୩ ବିଧାୟକଙ୍କୁ ନେଇ ତିହିଡି ସରଗରମ
ଭଦ୍ରକ, ୧୩/୧୨(ସକାଳଖବର): ତିହିଡି ବ୍ଲକ୍ରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଗାଁ ଗଣ୍ଡା ସରଗରମ ହେଲାଣି । କଂଗ୍ରେସ, ବିଜେପି ଏବଂ ଶାସକ ବିଜେଡି କହୁଛି ଆମେ ଜିତିବୁ । ଖାଲି ଜିତିବା କଥା କହୁନାହାଁନ୍ତି ବ୍ଲକ୍ରେ ଥିବା ୩୧ ପଂଚାୟତରୁ ସର୍ବାଧିକ ଭୋଟ ପ୍ରତି ଦଳ ନିଜ ଭୋଟ୍ ବାକ୍ସରେ ପଡିବ ବୋଲି ଦାବି ମଧ୍ୟ କରୁଛନ୍ତି । ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତିହିଡି ବ୍ଲକ୍ରେ ରାଜୁତି କରୁଥିବା ଶାସକ ଦଳର ୩ ବିଧାୟକ ପୁଣି ୨୦୧୯ ନିର୍ବାଚନରେ ବାଜିମାତ କରିବେ ବୋଲି ଶାସକ ବିଜେଡି ଦାବି କରୁଛି । ୨୦୧୭ ପଂଚାୟତ ନିର୍ବାଚନରେ ତିହିଡି ବ୍ଲକ୍ର ୩୧ଟି ପଂଚାୟତରେ ବିଜେଡି ସମର୍ଥକ ପ୍ରାର୍ଥୀ ୫୪,୧୦୪ ଖଣ୍ଡ ଭୋଟ୍ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ପଦ୍ମ ସମର୍ଥକ ୪୦,୭୩୭ ଖଣ୍ଡ ଭୋଟ ପାଇ ରହିଥିବାବେଳେ ତୃତୀୟ ସ୍ଥାନରେ କଂଗ୍ରେସ ୧୫,୪୫୦ ଖଣ୍ଡ ଭୋଟ ପାଇ ରହିଛନ୍ତି । ଏପରିକି ପଂଚାୟତ ନିର୍ବାଚନରେ ତିହିଡି ବ୍ଲକ୍ର ୩୧ଟି ପଂଚାୟତରୁ ଶାସକ ବିଜେଡି ଏକାକି ୨୧ଟି ସରପଂଚ ଓ ୨୩ଟି ସମିତି ପଦ ଦଖଲ କରି ପଂଚାୟତ ସମିତି ଅଧ୍ୟ୪ା ସ ଉପାଧ୍ୟକ୍ଷ ପଦ ନିଜ କବ୍ଜାକୁ ନେଇଛି । ସେହିପରି ଦ୍ୱିତୀୟ ସ୍ଥାନରେ ବିଜେପି ୮ଟି ସରପଞ୍ଚ ଓ ୬ଟି ସମିତି ପଦ ଦକଲ କରିଥିଲାବେଳେ କଂଗ୍ରେସ ୨ଟି ସରପଞ୍ଚ ଓ ୨ଟି ସମିତିରେ ସନ୍ତୁଷ୍ଟ ରହିଛି । ୨୦୧୯ ନିର୍ବାଚନ ବେଳକୁ ସବୁକିଛି ପଟ ପରିବର୍ତ୍ତନ ହେବ ବୋଲି ବିରୋଧୀୟ କଂଗ୍ରେସ ଓ ବିଜେପି ଦାବି କରୁଛନ୍ତି । ଏହା ମଧ୍ୟରେ କଂଗ୍ରେସ ଶିବିରରୁ ବାସୁଦେବପୁର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ହେଉଥିବା ମାଧବାନନ୍ଦ ମଲ୍ଲିକଙ୍କୁ ବିଜେପି ନିଜ ଦଳକୁ ଟାଣିଆଣି ବିଜେଡି ସହିତ ଟକ୍କର ଦେବା ପାଇଁ ପାଦ ବଢାଇଛି । କିନ୍ତୁ ମାଧବାନନ୍ଦଙ୍କ ଯିବା ଓ ଆସିବା ଘଟଣାକୁ କଂଗ୍ରେସ ବି ହାଲକା ଭାବେ ନେଇନାହିଁ । ଆଶାନୁରୂପକ କଂଗ୍ରେସ କର୍ମୀଙ୍କୁ ମାଧ ବାବୁ ସାଙ୍ଗରେ ନେଇ ନାହାଁନ୍ତି ଦାବି କରୁଛି ଦଳ । ବିଜେଡି ଏହାକୁ ଖାତିର ନକରି ନିଜ ଜିତିବାର ଭୋଟ୍ ବ୍ୟବଧାନ ଏଥର ଆହୁରି ୫ ହଜାର ଅଧିକ ବୋଲି ଦାବି କରୁଛି । ସେହିପରି ଧାମନଗର ଓ ଚାନ୍ଦବାଲି ଆସନରେ ଛକାପଞ୍ଝା ଚାଲିଛି । ଧାମନଗର ବିଧାନସଭା କ୍ଷେତ୍ରରେ ବିଧାୟକ ଥିବା ମୁକ୍ତିକାନ୍ତ ମଣ୍ଡଳଙ୍କୁ ଶାସକ ଦଳ ତରଫରୁ କିଛି ଅସନ୍ତୁଷ୍ଟ ଓ ନିଲମ୍ବିତ କର୍ମୀ ଟିକେଟ୍ ଦେବାକୁ ବିରୋଧ କରୁଥିବାବେଳେ ଶ୍ରୀ ମଣ୍ଡଳ ଏହି ବିବାଦକୁ ନଯାଇ ଲୋକସଭା ଆଡିକି ମୁହାଁଇଲେଣି । ମୁକ୍ତିଙ୍କ ବିନା ଧାମନଗର ଆସନ ବିଜେଡି ହାତରୁ ହାତଛଡା ହୋଇଯିବାର ଆଶଙ୍କା ଦେଖାଯିବ ବୋଲି ମୁକ୍ତିଙ୍କ ସମର୍ଥକ କହି ବୁଲିଲେଣି । କଂଗ୍ରେସର ଯୁବ ପ୍ରାର୍ଥୀ ରଂଜନ ବେହେରାଙ୍କୁ ପ୍ରାର୍ଥୀ କରିବାକୁ ଏବେ ଜୋରଦାର ପ୍ରୟାସ ଜାରି ହୋଇଛି ବ୍ଲକ୍ରୁ ପିସିସି ଯାଏଁ । କାରଣ ଦୀର୍ଘଦିନ ହେଲା ଧାମନଗର ଆସନରେ କଂଗ୍ରେସର ମୁଖିଆ କିଏ ହେବ କର୍ମୀ ଖୋଜୁଥିଲେ । ଚାନ୍ଦବାଲି ଆସନର ଅବସ୍ଥା ମଧ୍ୟ ତଦ୍ରୁପ । ବିଜେଡିରୁ ଅନେକ ପ୍ରାର୍ଥୀ ବାହାରିଲେ ମଧ୍ୟ ବିଧାୟକ ବ୍ୟୋମକେଶ ପୁଣି ଥରେ ପ୍ରାର୍ଥୀ ହେବେ ଏବଂ ଜିତିବେ ଓ ମନ୍ତ୍ରୀ ହେବେ ବୋଲି ତାଙ୍କ ସମର୍ଥକ ଦାବି କରୁଛନ୍ତି । ପରନ୍ତୁ ଏଥର ମନମୋହନ ଭାଇ ଚାନ୍ଦବାଲି ଆସନ ଦଖଲ କରିବେ ବୋଲି ବିଜେପି କର୍ମୀ କହି ବୁଲୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ୫ଜଣ ପ୍ରାର୍ଥୀଙ୍କୁ ଦେଖି କର୍ମୀ ଘାବରା ହେଉଥିବାବେଳେ ଏହି ଆସନରେ ହଠାତ୍ ଅପେରା ଭଳି ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କୁ ଟିକେଟ୍ ଦିଆଯିବ ବୋଲି ଏବେ ଆଲୋଚନା ଜୋରଦାର ହେଉଛି । ସେ ଯାହା ହେଉନା କାହିଁକି ଆସନ୍ତା ୨୦୧୯ ନିର୍ବାଚନରେ ସମସ୍ତ କହୁଛନ୍ତି ଏହି ୩ଟି ଆସନକୁ ଆମେ ଦଖଲ କରିବୁ, କିନ୍ତୁ ଭୋଟର ଭଗବାନ ନିଷ୍ପତି ନେବେ । ୨୦୧୪ ନିର୍ବାଚନରେ ଚାନ୍ଦବାଲି ଆସନରେ ବିଜେଡି ୬୮,୪୪୨ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲା । ଏଥର କିନ୍ତୁ ତି୍ରମୁଖୀ ଲଢେଇ ଜୋରଦାର ହେବ ବୋଲି ଆଲୋଚନା ହେଉଛି । ସେହିପରି ବାସୁଦେବପୁର ଆସନରେ ବିଜେଡି ୭୭,୪୬୧ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହି ୭୦,୯୮୦ ଖଣ୍ଡ ଭୋଟ ପାଇଥିଲା । ଏଥର କିନ୍ତୁ ଏହି ଆସନରେ ବିଜେପି ଦମ୍ଦାର ଖେଳ ଖେଳିବ ବୋଲି ଆଲୋଚନା ହେଉଛି । ସେହିପରି ଧାମନଗର ଆସନରେ ବିଜେଡି ୭୧,୩୫୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହି ୬୨,୦୯୩ ଖଣ୍ଡ ଭୋଟ ପାଇଥିଲା । ଏଥର ବିଷ୍ଣୁ ବିଜେପି ଟିକେଟ୍ରେ ବିଜୟ ଲାଭ କରିବେ ଚର୍ଚ୍ଚା ଚାଲିଛି । ଦେଖାଯାଉ ୨୦୧୯ ନିର୍ବାଚନରେ ତିହିଡି ବ୍ଲକ୍ର ୩୧ଟି ପଂଚାୟତରୁ ଭୋଟ କାହା ବାକ୍ସରେ କେତେ ପଡୁଛି ।