ ଅଭିଯୋଗ ଆସିଲେ କିଛି ସମୟ ପାଇଁ ଦଳରୁ ବାହାର କରିଦେଇ ପୁଣି ସେହି ଦୁର୍ନିତୀଗ୍ରସ୍ତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର କାର୍ପଟଦାର ବନେଇଥାନ୍ତି । ଅତୀତରେ ଦୁର୍ନିତିରେ ଅଭିଯୁକ୍ତ ପ୍ରଶାନ୍ତ ନନ୍ଦ, ସଂଜୟ ଦାସବର୍ମା, ପ୍ରଣବ ବଳବନ୍ତରାୟ, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ମହାରଥି ଭଳି ବହୁ ନେତା ଆଜି ବିଜେଡିର ମୁଖ୍ୟ କାର୍ପଟଦାର ସାଜିଛନ୍ତି । ଏ କଥା ମଧ୍ୟ ସତ ନା ମିଛ ତାହା ବିଜେଡି ମୁଖପାତ୍ରମାନେ ସ୍ପଷ୍ଟ କରନ୍ତୁ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି । .................