ମୋଦିଙ୍କ ପ୍ରତି ନବୀନ ଇର୍ଷାନ୍ୱିତ - ଧର୍ମେନ୍ଦ୍ର

Apr 5, 2019 - 04:41
 167
ମୋଦିଙ୍କ ପ୍ରତି ନବୀନ ଇର୍ଷାନ୍ୱିତ - ଧର୍ମେନ୍ଦ୍ର
ଭୁବନେଶ୍ୱର,୪/୩(ସକାଳଖବର): ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭୂତପୂର୍ବ ଜନସମର୍ଥନ ରହିଛି ବୋଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରୁ ସ୍ପଷ୍ଟ ହେଉଛି । ସେହିପରି କେନ୍ଦ୍ର ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ କେବଳ ମୋଦିଙ୍କ ଉପରେ ଇର୍ଷାନ୍ୱିତ ବକ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀଙ୍କ ତିତଲି ପ୍ରସଙ୍ଗ ବକ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରୁ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ୧ ଏପ୍ରିଲରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଆ ଭାଷା ଓ ସଂସ୍କୃତିର ପ୍ରମୁଖ ପୀଠ ପାରଳାଖେମୁଣ୍ଡିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଭାରତୀୟ ଜନତା ପାର୍ଟି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପାର ଜନସମର୍ଥନ ମାଲକାନଗିରି ଜିଲ୍ଲା, ଗଜପତିର ଆର. ଉଦୟଗିରି ଭଳି ଉପାନ୍ତ ଅଂଚଳ, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକାଶ, କଲ୍ୟାଣକାରୀ ଯୋଜନା ବିଶେଷ କରି ଗରିବ ମାନଙ୍କୁ କେନ୍ଦ୍ର ସରକାରଙ୍କ ୫ ବର୍ଷରେ ଅନେକ ଯୋଜନା ଗୁଡିକ ଉପରେ ଲୋକମାନଙ୍କର ବିଶ୍ୱାସ ହୋଇଛି ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକ ବାତ୍ୟା ପରଦିନ ଗୋପାଳପୁର ସମୁଦ୍ରକୂଳରେ ନିଜ ଅଧିକାରୀମାନଙ୍କୁ ଲଗାଇ ତିତଲିକୁ ନିୟନ୍ତ୍ରଣ କରିଦେଲେ ବୋଲି କହି ଉତ୍ସବ ମନାଉଥିଲେ । ତେବେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ ତଳେ ବସବାସ କରୁଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇଥିବା ସରକାରଙ୍କୁ ଜଣାନଥିଲା । ଗଣମାଧ୍ୟମର ସୂଚନା ପାଇବା ପରେ ଭାରତୀୟ ଜନତା ପାର୍ଟି ସେହି ଅଂଚଳକୁ ପ୍ରଥମେ ଯାଇଥିଲା । ବର୍ତମାନ ସୁଦ୍ଧା ମଧ୍ୟ ସେହି ଅଂଚଳରେ ରାଜ୍ୟ ସରକାର ଘର, ରାସ୍ତା, ପିଇବା ପାଣି ସମସ୍ୟାର ସମାଧାନ କରିନାହାନ୍ତି ବୋଲି ସେ ଲୋକମାନଙ୍କ ପାଖରୁ ଜାଣିବାକୁ ପାଇଥିବା କହିଛନ୍ତି ।