ନବୀନ ପଟ୍ଟନାୟକଙ୍କ ବିଶ୍ୱାସଘାତକ ଭୂମିକା ଅକ୍ଷମଣୀୟ : କଂଗ୍ରେସ

Aug 9, 2018 - 18:51
 222
ନବୀନ ପଟ୍ଟନାୟକଙ୍କ ବିଶ୍ୱାସଘାତକ ଭୂମିକା ଅକ୍ଷମଣୀୟ : କଂଗ୍ରେସ
ଭୁବନେଶ୍ୱର, ୯/୮ (ସକାଳଖବର): ବିଜୁ ଜନତା ଦଳ ଗତ ବହୁ ବର୍ଷ ଧରି ଯେଉଁ ଛଳନା ଓ ପ୍ରତାରଣା କରି ଆସୁଥିଲା, ବର୍ତମାନ ତାହାର ପ୍ରକୃତ ସ୍ୱରୂପ ପଦାରେ ପଡି ଯାଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ୪ କୋଟି ୩୫ ଲକ୍ଷ ଓଡିଶାବାସୀଙ୍କୁ ବିଜୁ ଜନତା ଦଳ ବାରମ୍ବାର ବିଶ୍ୱାସଘାତକତାର ଚରମ ସୀମାରେ ପହଂଚି ପ୍ରଚାର କରୁଥିଲା ଯେ ସେହି ଦଳ କଂଗ୍ରେସ ଓ ବିଜେପି ଠାରୁ ରାଜନୈତିକ କ୍ଷେତ୍ରରେ ସମଦୂରତା ବଜାୟ ରଖିଛି । ତାହାର କାରଣସ୍ୱରୂପ ବିଜେଡି ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକ କ୍ଷେଦୋକ୍ତି କରି ରାଜ୍ୟବାସୀଙ୍କ ଠାରେ ନିବେଦନ କରୁଥିଲେ ଯେ ଉଭୟ ଡଃ ମନମୋହନ ସିଂହଙ୍କ ୟୁପିଏ ଓ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଏନ୍ଡିଏ ସରକାର ଓଡିଶା ପ୍ରତି ଅହେତୁକ ଅବହେଳା କରି ଆସୁଛନ୍ତି । କିନ୍ତୁ ବହୁ ସମୟରେ ଓଡିଶାବାସୀଙ୍କ ମନରେ ସନେ୍ଦହ ଜାତ ହେଉଥିଲା ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧୁର ଅସତ୍ୟ କହି ନିରୀହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ପ୍ରଥମେ ବିମୁଦ୍ରାୟନ, ତା’ପରେ ଦ୍ରବ୍ୟ ଓ ସେବା କର ପ୍ରଚଳନ, ନୂତନ ରାଷ୍ଟ୍ରପତି ନିର୍ବାଚନ, ଏକକ ଲୋକାସଭା ଓ ବିଧାନସଭା ପ୍ରଚଳନ କ୍ଷେତ୍ରରେ ନବୀନ ବାବୁ ଉକ୍ରଟ ଅବିମୃଶ୍ୟକାରିତା ପ୍ରକଟ କରି ଅତି ଚତୁର ଭାବେ ବିଜେପିକୁ ସମର୍ଥନ କରି ଆସିଛନ୍ତି । ଆଜି ତାହା ଚରମ ଶିଖରରେ ପହଂଚି ଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସ୍ତ ଅନୁଗତ ଭାବରେ ନିଜକୁ ପ୍ରତିପାଦିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୋଟିଏ ଟେଲିଫୋନ୍ କଲ ପାଇ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଏଣ୍ଡୁଅ ତା’ର ଶରୀର ରଙ୍ଗ ପରିବର୍ତନ କରିବାରେ ବିଶେଷ ଧୂରନ୍ଧର ହୋଇଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିଚକ୍ଷଣ ପଟ୍ଟ ପରିବର୍ତନରେ ନିଜକୁ ଲଜ୍ଜିତ ମନେକରିବା ସ୍ୱଭାବିକ । ଓଡିଶାବାସୀ ଅଭିନୟ ନିପୁଣ ମୁଖ୍ୟମନ୍ତ୍ରୀ ଯେପରି ବାରମ୍ବାର ରାଜ୍ୟର ସ୍ୱାର୍ଥକୁ ବଳି ଦେଇ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ସୁରକ୍ଷା ପାଇଁ ତପôର ହେଉଛନ୍ତି, ତାହା ସଂପୂର୍ଣ୍ଣ ଅକ୍ଷମଣୀୟ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।