ସ୍ଥାୟୀ ବେଂଚ ପ୍ରତିଷ୍ଠା ରାଜନୀତି ବନ୍ଦ କରନ୍ତୁ ସରକାର- କଂଗ୍ରେସ

Sep 16, 2018 - 18:16
 182
ସ୍ଥାୟୀ ବେଂଚ ପ୍ରତିଷ୍ଠା ରାଜନୀତି ବନ୍ଦ କରନ୍ତୁ ସରକାର- କଂଗ୍ରେସ
ଭୁବନେଶ୍ୱର,୧୬ /୯ (ସକାଳଖବର); ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ନବୀନ ବାବୁ ରାଜନୀତି ବନ୍ଦକରି ଲୋକଙ୍କ ସାମ୍ନାରେ ସ୍ପଷ୍ଟ ସୂଚନା ରଖନ୍ତୁ । ଚିଠି ଲେଖା ରାଜୀନତି ବନ୍ଦ କରିବା ସହିତ ଜଷ୍ଟିସ୍ ସି.ଆର. ପାଲ ରିପୋର୍ଟକୁ ସାର୍ବଜନୀନ କରିବାପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ରାଜ୍ୟ ସରକାର ୨୮.୯.୨୦୧୩ ମସିହାରେ ତତ୍କାଳୀନ ଆଇନ ମନ୍ତ୍ରୀ କପିଲ ସିବଲଙ୍କୁ ଚିଠି ଲେଖିବା ପରେ ଡିଭି ସେସାନନ୍ଦ ଗୌଡ଼ାଙ୍କୁ ୧୩.୨.୨୦୧୪ ରେ ଓ ରବିଶଙ୍କର ପ୍ରସାଦଙ୍କୁ ୫.୯.୨୦୧୮ ରିଖରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ କେବଳ ଚିଠି ଲେଖି ଦାୟୀତ୍ୱ ସାରିଦେଇଥିଲେ । ଏହି କମିଶନ ଗଠନ ବାବଦକୁ ରାଜ୍ୟ ସରକାର ରାଜକୋଷରୁ ଏକକୋଟି ୫୨ଲକ୍ଷ ୫୮ ହଜାର ୭୨୨ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ରିପୋର୍ଟଟିକୁ ଶୀତଳ ଭଣ୍ଡାରରେ ସାଇତି ରଖିଛନ୍ତି । କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଚାପି ଦିଆଯାଇଥିବା କମିଶନଙ୍କ ରିପୋର୍ଟଟିକୁ ଅସ୍ତ୍ର କରି ରାଜନୀତି ଆରମ୍ଭ କରିଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗତ ୬ ବର୍ଷ ଧରି ଚାଲିଥିବା କମିଶନ ଶେଷରେ ୩୧ ମେ ୨୦୧୪ ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏଯାବାତ ଏହି ରିପୋର୍ଟଟିକୁ ସାର୍ବଜନୀନ କାହିଁକି କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟ ୨୦୧୫ରେ କେନ୍ଦ୍ରକୁ ଅବଗତ କରାଇଥିଲେ ଯେ ଯେହେତୁ ଏକ ସ୍ୱତନ୍ତ୍ର ବିଚାର ବିଭାଗୀୟ କମିଶନ ଗଠନ ହୋଇଥିଲା ତେଣୁ ସିଆରପାଲଙ୍କ ରିପୋର୍ଟରେ କଣ ପ୍ରସ୍ତାବ ରହିଛି ତାର ଅନୁଧ୍ୟାନର ଆବଶ୍ୟକତା ରହିଛି । ମୁଖ୍ୟ ମନ୍ତ୍ରୀ ଏ ସମ୍ପର୍କରେ ସବୁ ଅବଗତ ଥାଇ ମଧ୍ୟ ଚିଠି ଲେଖିବା ଛଡ଼ା ଅନ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ପଶ୍ଚିମ ଓ ଦକ୍ଷଣି ଓଡ଼ିଶାରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାର ଗତ ୫ ସେପ୍ଟେମ୍ବର ୨୦୧୮ ରିଖରେ କେନ୍ଦ୍ର୍ର ସରକାରଙ୍କୁ ଚିଠି ଲେଖିଥିଲେ । ଠିକ ୫ ଦିନ ପରେ ୫.୧୦.୨୦୧୮ ରିଖରେ କେନ୍ଦ୍ର ଆଇନ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପାଲଟା ଚିଠିରେ କହିଥିଲେ ବିଧିବଧ ଭାବେ କେନ୍ଦ୍ରକୁ ପ୍ରସ୍ତାବ ପଠାଇବା ପାଇଁ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟ ସରକାର ଚାପିଥିବା ରିପୋର୍ଟଟିକୁ ଆୟୁଧ୍ୟ କରି ଯେଉଁ ସର୍ତଟି ରଖିଛନ୍ତି ତାହାହେଲା ସିଆରପାଲଙ୍କ ରିପୋର୍ଟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିନଥିବାରୁ ଏକପାଖିଆ ନିଷ୍ପତି ନେବାକୁ କେନ୍ଦ୍ର ସରକାର ଅକ୍ଷମ । ଏହି ପ୍ରସଙ୍ଗରେ କାହିଁକି କେନ୍ଦ୍ର ସରକାର ନବୀନ ବାବୁଙ୍କ ଚିଠିକୁ ସ୍ୱତପ୍ରବୁତ ଭାବରେ ଗ୍ରହଣ କରିପାରୁ ନାହାନ୍ତି ତାହାର କାରଣ ହେଉଛି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ସ୍ଥା୍ରୟୀ ବେଂଚ ପ୍ରତିଷ୍ଠାର ଆବଶ୍ୟକତା ଅଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ସମ୍ବଳିତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ପହଂଚ କରିବାରେ ବିଫଳ ହୋଇଛନ୍ତି । ସେପଟେ ସମ୍ବଲପୁର ବାର ଆସୋସିଏସନ ଏହି ପ୍ରସଙ୍ଗରେ ୧୭ ତାରିଖରୁ ପୁଣି ଥରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ସେଣ୍ଟ୍ରାଲ ଆକ୍ସନ କମିଟି ଆନେ୍ଦାଳନର ଡାକରା ଦେଇଛି ।