ବିଧାୟକ ଅରୁଣ ସାହୁଙ୍କ ଗିରଫ ଦାବି

Nov 20, 2018 - 18:44
 155
ବିଧାୟକ ଅରୁଣ ସାହୁଙ୍କ ଗିରଫ ଦାବି
ନୟାଗଡ଼, ୨୦/୧୧ (ସକାଳଖବର): ନବକଳେବର ସମୟରେ ଘଟିଥିବା ବହୁ ଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ଓ ଦାରୁ ଫିକ୍ସିଂ ଘଟଣା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ପହଂଚାଇ ଥିବାବେଳେ ଏଥିରେ ତକ୍ରାଳୀନ ଆଇନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ସମ୍ପୃକ୍ତି ବାବଦରେ ତଦନ୍ତ ପାଇଁ ସିବିଆଇରେ ଏତଲା ଦେଇଛି ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି । ଘଟଣାରେ ଅରୁଣଙ୍କ ଗିରଫ ଦାବି କରି ଏହି ଏତଲା କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ)ର ଭୁବନେଶ୍ୱର ଶାଖାକୁ ଡ଼ାକ ଯୋଗେ ପଠାଯାଇଛି । ଏତଦବ୍ୟତୀତ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ଡିସେମ୍ବର ୩ ତାରିଖରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ୫ ତାରିଖରେ ସିବିଆଇ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ଏହାକୁ ସମର୍ଥନ ଜଣାଇଛି । ଏହି ଏତଲାରେ ଉଲ୍ଲେଖ ରହିଛି ଯେ, ତକ୍ରାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁ ଶବରପଲ୍ଲୀ ମଧ୍ୟରେ ଦଇତାପତିଙ୍କ କୋଳରେ ଶୟନ କରିବା ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗରେ ଆଘାତ ପହଂଚାଇବା ସହିତ ଏହାଦ୍ୱାରା ଶ୍ରୀମନ୍ଦିର ଗୁପ୍ତ ନୀତି ପଦାରେ ପଡିଛି । ଅରୁଣ କଣ ପାଇଁ ଏବଂ କେଉଁ ଆଧାରରେ ଶବରପଲ୍ଲୀ ମଧ୍ୟରେ ପ୍ରବେଶ କରି ଦଇତାପତିମାନଙ୍କ ସହ ଆଲୋଚନା କଲେ ଏବଂ କଣ ପାଇଁ ତାଙ୍କ କୋଳରେ ଶୟନ କରିଥିଲେ । ତାହାକୁ ସାର୍ବଜନୀନ କରାଯାଉ ବୋଲି ଏହି ଏତଲାରେ ଦର୍ଶାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶଙ୍କ ସ୍ୱାକ୍ଷରରେ ଦିଆଯାଇଥିବା ଏହି ଏତଲାରେ ଗୋଟିଏ ନିର୍ଦ୍ଧିଷ୍ଟ ଜିଲ୍ଲାରୁ ଏକାବେଳେ ୩ଟି ଦାରୁ ମିଳିବା ଘଟଣା ସନେ୍ଦହଜନକ ବୋଲି ଦର୍ଶାଯାଇଛି । ତେଣୁ ଏହି ପ୍ରସଙ୍ଗରେ ବିବାଦ ଓ ଅବିଶ୍ୱାସ ସୃଷ୍ଟିକାରୀ ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରି ମାମଲାର ତଦନ୍ତ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ଏହା ବ୍ୟତୀତ ଦାରୁ ଚିହ୍ନଟ ସମୟରେ ସମସ୍ତ ନୀତି, ନିୟମ ଓ ପରମ୍ପରାକୁ କାହା ଇଙ୍ଗିତରେ ଉଲ୍ଲଙ୍ଘନ କରାଗଲା ଏବଂ ଏହାର ରିପୋର୍ଟ ସର୍ବସାଧାରଣରେ କାହିଁକି ପ୍ରକାଶ କରାଯାଉନାହିଁ, ତାହାର ମଧ୍ୟ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଏତଲା ବାବଦରେ ସୂଚନା ଦିଆଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି ରଣଜିତଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ ଏବଂ କମଳ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।