ଜି.ଉଦୟଗିରି: କଂଗ୍ରେସକୁ ବିପଦ
କନ୍ଧମାଳ,୩୧/୨(ସକାଳଖବର): ଭୋଟ୍ ଗ୍ରହଣ ଦିନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ହୃଦସ୍ପନ୍ଦନ ସେତିକି ବଢିବାରେ ଲାଗିଛି । କିଭଳି ନିଜ ସପକ୍ଷରେ ଅଧିକରୁ ଅଧିକ ଭୋଟ୍ ଯୋଗାଡ କରିହେବ ସେନେଇ ଚିନ୍ତାରେ ପ୍ରାର୍ଥୀ । ଜି.ଉଦୟଗିରି ବିଧାନସଭା ଆସନ କଂଗ୍ରେସଗଡ଼ ଭାବେ ପରିଚିତ ଥିବା ବେଳେ ଏଥର ଏହି ଆସନଟି କଂଗ୍ରେସ ହାତରୁ ଖସିଯିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ କଂଗ୍ରେସର ଦୁଇ ବିଦ୍ରୋହୀ ପ୍ରାର୍ଥୀ କଂଗ୍ରେସରୁ ଇସ୍ତଫା ଦେଇ ସ୍ୱାଧିନ ଭାବେ ଏହି ଆସନରୁ ଲଢୁଛନ୍ତି । ବିଧାୟକ ଜାକବ ପ୍ରଧାନ ଓ ଯୁବନେତା ପ୍ରତାପ ପ୍ରଧାନ ମଇଦାନକୁ ଓହ୍ଲାଇଥିବାରୁ ଏହି ୨ ପ୍ରାର୍ଥୀ ଭଲ ଭୋଟ ହାତେଇବେ ଆଉ ସବୁ କଂଗ୍ରେସ ଭୋଟ୍ ମଧ୍ୟ ନେବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ଜଣେ ସରପଂଚ । ତାଙ୍କର ନିର୍ବାଚନ ମଣ୍ଡଳୀ କିମ୍ବା ଅଂଚଳରେ ସେଭଳି କିଛି ପ୍ରଭାବ ନାହିଁ । କେବଳ ବିଧାୟକ ଜାକବଙ୍କ ଉପରେ ଅସନ୍ତୁଷ୍ଟ ଥିବା କିଛି କର୍ମୀ ଓ ବିଜେଡି ପ୍ରାର୍ଥୀଙ୍କର କିଛି ହାତଗଣତି ବିରୋଧି କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନଙ୍କୁ ସମର୍ଥନ ଜଣାଉଥିବା ଦେଖାଯାଉଛି । ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଜଣେ ପୂର୍ବତନ ବିଧାୟକ । ବର୍ତମାନ ତାଙ୍କ ପତ୍ନୀ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ଅଛନ୍ତି । ସେ ଜଣେ ଭଲ ସଂଗଠକ ମଧ୍ୟ । ସେହିପରି ବିଜେପି ମଧ୍ୟ ଏଥର ନୂଆଁ ମୁହଁ ଦେଇଛି, ତା’ସାଙ୍ଗକୁ ମହିଳା କାର୍ଡ ବି ଖେଳିଛି । ବିଜେପିର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ଅର୍ଚ୍ଚନା ଉଚ୍ଚ ଶିକ୍ଷିତା ଓ ଜଣେ ଅଧ୍ୟାପିକା ଥିଲେ । ସାଂଗଠନିକ ଦକ୍ଷତା ବି ଅଛି ଅର୍ଚ୍ଚନାଙ୍କର । ଏଣୁ, ଅର୍ଚ୍ଚନା ଜଣେ ମହିଳା ହୋଇଥିବାରୁ ମହିଳା ଭୋଟର ମାନଙ୍କୁ ତାଙ୍କ ସପକ୍ଷରେ ଆଣି ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଭୋଟ ହାର ମଧ୍ୟ ଅଧିକ । ଦାରିଙ୍ଗବାଡି, ଜି.ଉଦୟଗିରି, ରାଇକିଆ, ଟିକାବାଲି ବ୍ଲକକୁ ନେଇ ଜି.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଭୋଟରଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷ । ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜାକବ ପ୍ରଧାନ ୧୦ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ପ୍ରଧାନଙ୍କ ଠାରୁ ବିଜୟୀ ହୋଇଥିଲେ । ଏଣୁ, ଏହି ନିର୍ବାଚନରେ କଂଗ୍ରେସରୁ ଇସ୍ତଫା ଦେଇ ୨ଜଣ ବିଦ୍ରୋହୀ ନିର୍ବାଚନ ଲଢୁଥିବାରୁ ଆଉ ସେମାନେ ଯଦି ୨ ଜଣ ମିଶି ୧୦ରୁ ୧୫ ହଜାର ମଧ୍ୟରେ ଭୋଟ ନିଅନ୍ତି ତେବେ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବିଜୟ ସମ୍ଭାବନା କମ୍ ହୋଇପାରେ ।