ବାରିପଦା :କାମରେ ଲାଗିଲାନି ବିଜେଡ଼ି ପ୍ରାର୍ଥୀଙ୍କ ଏକଲା ଚଲୋ ନୀତି
ବାରିପଦା, ୧୫/୪(ସକାଳଖବର): ୨୦୧୪ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ସହ ଲୋକସଭା ଆସନକୁ ବିଜେଡ଼ି ନିଜ ଦଖଲକୁ ନେଇ ନୂଆ ଇତିହାସ ରଚିଥିଲା । କିନ୍ତୁ ୨୦୧୯ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବା ପରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିରେ ବ୍ୟାପକ ପରିବର୍ତନ ଦେଖା ଦେଇଛି । ଜିଲ୍ଲାର ୯ ବିଧାୟକମାନଙ୍କ ମଧ୍ୟରୁ ବିଜେଡ଼ି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ୮ ଜଣ ସିଟିଂ ବିଧାୟକମାନଙ୍କ ଟିକଟ କାଟି ଦେଇ ନୂଆ ମୁହଁକୁ ମଇଦାନକୁ ଉହ୍ଲାଇ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାରେ କ୍ରମାଗତ ଦୁଇଥର ଉପବାଚସ୍ପତି ରହିଥିବା ବାରିପଦା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ନାମ ଯୋଡ଼ି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଦଳୀୟ ଟିକେଟ ଦିଆଯାଇଛି । ସେହିପରି ମୟୂରଭଞ୍ଜ ଲୋକସଭା ପାଇଁ ଡ଼ା. ଦେବାଶିଷ ମାର୍ଣ୍ଡିଙ୍କୁ ବିଜେଡ଼ି ପ୍ରାର୍ଥୀ କରାଇଛି । ଏହି ଦୁଇ ପ୍ରାର୍ଥୀ ବାରିପଦା ନିର୍ବାଚନ ମଣ୍ଡଳୀରେ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାରରେ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଦ୍ୱାରା ତୀବ୍ର ବିରୋଧର ସମ୍ମୁଖୀନ ହେଲେ । ସେମାନଙ୍କ ପ୍ରିୟ ନେତା ସାନନ୍ଦଙ୍କ ଅନୁପସ୍ଥିତି ଏବଂ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ଏକଲା ଚଲୋ ନୀତିରେ ବିଜେଡ଼ିର ଦଳୀୟ ପ୍ରଚାରକୁ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରିସ୍ଥିତି ଏପରି ହେଲା ଯେ, ପ୍ରାର୍ଥୀମାନେ ବାରିପଦା ନିର୍ବାଚନ ମଣ୍ଡଳୀରେ ସାନନ୍ଦଙ୍କୁ ବାଦ୍ ଦେଇ ବିଜେଡ଼ି ଅଧୁରା ବୋଲି ଅନୁଭବ ଓ ହୃଦୟଙ୍ଗମ କରିବା ପରେ ସାନନ୍ଦଙ୍କ ସହଯୋଗ ନେବାକୁ ବାଧ୍ୟ ହେଲେ । ଫଳରେ ବିଜେଡ଼ିର ଜଣେ ଶୃଙ୍ଖଳିତ ନେତା ଭାବେ ଓ ନିଜର ମହାନତାର ପରିଚୟ ଦେଇ ସାନନ୍ଦ ମଧ୍ୟ ଏମାନଙ୍କୁ ସହାୟତାର ହାତ ବଢ଼ାଇ ଆଗେଇ ଆସିଥିଲେ । ଏହି ପରିପ୍ରେକ୍ଷୀରେ ବାରିପଦା ଷ୍ଟେସନ ବଜାରସ୍ଥିତ ବିବାହ ମଣ୍ଡପ ପରିସରରେ ପ୍ରଥମ ପର୍ଯ୍ୟାୟରେ ବାରିପଦା ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ବଡ଼ସାହି ବ୍ଲକର ଗୁଡ଼ିଆଲବନ୍ଧ, ପୂର୍ଣ୍ଣଚନ୍ଦ୍ରପୁର, ସାନକେରକୋ, ଟଙ୍ଗାଶୋଳ, ଉଠାଣି ନୂଆଗାଁ, ଯଦୁନାଥପୁର, ଜାରକାଣି, ଖାନୁଆ ଓ ନାଉପାଳ ଆଦି ୯ଟି ଗ୍ରାମପଂଚାୟତରେ ରହିଥିବା ନିଜସ୍ୱ ସଂଗଠନର ନେତା, କର୍ମକର୍ତା ଓ ସମର୍ଥକମାନଙ୍କୁ ନେଇ ସାନନ୍ଦ ଏକ ବୈଠକରେ ବସିଥିଲେ । ଏଥିରେ ମନରେ କୌଣସି ଦ୍ୱନ୍ଦ ନରଖି ସମସ୍ତେ ଯେପରି ତାଙ୍କୁ ସମର୍ଥନ ଓ ସହଯୋଗ ଦେଇ ଆସୁଛନ୍ତି, ତାଠାରୁ ଅଧିକ ସ୍ନେହ, ଶ୍ରଦ୍ଧା ସହ ଏକ ମନ ଓ ଏକ ପ୍ରାଣ ହୋଇ କାର୍ଯ୍ୟ କରି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ କରାଇବାକୁ ସେ ଆହ୍ୱାନ ଦେଇଥିଲେ । ଏଥିପାଇଁ ବିଜେଡ଼ିର ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ ଓ ଲୋକସଭା ପ୍ରାର୍ଥୀ ଡ଼ା ଦେବାଶିଷ ମାର୍ଣ୍ଡିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇ ଆଣିବାକୁ ସେ ଆହ୍ୱାନ ଦେଇଥିଲେ ।