ପୁରୀରେ ମହେଶ୍ୱରଙ୍କୁ ଟକ୍କର ଦେବେ ନିଲୁ

Apr 1, 2019 - 18:05
 136
ପୁରୀ, ୩୧/୩(ସକାଳଖବର): ଗତ କିଛି ଦିନ ଧରି ପୁରୀର ରାଜନୈତିକ ପାଣିପାଗ ବେଶ୍ ଉଷ୍ମ ରହିଛି । ପ୍ରଥମରୁ ବରିଷ୍ଠ ବିଧାୟକମାନଙ୍କୁ ବାଦ୍ ଦିଆଯାଇ ନୂଆ ମୁହଁକୁ ଅଣାଯିବ ବୋଲି ଚର୍ଚ୍ଚା ହୋଇଥିଲା । ସେହି କ୍ରମରେ ଶୁବାଶିଷ ଖୁଂଟିଆ ଟିକେଟ ଲବିରେ ବେଶ ଆଗରେ ରହିଥିଲେ । ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ (ନିଲୁ) ବିଜେଡିରୁ ଇସ୍ତଫା ଓ ପରେ ବିଜେପିରେ ଆଜି ମିଶିବା ଯୋଗୁଁ ପୁରୀ ବିଧାନସଭା କ୍ଷେତ୍ରରେ ରାଜନୈତିକ ହଟଚମଟ ଜୋର୍ ଧରିଛି । ମହେଶ୍ୱର ଟିକେଟ ପାଇବା ପରେ ତାଙ୍କ ସଂଗଠନକୁ ଶାଣିତ କରିବାରେ ଲାଗିଛନ୍ତି । ଶୁଣାଯାଏ କିଛି ଯୁବ ବିଧାୟକ ମନ୍ତ୍ରୀ ପଦପାଇଁ ଆଶା କରି ବରିଷ୍ଠ ବିଧାୟକଙ୍କ ଟିକେଟ କାଟିବା ପାଇଁ ଯୋଜନା କରିଥିଲେ । ନିର୍ବାଚନୀ ଗଣିତରେ ମାହିର ଥିବା ମହେଶ୍ୱର ସମସ୍ତ ଯୋଜନା ଜାଣିବା ପରେ ସେ ତାଙ୍କ ନିଜସ୍ୱ ରଣନୀତି ପ୍ରୟୋଗ କରି ଟିକେଟ ହାସଲ କରିଛନ୍ତି । ମହେଶ୍ୱର ଟିକେଟ ନପାଇଥିଲେ ବିଜେଡି ପାଇଁ ବଡ କ୍ଷତି ହୋଇଥାନ୍ତା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଥିଲେ । ମହେଶ୍ୱର ଟିକେଟ ନପାଇଥିଲେ ପୁରୀ ସାଂସଦ, ବ୍ରହ୍ମଗିରି ବିଧାୟକ ଓ ସତ୍ୟବାଦୀ ବିଧାୟକଙ୍କ ବହୁତ କ୍ଷତି ହୋଇଥାନ୍ତା । ସବୁ ଦୃଷ୍ଟିରୁ ବିଚାର କରି ବିଜେଡିର ଗଡ ବଂଚାଇବା ପାଇଁ ଶେଷ ମୁହୂର୍ତରେ ମହେଶ୍ୱର ମହାନ୍ତିଙ୍କ ନାମ ଘୋଷଣା କରାଗଲା । ବାଘ ସଙ୍ଗେ ବାଘ ଲଢେ଼ଇ କରିବା ନ୍ୟାୟରେ ନିଲୁଙ୍କୁ ବିଜେପିରେ ନିଆଯାଇଛି । ଏପରିକି ପୁରୀ ବିଧାନସଭା ଆସନ ନିମନ୍ତେ ବିଜେପିରୁ ସେ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ । ଦୀର୍ଘ ୩୦ ବର୍ଷ ଧରି ନିଲୁ ପୁରୀ ସହର ରାଜନୀତି ସହ ଓତଃପ୍ରୋତଃ ଭାବେ ଜଡ଼ିତ ଅଛନ୍ତି । ଗତ ପୌରସଂସ୍ଥା ନିର୍ବାଚନରେ ମହେଶ୍ୱରଙ୍କ ଅନିଚ୍ଛା ସତ୍ୱେ ନଗରପାଳ ପଦବୀକୁ ହାସଲ କରିଥିଲେ ନିଲୁ । ପଦବୀ ହାସଲ ପରେ ନିଜର ସଂଗଠନ ବଢାଇବା ସହ କାଉନସିଲରମାନଙ୍କ ସହ ସୁସଂପର୍କ ରକ୍ଷାକରି ସେ ରାଜନୈତିକ ଗୋଟି ଚାଳନା କରିଥିଲେ । ୫ ବର୍ଷ ଧରି ନଗରପାଳ ରହିବା ପରେ ତାଙ୍କ ସଂଗଠନକୁ ସେ ସୁଦୃଢ଼ କରିଛନ୍ତି । କୌଶଳ କ୍ରମେ ନିଲୁଙ୍କୁ ପୁରୀରୁ ହଟାଇବା ଯୋଜନା କରି ତାଙ୍କ ଘର ବୀରଗୋବିନ୍ଦପୁର ଓ ସତ୍ୟବାଦୀ ମାଟିର ପୁଅ କହି ସତ୍ୟବାଦୀ ପାଇଁ ବିଜେଡ଼ି ଟିକେଟର ଲୋଭ ଦେଖାଇଥିଲା ଦଳ । ଫଳରେ ପରବର୍ତୀ ସମୟରେ ସେ ସତ୍ୟବାଦୀରେ ମଧ୍ୟ ନିଜର ସଂଗଠନକୁ ସକ୍ରିୟ କରିଥିଲେ । ଶେଷରେ ସମସ୍ତ ଚାଲ୍ ଧରାପଡିବା ପରେ ସେ ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ । ମହେଶ୍ୱରଙ୍କୁ ଟକ୍କର ଦେବା ପାଇଁ ବିଜେପି ଜଣେ ଟାଣୁଆ ନେତାଙ୍କୁ ଖୋଜୁଥିଲା । କୃଷ୍ଣଚନ୍ଦ୍ର ପଣ୍ଡା ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ୧୭ ହଜାରୁ ଊଦ୍ଧ୍ୱର୍ ଭୋଟ ପାଇଥିଲେ । ସେହି କ୍ରମରେ ସେ ସଂଗଠନ କରିବା ସହ ବିଧାୟକ ପ୍ରାର୍ଥୀ ପାଇଁ ଲବିରେ ଥିଲେ । ବିଜେପିରୁ ଅନେକ ଯୁବକ ପ୍ରାର୍ଥୀତ୍ୱ ପାଇଁ ଆଶାୟୀ ଥିବାରୁ ବିଜେପି ପାଇଁ ସଙ୍କଟ ସୃଷ୍ଟି ହୋଇଥିଲା । କୃଷ୍ଣ ପଣ୍ଡାଙ୍କୁ ମନାଇବା ପାଇଁ ନିଲୁଙ୍କୁ ଦାୟିତ୍ୱ ଦିଆଯାଇଥିଲା ।