ଫୁଲବାଣୀରେ ବିଜେପି ସାଂସଦ ପ୍ରାର୍ଥୀ ଖାରବେଳଙ୍କ ନିର୍ବାଚନ ପ୍ରଚାର
କନ୍ଧମାଳ,୩୧/୩(ସକାଳଖବର): ବିଜେପିର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଫୁଲବାଣୀରେ ସମର୍ଥକଙ୍କୁ ସାଥିରେ ନେଇ ସକାଳୁ ସକାଳୁ ମର୍ଣ୍ଣିଂୱାର୍କରେ ଯାଇ ବିଭିନ୍ନ ଚା’ ଦୋକାନ ଖଟି, ଫିଟନେସ୍ କ୍ୟାମ୍ପକୁ ଯାଇ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ସେହିପରି ସଂଧ୍ୟାରେ ମଧ୍ୟ ସହର ରାସ୍ତାକଡରେ ଥିବା ଫାଷ୍ଟଫୁଡ୍ ଦୋକାନ, ଗୁପଚୁପ୍, ଚାଟ୍ ଦୋକନରେ ଅଧିକ ସଂଖ୍ୟକ ମହିଳା ଓ ଯୁବ ଭୋଟର ଗହଳି ହେଉଥିବାରୁ ସେଠାକୁ ଯାଇ ମଧ୍ୟ ବିଜେପି ସପକ୍ଷରେ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଖାରବେଳ ସ୍ୱାଇଁ କନ୍ଧମାଳ ଜିଲ୍ଲାରେ ପ୍ରଥମ କରି ନିର୍ବାଚନ ଲଢୁଥିବା ଯୋଗୁଁ ଜିଲ୍ଲା, ଦଳୀୟ ନେତା ଓ କର୍ମୀଙ୍କ ପାଇଁ ସେ ନୂଆ ମୁହଁ । ଏଣୁ ଭୋଟର କେତେଦୂର ତାଙ୍କୁ ଗ୍ରହଣ କରିବେ ଆଗକୁ ସମୟ ହିଁ କହିବ । ତେବେ, ଖାରବେଳ ଦଳୀୟ କର୍ମୀଙ୍କୁ ସାଥିରେ ନେଇ ଗାଁ ଗାଁ ବୁଲି ପ୍ରଚାର ଆରମ୍ଭ କରିସାରିଲେଣି ଆଉ ଭୋଟର ତାଙ୍କ ପ୍ରତି ଓ ବିଜେପି ପ୍ରତି ସମର୍ଥନ ଜଣାଉଥିବା ସେ କହିଛନ୍ତି । ଭୋଟର ପରିବର୍ତନ ଚାହୁଁଛନ୍ତି । ଏଣୁ, ସେ ବିଜୟୀ ହେବ ବୋଲି ଆଶାବାଦୀ ଥିବା କହିଛନ୍ତି । ନିର୍ବାଚନ ଜିତିଲେ ସେ ଲୋକଙ୍କ ପାଇଁ କାର୍ଯ୍ୟ କରିବେ, କନ୍ଧମାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଷ୍ଟିଦେବେ ବୋଲି କହିଛନ୍ତି । ସ୍ୱାଧିନତାର ୭୨ ବର୍ଷ ବିତି ଯାଇଥିଲେ ମଧ୍ୟ କନ୍ଧମାଳରେ ସେଭଳି କିଛି ଉଲ୍ଲେଖନୀୟ ବିକାଶ ହୋଇନଥିବା ସେ କହିଛନ୍ତି ।