ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ରାଜଭବନ ଘେରିଲା ବିଜେପି
ଭୁବନେଶ୍ୱର,୧୦/୧୦(ସକାଳଖବର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଗୁରୁବାର ଦିନ ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି । ଏହା ସହିତ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେଇଛନ୍ତି । ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିନିଧୀଦଳକୁ ପ୍ରତିଶୃତି ଦେଇଛନ୍ତି ।
ରାଜ୍ୟସରକାର ଚଂଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତନ କରି “ମୋ ଆବାସ” ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି । କେନ୍ଦ୍ରୀୟ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ବିଜେପି ପକ୍ଷରୁ ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା ।
ଓଡିଶାବାସୀଙ୍କ ସ୍ୱାର୍ଥ ଏବଂ ହକ ପାଇଁ ବିଜେପି ଲଢେଇ ଜାରି ରଖିଛି । ରାଜ୍ୟ ସରକାରଙ୍କର ଭ୍ରଷ୍ଟାଚାରୀ, ଚଂଚକତା ପୂର୍ଣ୍ଣ ବ୍ୟବହାର ବିରୁଦ୍ଧରେ ବିଜେପି ରାଜରାସ୍ତାରେ ଆନେ୍ଦାଳନ କରିବ । ରାଜ୍ୟ ସରକାରଙ୍କ ଚଂଚକତା ଓ ଭ୍ରଷ୍ଟାଚାରକୁ ପ୍ରସୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଉଚ୍ଚାଙ୍କାକ୍ଷୀ ଜନକଲ୍ୟାଣକାରୀ ଯୋଜନା ଓ ଏହାଦ୍ୱାରା ଭାରତର ସମସ୍ତ ଜନସାଧାରଣଙ୍କୁ ପକ୍କାଘର ଯୋଗାଇଦେବାର ସୁଦୀର୍ଘ ପରିକଳ୍ପନା କରାଯାଇଛି । ଏହି ଯୋଜନାକୁ ଚଂଚକତା କରି କୌଣସି ରାଜ୍ୟର ସରକାର ଏହାକୁ ନିଜସ୍ୱ ଯୋଜନା ଭାବେ ଘୋଷଣା କରି ବିଭ୍ରାନ୍ତ କରାଇବା ନିଶ୍ଚିନ୍ତ ଭାବେ ଅଗଣତାନ୍ତ୍ରିକ, ଆଦର୍ଶ ସଂଘୀୟ ବ୍ୟବସ୍ଥାର ପରିପନ୍ଥି ଓ ଗ୍ରହଣଯୋଗ୍ୟ ନୁହେଁ ବୋଲି ବିଜେପି ନେତୃବୃନ୍ଦ କହିଥିଲେ ।
ପସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି ସେଥିରେ ମଧ୍ୟ ଚଂଚକତା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘର କରାଇବା ନାଁରେ ବିଜୁ ଜନତା ଦଳର ବିଧାୟକ ମାନେ ଘର ପିଛା ୨୧ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି । ଯେଉଁମାନଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଅଛି ସେମାନଙ୍କ ଘର ଜିଓ ଟାକିଙ୍ଗ୍ ହେବ ନିଷ୍ପତି ହୋଇଛି ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ବିଧାୟକଙ୍କ ନାଁରେ ପିସି ଏବଂ ୧୧ ହଜାର ଟଙ୍କା ବ୍ଲକ ଅଫିସରଙ୍କ ନାଁରେ ପିସି ଆଦାୟ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ, ଏନ୍ଏସି, ମୁ୍ୟନିସିପାଲିଟି କର୍ପୋରେସନ୍ ଆଗରେ ବିକ୍ଷୋଭ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲା । ଏହା ପରେ ବି ରାଜ୍ୟସରକାର ଏଭଳି ଅନିୟମିତତା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।