ଭାରତର ଲକ୍ଷ ଲକ୍ଷ ଝିଅଙ୍କର ଆଦର୍ଶ ପାଲଟୁଛନ୍ତି ମହିଳା ପୁଲିସ କର୍ମଚାରୀ: ପ୍ରଧାନମନ୍ତ୍ରୀ ମୋଦୀ

Oct 24, 2021 - 07:52
 113
ଭାରତର ଲକ୍ଷ ଲକ୍ଷ ଝିଅଙ୍କର ଆଦର୍ଶ ପାଲଟୁଛନ୍ତି ମହିଳା ପୁଲିସ କର୍ମଚାରୀ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ମହିଳା ପୁଲିସ କର୍ମଚାରୀମାନେ ଭାରତର ଲକ୍ଷ ଲକ୍ଷ ଝିଅମାନଙ୍କର ଆଦର୍ଶ ପାଲଟୁଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ ଆଜି ‘ମନ୍‌କୀ ବାତ୍‌’ର ୮୨ତମ ସଂସ୍କରଣରେ କହିଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ସଶସ୍ତ୍ର ବଳ ସମେତ ଦେଶର ପୁଲିସ ବିଭାଗରେ ମହିଳାଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଯାଇଛି। ଆଜି ସବୁକ୍ଷେତ୍ରରେ ଭାରତୀୟ ମହିଳାମାନେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି। ଆଜି ଆମେ ପାଳନ କରୁଥିବା ‘ସଂଯୁକ୍ତ ରାଷ୍ଟ୍ର ଦିବସ’ରେ ମଧ୍ୟ ଭାରତୀୟ ମହିଳାମାନେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି। ଏହି ବେତାର କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାଭାଇରସ୍‌ ରୋଗ ବିପକ୍ଷରେ ଦେଶର ଟିକାକରଣ ଅଭିଯାନକୁ ପ୍ରଶଂସା କରିବା ସହ ଅକ୍ଳାନ୍ତ କଠିନ ଶ୍ରମ କରିଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଅଭିବାଦନ ଜଣାଇ କହିଛନ୍ତି ଯେ, ନାଗରିକମାନଙ୍କୁ ଟିକା ଦେବାରେ ସେମାନେ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ଦେଶର ଏକତା ଏବଂ ମହାନତା ପାଇଁ କିଛି ନା କିଛି କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହି କାମ କେତେ ଆତ୍ମସନ୍ତୋଷ ଦେବ ତାହା ଆପଣମାନେ ହୃଦୟଙ୍ଗମ କରିପାରିବେ। ସେ କହିଛନ୍ତି, ଆଗାମୀ ରବିବାର, ଅକ୍ଟୋବର ୩୧ ତାରିଖ ହେଉଛି ସର୍ଦାର୍‌ ପଟେଲଙ୍କ ଜୟନ୍ତୀ। ‘ମନ୍‌କୀ ବାତ୍‌’ର ସମସ୍ତ ଶ୍ରୋତା ଏବଂ ମୋ ତରଫରୁ, ମୁଁ ଭାରତର ଲୌହମାନବଙ୍କ ପ୍ରତି ସମ୍ମାନ ଜ୍ଞାପନ କରୁଛି। ସର୍ଦାର ପଟେଲ୍‌ଙ୍କ ଜୀବନ ଓ ଆଦର୍ଶରୁ ଆମେ ବହୁତ କିଛି ଶିଖି ପାରିବା। ନିକଟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସର୍ଦାର ପଟେଲଙ୍କ ଉପରେ ଏକ ସଚ୍ଚିତ୍ର ଜୀବନୀ ପ୍ରକାଶ କରିଛି। ଏହାକୁ ନିଶ୍ଚୟ ପଢ଼ିବା ପାଇଁ ତରୁଣ ବନ୍ଧୁମାନଙ୍କୁ ମୋର ଅନୁରୋଧ।