ନିଶ୍ଚେତନ ଡାକ୍ତରଙ୍କ ଅଭାବ,ରୋଗୀ ହନ୍ତସନ୍ତ

May 31, 2018 - 06:46
 156
କଟକ, ୩୧ା୫/(ସକାଳଖବର): ହସ୍ପିଟାଲର ବିଭିନ୍ନ ବିଭାଗରେ ରୋଗୀର ଅସ୍ତ୍ରୋପଚାର କରିବାପାଇଁ ନିଶା ବ୍ୟବହାର କରାଯାଇଥାଏ । ଏହି କାର୍ଯ୍ୟପାଇଁ ନିଶ୍ଚେତନ ଡାକ୍ତର ନିଯୁକ୍ତି ପାଇଥାନ୍ତି । କିନ୍ତୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ସିଟି ହସ୍ପିଟାଲ)ରେ ନିଶ୍ଚେତନ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ସେଠାରେ ଜଣେ ଡାକ୍ତର ରହିଥିବାରୁ ରୋଗୀଙ୍କର ଅସ୍ତ୍ରୋପଚାର କରାଯିବାରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହି ବିଭାଗରେ ଅନ୍ୟ ଜଣେ ଡାକ୍ତରଙ୍କ ନିଯୁକ୍ତିପାଇଁ ସାଧାରଣରେ ଦାବି ହେଉଛି । ସୂଚନା ଅନୁସାରେ, ସିଟି ହସ୍ପିଟାଲରେ ପ୍ରସୂତି, ଶଲ୍ୟ, ଭେଷଜ ଆଦି ବିଭାଗ ରହିଛି । ଏହି ବିଭାଗ ଗୁଡିକରେ ପ୍ରତିଦିନ ଅସ୍ତ୍ରୋପଚାର ହେଉଛି । ଅସ୍ତ୍ରୋପଚାର କରିବା ସମୟରେ ରୋଗୀଙ୍କୁ ଆବଶ୍ୟକସ୍ଥଳେ ଆନାସ୍ଥେସିଆ ଦିଆଯାଇଥାଏ । ଏହି କାର୍ଯ୍ୟ ନିଶ୍ଚେତନ ଡାକ୍ତରଙ୍କଦ୍ୱାରା ସମାପନ କରାଯାଏ । ଏବେ ସିଟି ହସ୍ପିଟାଲରେ ଜଣେ ନିଶ୍ଚେତନ ଡାକ୍ତର କାର୍ଯ୍ୟ କରୁଛନ୍ତି । ସେ ସକାଳେ ଆସି ଅପରାହ୍ନ ୪ଟାବେଳେ ଚାଲିଯାନ୍ତି । କିନ୍ତୁ ଅନ୍ୟ ସମୟରେ ଅସ୍ତ୍ରୋପଚାର କରିହେଉନାହିଁ । ଉକ୍ତ ଡାକ୍ତର ଛୁଟିରେ ରହିଲେ କଥା ସରିଲା । ସେହିପରି ରାତିରେ ମଧ୍ୟ ଅସ୍ତ୍ରୋପଚାର କରିବା ସମ୍ଭବ ହେଉନାହିଁ । ପ୍ରସୂତି ବିଭାଗ ସମେତ ଅନ୍ୟ ବିଭାଗରେ ଦୈନିକ ୧୦ରୁ ୧୫ଜଣ ରୋଗୀଙ୍କର ଅସ୍ତ୍ରୋପଚାର ଆବଶ୍ୟକତା ପଡୁଛି । କିନ୍ତୁ ଜଣେ ନିଶ୍ଚେତନ ଡାକ୍ତରଙ୍କ ସହାୟତାରେ ଦୈନିକ ମାତ୍ର ୪ରୁ ୫ଜଣ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଉଥିବା ସୂଚନା ମିଳିଛି । ତେଣୁ ଅନ୍ୟ ଜଣେ ନିଶ୍ଚେତନ ଡାକ୍ତରଙ୍କୁ ନିଯୁକ୍ତି କରାଯିବାକୁ ରୋଗୀ ସମ୍ପର୍କୀୟଙ୍କ ତରଫରୁ ଦାବି ଉଠିଛି । ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ତପନ ମିତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।